ଦେଶରେ ଶିକ୍ଷା ଆହରଣ ସ୍ଥିତି ଦୟନୀୟ

ନୂଆଦିଲ୍ଲୀ (ଏଜେନ୍ସି): ଦେଶରେ ଗୁଣାତ୍ମକ ଶିକ୍ଷାର ମାନ ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି । ବିଶେଷକରି ସ୍କୁଲ ଶିକ୍ଷା କ୍ଷେତ୍ରରେ ଏହା ସ୍ପଷ୍ଟ ବାରି ହୋଇପଡୁଛି । ବର୍ତ୍ତମାନ ସମୟରେ ସ୍କୁଲ ଶିକ୍ଷା ଆହରଣର ସ୍ଥିତି ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି । ସ୍କୁଲ୍ ଛାତ୍ରଛାତ୍ରୀଙ୍କର ପାଠ ପଢ଼ିବା ଦକ୍ଷତା ହ୍ରାସ ପାଇବାରେ ଲାଗିଛି । ଦଶନ୍ଧି ପୂର୍ବେ ପିଲାମାନଙ୍କ ପାଠ ପଢ଼ିବାର ଦକ୍ଷତା ଯାହାଥିଲା ବର୍ତ୍ତମାନ ସମୟରେ ଏବେର ସ୍କୁଲ ପଢ଼ା ଛାତ୍ରଛାତ୍ରୀଙ୍କ ଦକ୍ଷତା ସେହି ସ୍ତରକୁ ଚାଲିଆସିଛି । ଯାହା ମଝିରେ କିଛି ବର୍ଷ ଧରି ହୋଇଥିବା ଶିକ୍ଷା ସୁଧାରକୁ ମନ୍ଥର କରିଦେଇଛି । ନିକଟରେ ପ୍ରକାଶ ପାଇଥିବା ବାର୍ଷିକ ଶିକ୍ଷା ରିପୋର୍ଟ ଏଏସ୍ଇଆର୍ ରିପୋର୍ଟ-୨ଠ୨୨ରେ ଏଭଳି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି । ଏଏସ୍ଇଆର୍ ରିପୋର୍ଟ ଅନୁସାରେ ଦେଶରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କର ଶିକ୍ଷା ଆହରଣ ମାନ (ପାଠକୁ ଭଲଭାବେ ବୁଝି ପଢିବା କ୍ଷମତା ହ୍ରାସ ହୋଇଛି) ହ୍ରାସ ହୋଇଛି । ସେହିପରି ସାଧାରଣ ଗଣିତ (ମିଶାଣ-ଫେଡାଣ-ଗୁଣନ-ହରଣ)କୁ ବୁଝିବାକୁ ମଧ୍ୟ ସ୍କୁଲ ଛାତ୍ରଛାତ୍ରୀ ଅସମର୍ଥ ହୋଇଛନ୍ତି । ପିଲାମାନଙ୍କ ଠାରେ ସାଧାରଣ ଗଣିତ ବୁଝିବା କ୍ଷମତା ବର୍ଷେ ତଳକୁ ଖସିଆସିଛି । ଏଏସ୍ଇଆର୍ ପକ୍ଷରୁ ଦେଶର କିଛି ପ୍ରମୁଖ ରାଜ୍ୟରେ ଏହି ଗବେଷଣା କରାଯାଇଥିଲା । ଉଭୟ ସରକାରୀ ଓ ଘରୋଇ ସ୍କୁଲ୍ର ୫ରୁ ୧୫ବର୍ଷର ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ୍ କରାଯାଇଥିଲା । ତେବେ ଦେଶର ଅନ୍ୟ ରାଜ୍ୟ ତୁୂଳନାରେ କେରଳ, ହିମାଚଳପ୍ରଦେଶ ଓ ହରିଆଣାରେ ଛାତ୍ରଛାତ୍ରୀଙ୍କର ପଠନ କ୍ଷମତା ସର୍ବାଧିକ ହ୍ରାସ ପାଇଛି । ସେହିପରି ତାମିଲନାଡୁ, ମିଜୋରାମ ଏବଂ ହରିଆଣାରେ ପିଲାମାନଙ୍କ ଠାରେ ଗଣିତ ଦକ୍ଷତା ଦ୍ରୁତ ହ୍ରାସ ହୋଇଥିବା ରିପୋର୍ଟ ଦର୍ଶାଇଛି ।
ଅଧ୍ୟୟନରୁ ଏହା ମଧ୍ୟ ଜଣାପଡିଛି ଯେ, ମହାମାରୀ କରୋନା ଯୋଗୁ ପାଠପଢ଼ାରେ ସୃଷ୍ଟି ହୋଇଥିବା ବାଧକ ଯୋଗୁ ପିଲାମାନେ ଗଣିତରେ ଦୁର୍ବଳ ହୋଇପଡିଛନ୍ତି । ଏପରିକି ୩ୟରୁ ୫ମ ଶ୍ରେଣୀ ପିଲାମାନେ ମିଶାଣ, ଫେଡାଣ କରିବାରେ ମଧ୍ୟ ବିଫଳ ହେଉଛନ୍ତି । ତେବେ ଜମ୍ମୁ କାଶ୍ମୀରରେ ସ୍କୁଲ ପିଲା ଗଣିତରେ ବେଶ୍ ଭଲ କରିଛନ୍ତି । ତେବେ ଜାତୀୟସ୍ତରରେ ଇଂରାଜୀ ତଥା ନିଜ ମାତୃଭାଷାରେ ମଧ୍ୟ ୮ମ ଶ୍ରେଣୀର ପିଲାମାନେ ସଠିକ୍ ଭାବେ ପଢ଼ି ପାରୁନଥିବା ଏଏସ୍ଇଆର୍ ନିଜ ରିପୋର୍ଟରେ ଦର୍ଶାଇଛି । ପ୍ରକାଶ, ୨ଠ୧୨ରେ ସ୍କୁଲପଢ଼ା ଛାତ୍ରଛାତ୍ରୀମାନଙ୍କ ଶିକ୍ଷା ଆହରଣ ମାନ ଏହି ସ୍ତରର ରହିଥିଲା । ତେବେ ୨ଠ୧୮ ବେଳକୁ ଏଥିରେ ସାମାନ୍ୟ ସୁଧାର ଆସିଥିଲା । କିନ୍ତୁ ଏବେ ପୁନର୍ବାର ପୂର୍ବସ୍ଥିତିକୁ ପିଲାମାନଙ୍କ ଶିକ୍ଷା ଆହରଣ ମାନ ଚାଲିଯିବା ବେଶ୍ ଉଦ୍ବେଗଜନକ । ସୂଚନାଯୋଗ୍ୟ ଏଏସ୍ଇଆର୍, ନାଗରିକଙ୍କ ନେତୃତ୍ୱ ନେଉଥିବା ଏକ ଘରୋଇ ସର୍ଭେକ୍ଷଣ ସଂସ୍ଥା । ଯାହା ଗ୍ରାମାଞ୍ଚଳମାନଙ୍କର ଛାତ୍ରଛାତ୍ରୀଙ୍କ ଶୈକ୍ଷିକ ଦକ୍ଷତା ଉପରେ ଗବେଷଣା କରିଥାଏ ଏବଂ ଏକ ସାମୁହିକ ରିପୋର୍ଟ ପ୍ରଦାନ କରିଥାଏ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *