ପୂର୍ବୋତ୍ତରରେ ଭୋଟ୍ ବିଗୁଲ୍

ତ୍ରିପୁରାରେ ଫେବ୍ରୁଆରୀ ୧୬, ମେଘାଳୟ-ନାଗାଲାଣ୍ଡରେ ୨୭ରେ ଭୋଟ୍
ନୂଆଦିଲ୍ଲୀ, ୧୮ା୧: ନିର୍ବାଚନ ଆୟୋଗ ତ୍ରିପୁରା-ମେଘାଳୟ ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତ୍ରିପୁରାରେ ଫେବ୍ରୁଆରୀ ୧୬ ଓ ମେଘାଳୟ-ନାଗାଲାଣ୍ଡରେ ଫେବ୍ରୁଆରୀ ୨୭ ତାରିଖରେ ମତଦାନ ହେବ । ସେହିପରି ୬ ରାଜ୍ୟ ଯଥା ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ, ମହାରାଷ୍ଟ୍ର ଓ କେନ୍ଦ୍ରଶାସିତ ପ୍ରଦେଶ ଲାକ୍ଷାଦ୍ୱୀପର ୭ଟି ବିଧାନସଭା-ଲୋକସଭା ଆସନ ପାଇଁ ମଧ୍ୟ ଆୟୋଗ ବୁଧବାର ଉପନିର୍ବାଚନ ତାରିଖ (ଫେବ୍ରୁଆରୀ ୨୭) ଘୋଷଣା କରିଛନ୍ତି । ଏହି ସମସ୍ତ ନିର୍ବାଚନ ଓ ଉପନିର୍ବାଚନର ଫଳ ମାର୍ଚ୍ଚ ୨ ତାରିଖ ଦିନ ଘୋଷିତ ହେବ । ତ୍ରିପୁରାରେ ଆସନ୍ତା ୨୧ରୁ ୩୦ ତାରିଖ ଏବଂ ମେଘାଳୟ-ନାଗାଲାଣ୍ଡରେ ଜାନୁଆରୀ ୩୧ରୁ ଫେବ୍ରୁଆରୀ ୭ ପର୍ଯ୍ୟନ୍ତ ହେବ ନାମାଙ୍କନ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ: ତ୍ରିପୁରା- ଫେବ୍ରୁଆରୀ-୨, ମେଘାଳୟ-ନାଗାଲାଣ୍ଡ- ଫେବ୍ରୁଆରୀ ୧୦ । ପ୍ରତ୍ୟେକ ରାଜ୍ୟର ବିଧାନସଭା ଆସନ ସଂଖ୍ୟା ୬୦ । ତେଣୁ ପ୍ରତ୍ୟେକ ରାଜ୍ୟରେ ସରକାର ଗଠନ ପାଇଁ କୌଣସି ଦଳ ବା ମେଣ୍ଟକୁ ୩୧ ଆସନ ଆବଶ୍ୟକ ।
ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର କହିଛନ୍ତି, ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟର ମୋଟ୍ ବିଧାନସଭା ଆସନ ସଂଖ୍ୟା ୧୮୦, ଭୋଟର ସଂଖ୍ୟା ୬୨ ଲକ୍ଷ ୮୦ ହଜାର । ତିନି ରାଜ୍ୟର ମହିଳା ମତଦାତା ସଂଖ୍ୟା ୩୧ ଲକ୍ଷ ୪୭ ହଜାର । ତ୍ରିପୁରାରେ ସର୍ବାଧିକ ୧୩.୯୮ ଲକ୍ଷ ମହିଳା ଭୋଟର ଅଛନ୍ତି । ଏହି ତିନି ରାଜ୍ୟରେ ପ୍ରଥମଥର ପାଇଁ ୧.୭୬ ଲକ୍ଷ ଲୋକ ଭୋଟ୍ ଦେବେ । ତିନି ରାଜ୍ୟ ପାଇଁ ୯୧୨୫ ପୋଲିଂ ବୁଥ୍ ବ୍ୟବସ୍ଥା ହେଉଛି । ସେଥିରୁ ୩୭୬ ବୁଥ୍ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହେବ ।
ନାଗାଲାଣ୍ଡ ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୧୨ରେ, ମେଘାଳୟର ମାର୍ଚ୍ଚ ୧୫ ଓ ତ୍ରିପୁରାର ମାର୍ଚ୍ଚ ୨୨ରେ ଶେଷ ହେବ । ୨୦୧୮ରେ ଏହି ତିନି ରାଜ୍ୟରେ ଦୁଇ ପର୍ଯ୍ୟାୟରେ ଭୋଟ୍ ହୋଇଥିଲା ।
ଏବେ ନାଗାଲାଣ୍ଡରେ ଏନ୍ଡିପିପି-ବିଜେପି ମେଣ୍ଟ ସରକାର ଅଛି । ୨୦୧୮ ପୂର୍ବରୁ ରାଜ୍ୟରେ ନାଗା ପିପୁଲ୍ସ ଫ୍ରଣ୍ଟ୍ କ୍ଷମତାରେ ଥିଲା । କିନ୍ତୁ ଭୋଟ୍ ପୂର୍ବରୁ ଦଳ ଦୁଇ ଗୋଷ୍ଠୀରେ ବିଭକ୍ତ ହୋଇଗଲା । ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନେଫୁ୍ୟ ରିଓ ବିଦ୍ରୋହୀ ନେତାଙ୍କୁ ନେଇ ଏନ୍ଡିପିପି ଗଢ଼ିଥିଲେ । ଏନ୍ଡିପିପିକୁ ୧୮, ବିଜେପିକୁ ୧୨ ଆସନ ମିଳିଥିଲା । ମେଘାଳୟରେ ୨୦୧୮ରେ ଏନ୍ପିପି ଓ ବିଜେପି ମେଣ୍ଟ ସରକାର ଗଢ଼ା ଯାଇଥିଲା । କଂଗ୍ରେସ ସର୍ବାଧିକ ୨୧ ଆସନ ପାଇଥିଲେହେଁ ସରକାର ଗଠନରେ ସକ୍ଷମ ହୋଇପାରିଲା ନାହିଁ ।
ପୂର୍ବୋତ୍ତର ପରେ ଏପ୍ରିଲ୍ ବା ମେ’ରେ କର୍ଣ୍ଣାଟକ ବିଧାନସଭା ପାଇଁ ନିର୍ବାଚନ ହେବା ସମ୍ଭାବନା ଅଛି । ୪୦ ସଦସ୍ୟ ବିଶିଷ୍ଟ ମିଜୋରାମ୍ ବିଧାନସଭାର କାର୍ଯ୍ୟକାଳ ଡିସେମ୍ବର ୧୭ରେ ଶେଷ ହେବ । ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା କାର୍ଯ୍ୟକାଳ ୨୦୨୪ ଜାନୁଆରୀରେ ଶେଷ ହେବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *