ଆତଙ୍କବାଦ ବନ୍ଦ ନ ହେବା ଯାଏ ଆଲୋଚନା ହେବନି
ପାକ୍ ପ୍ରଧାନମନ୍ତ୍ରୀଙ୍କ ଗୁହାରି ଉପରେ ଭାରତର ପ୍ରତିକ୍ରିୟା
ନୂଆଦିଲ୍ଲୀ (ଏଜେନ୍ସି): ‘ଯେଉଁ ପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହୋଇନାହିଁ ସେପର୍ଯ୍ୟନ୍ତ ପାକିସ୍ତାନ ସହ କୌଣସି କଥାବାର୍ତ୍ତା ହେବ ନାହିଁ’ । ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ୍ ଭାରତକୁ ଆଲୋଚନା ପାଇଁ କରିଥିବା ଗୁହାରି ଉପରେ ଭାରତ ପକ୍ଷରୁ ପ୍ରଥମ କରି ଏପ୍ରକାର ପ୍ରତିକ୍ରିୟା ଦିଆଯାଇଛି । କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଗୁରୁବାର ଦିଆଯାଇଥିବା ପ୍ରତିକ୍ରିୟାରେ କୁହାଯାଇଛି ଯେ, ଯେପର୍ଯ୍ୟନ୍ତ ଆତଙ୍କବାଦ ଶେଷ ହୋଇନାହିଁ ସେପର୍ଯ୍ୟନ୍ତ କୌଣସି କଥାବାର୍ତ୍ତା ହେବନାହିଁ । ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ୍ ବାଗ୍ଚୀ କହିଛନ୍ତି, ଭାରତ ପ୍ରଥମରୁ ହିଁ ପାକିସ୍ତାନ ସହ ସ୍ୱାଭାବିକ ସମ୍ପର୍କ ରକ୍ଷା କରିବାକୁ ଆଗହୀ ରହିଆସିଛି । କିନ୍ତୁ ପାକିସ୍ତାନ, ଭାରତର ଏହି ଭାବନାକୁ ଦୁର୍ବଳତା ଭାବେ ଗ୍ରହଣ କରିଛି । ଏହା ପାକିସ୍ତାନର ମୁର୍ଖାମୀ । ଭାରତ, ଆତଙ୍କବାଦକୁ ବରଦାସ୍ତ କରୁନଥିବା ବେଳେ ପାକିସ୍ତାନ କିନ୍ତୁ ଆତଙ୍କବାଦକୁ ନିଜ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଛି । ଏପରି ସ୍ଥିତିରେ ପାକିସ୍ତାନ ସହ ଆଲୋଚନା କଦାପି ସମ୍ଭବ ନୁହେଁ । ସୂଚନାଯୋଗ୍ୟ, ଦୁବାଇ ଗସ୍ତରେ ଯାଇଥିବା ବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ୍ କହିଥିଲେ, ପୂର୍ବ ଘଟଣାରୁ ପାକିସ୍ତାନ ଶିକ୍ଷାଲାଭ କରିସାରିଛି । ଏବେ ପାକିସ୍ତାନ ଭାରତ ସହ ଶାନ୍ତିରେ ରହିବାକୁ ଚାହୁଁଛି । ଉଭୟ ପଡୋଶୀ ଦେଶ ବୋମା ଓ ଗୋଳାବାରୁଦରେ ନିଜ ସଂସାଧନକୁ ନଷ୍ଟ ନ କରି ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ କରିବା ଉଚିତ୍ । ଭାରତ-ପାକିସ୍ତାନ ମଧ୍ୟରେ କାଶ୍ମୀରକୁ ନେଇ ଥିବା ବିବାଦ ପ୍ରସଙ୍ଗରେ ଉଭୟ ଦେଶ ଆଲୋଚନା କରିବାକୁ ଆଗେଇ ଆସିବା ଠିକ୍ ହେବ ।