ଯନ୍ତ୍ରଣାରୁ ସ୍ଥାନୀୟ ବାସିନ୍ଦାଙ୍କୁ ମୁକ୍ତି କେବେ?
ପରିକ୍ରମା ପ୍ରକଳ୍ପ ଯୋଗୁ ରାସ୍ତା ଜାମ୍
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱଐତିହ୍ୟନଗରୀ । ସେଥିଲାଗି ଅନେକ ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅନ୍ୟତମ । ପ୍ରକଳ୍ପ କାର୍ଯ୍ୟକୁ ନେଇ ବାଦବିବାଦର ଅନ୍ତ ଘଟିବା ପରେ କାର୍ଯ୍ୟ ଚାଲିଛି । ଏହି କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ଧରି ହନ୍ତସନ୍ତ ହେଲେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବାସିନ୍ଦା । ଏପରିକି ଏବେ ପର୍ଯ୍ୟଟନ ରତୁ ଚାଲୁଥିବାରୁ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ବିଶେଷ ଭାବେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ଭକ୍ତଙ୍କ ସୁଅ ଛୁଟୁଛି ଶ୍ରୀକ୍ଷେତ୍ରକୁ । ସେଥିପାଇଁ ଶ୍ରୀମନ୍ଦିର ଅଞ୍ଚଳରେ ସଦାସର୍ବଦା ଗହଳିଚହଳି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଘରୁ ବାହାରିବା କଷ୍ଟସାଧ୍ୟ ହୋଇପଡୁଛି । ସିଂହଦ୍ୱାର ସମ୍ମୁଖ ଦୋଳମଣ୍ଡପ ସାହିଠାରୁ ଆରମ୍ଭ କରି ବାଲିସାହି, ଗାଣ୍ଡୁଆଚଉରା ଛକ ଓ ଉତ୍ତରପାଶ୍ୱର୍ର ରାସ୍ତାରେ ନାହିଁ ନଥିବା ଗହଳି । ଚାଲି ଚାଲି ଯିବା ମଧ୍ୟ କଷ୍ଟ ହେଉଛି ।
ଅନ୍ୟପକ୍ଷରେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ସହ ଚତୁଃପାଶ୍ୱର୍ ପରିକ୍ରମା କରିବା ସମୟରେ ସମସ୍ୟା ଭୋଗୁଛନ୍ତି । ବିଶେଷ ଭାବେ ଦୀର୍ଘଦିନ ଧରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ପଶ୍ଚିମ ଦ୍ୱାର, ଉତ୍ତର ଦ୍ୱାର ଓ ସିଂହଦ୍ୱାର ସମ୍ମୁଖରେ ପ୍ରକଳ୍ପ କାର୍ଯ୍ୟ ଲାଗି ରାସ୍ତାଘାଟ ଖୋଳାଯାଇଛି । ଫଳରେ ଯିବାଆସିବା ଲାଗି ଅସୁବିଧା ହେଉଛି । ସେହିଭଳି ଦୋଳମଣ୍ଡପ ସାହିରୁ ସିଂହଦ୍ୱାରକୁ ମୁଖ୍ୟ ସଂଯୋଗ ରାସ୍ତା ହୋଇଥିବାରୁ ପ୍ରତ୍ୟେକ ଦିନ ହଜାର ହଜାର ଲୋକ ଉକ୍ତ ରାସ୍ତା ଦେଇ ଯିବାଆସିବା କରିଥାନ୍ତି । ସକାଳେ ଓ ସଞ୍ଜରେ ପ୍ରବଳ ଭିଡ଼ ହୋଇଥାଏ । ଏହି ସମୟରେ ଟ୍ରାଫିକ୍ ଜାମ୍ ହୋଇଯାଇଥାଏ । ଦୀର୍ଘ ସମୟ ଧରି ରାସ୍ତା ବନ୍ଦ ରହିଥାଏ । ସେହିପରି ବାଲିସାହି ରାସ୍ତା ଦେଇ ପର୍ଯ୍ୟଟକମାନେ ସମୁଦ୍ରକୂଳକୁ ଯାଉଛନ୍ତି । ଫଳରେ ଉକ୍ତ ରାସ୍ତାଟି ଜାମ୍ ରହୁଛି । ଚତୁଃପାଶ୍ୱର୍ରେ ରହୁଥିବା ବାସିନ୍ଦାମାନେ ନିଜ ଘରୁ ସାଇକେଲ ଓ ବାଇକ ନେବା ମଧ୍ୟ କଷ୍ଟ । ପିଲାମାନେ ସ୍କୁଲକୁ ଯିବା ସମୟରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ରହୁଥିବା ବାସିନ୍ଦାମାନେ ତ୍ରାହି ତ୍ରାହି ଡାକିଲେଣି । କଲବଲରୁ କେବେ ମୁକୁଳିବେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ ବାସିନ୍ଦା ।
ସୂଚନାଥାଉକି, ସିଂହଦ୍ୱାର ସମ୍ମୁଖରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ସେଥିଲାଗି ସିଂହଦ୍ୱାର ଅଞ୍ଚଳକୁ ଦଖଲକୁ ନେଇଛି ଓବିସିସି ।