ସୌରଭଙ୍କ ନାମ ପୁଣି ପଠାଇଲେ କଲିଜିୟମ
ନୂଆଦିଲ୍ଲୀ, ୧୯ା୧: ଦିଲ୍ଲୀ ହାଇକୋର୍ଟ ଜଜ୍ ରୂପେ ବରିଷ୍ଠ ଅଧିବକ୍ତା ସୌରଭ କୃପାଲଙ୍କୁ ନିଯୁକ୍ତି ଦେବା ଲାଗି ସୁପ୍ରିମ୍କୋର୍ଟ କଲିଜିୟମ ୨୦୨୧ ନଭେମ୍ବର ୧୧ ତାରିଖର ସୁପାରିସ ପତ୍ରକୁ ପୁଣି ଥରେ କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଛନ୍ତି । ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ପରିଚାଳିତ କଲିଜିୟମ ପକ୍ଷରୁ ସୌରଭ କୃପାଲଙ୍କ ସମ୍ବନ୍ଧରେ କେନ୍ଦ୍ର ସରକାର ଦେଇଥିବା ମନ୍ତବ୍ୟକୁ ସର୍ବସାଧାରଣରେ ପ୍ରକାଶ କରିଦିଆଯାଇଛି ।
ଜଷ୍ଟିସ୍ ଚନ୍ଦ୍ରଚୂଡ, ଜଷ୍ଟିସ୍ ଏସ୍କେ କୌଲ ଓ ଜଷ୍ଟିସ୍ କେଏମ୍ ଯୋଶେଫ୍ଙ୍କୁ ନେଇ ଗଠିତ କଲିଜିୟମ ପୂର୍ବ ସୁପାରିସକୁ ଦୋହରାଇଥିବା କଥା ସୁପ୍ରିମ୍କୋର୍ଟ ୱେବ୍ସାଇଟ୍ରେ ଜାରି କରାଯାଇଛି । ସେଥିରେ କୁହାଯାଇଛି, ସୌରଭଙ୍କ ପାଖରେ ଦକ୍ଷତା, ସତ୍ୟନିଷ୍ଠା ଓ ମେଧା ଅଛି । ସେକ୍ସୁଆଲ୍ ଓରିଏଣ୍ଟେସନ୍ ପାଇଁ ତାଙ୍କୁ ଜଜ୍ କରା ନ ଯିବା ଠିକ୍ ନୁହେଁ । ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ ପ୍ରଧାନ ବିଚାରପତି ବିଏନ୍ କୃପାଲଙ୍କ ପୁତ୍ର ସୌରଭ ସମଲିଙ୍ଗୀ ବୋଲି ମାନିଛନ୍ତି । ତାଙ୍କ ପାର୍ଟନର୍ ସ୍ୱିସ୍ ନାଗରିକ ହୋଇଥିବା ଦର୍ଶାଇ କେନ୍ଦ୍ର ସରକାର କଲିଜିୟମଙ୍କ ସୁପାରିସକୁ ଅଗ୍ରାହ୍ୟ କରିଥିଲେ । ସୌରଭଙ୍କ ମାମଲା ୫ ବର୍ଷ ହେଲା ପଡି ରହିଛି । ସେ ପୂର୍ବତନ ଆଟର୍ଣ୍ଣି ଜେନେରାଲ୍ ମୁକୁଲ ରୋହତଗୀଙ୍କ ଚାମ୍ବରରେ ଜୁନିୟର ରୂପେ କ୍ୟାରିୟର ଆରମ୍ଭ କରିଥିଲେ ।