ବିରୋଧୀଙ୍କ ଶକ୍ତି ପ୍ରଦର୍ଶନ
ବାଜିଲା ବିଗୁଲ୍
ହାଇଦ୍ରାବାଦ୍ (ଏଜେନ୍ସି): ବୁୂଧବାର ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ଭାରତ ରାଷ୍ଟ୍ର ସମିତି (ବିଆରଏସ୍) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ (କେସିଆର୍)ଙ୍କ ନେତୃତ୍ୱରେ ଏକ ବିଶାଳ ଜନସଭା ଆୟୋଜିତ ହୋଇଯାଇଛି । ରାଜ୍ୟର ଖମ୍ମମ୍ ଜିଲ୍ଲାରେ ଆୟୋଜିତ ଏହି ଜନସଭାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇଥିବାର ଦେଖିବାକୁ ମିଳିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରିୱାଲ, ସମାଜବାଦୀ ପାର୍ଟି ନେତା ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଏବଂ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଡି ରାଜା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
ଅନ୍ୟପକ୍ଷେ ଏହି ଜନସଭାକୁ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । କେସିଆର୍ଙ୍କ ନେତୃତ୍ୱାଧୀନ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ନିଜ ନାମ ପରିବର୍ତ୍ତନ କରି ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ରଖିବା ପରେ ଏହା ଦଳର ପ୍ରଥମ ଜନସଭା । ଜନସଭା ପୂର୍ବରୁ କେସିଆର, ଉପରୋକ୍ତ ନେତାମାନଙ୍କ ସହ ହାଇଦ୍ରାବାଦଠୁ ୨ଠଠ କିଲୋମିଟର ଦୂର ୟଦାଦ୍ରୀରେ ଭଗବାନ ଲକ୍ଷ୍ମୀ ନରସିମ୍ହ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ପରେ ଜନସଭାକୁ ଉପରୋକ୍ତ ନେତାମାନେ ମିଳିତ ଭାବେ ସମ୍ବୋଧନ କରିଥିଲେ । ଏହି ଜନସଭା ରାଲି ମାଧ୍ୟମରେ ବିରୋଧୀ ଦଳ କ୍ଷମତାସୀନ ମୋଦି ସରକାରକୁ ଏକତାର ପରାକାଷ୍ଠା ଦେଖାଇଥିଲେ ।
ସଭାକୁ ସମ୍ବୋଧିତ କରି ଅଖିଳେଶ ଯାଦବ କହିଛନ୍ତି, ଆଗାମୀ ୨ଠ୨୪ ନିର୍ବାଚନକୁ ୩୯୯ ଦିନ ବାକି ରହିଥିବା ବେଳେ ବିଜେପି ପାଇଁ ମଧ୍ୟ ଆଉ ଏତିକି ସମୟ ହିଁ ବାକି ରହିଛି । ଏହାପରେ ବିଜେପିର ଦିନ ଶେଷ ହୋଇଯିବ । ୨ଠ୨୪ରେ ବିଜେପିର ପରାଜୟ ନିଶ୍ଚିତ । ଫାସିଷ୍ଟ୍ ମନୋଭାବ ଉପରେ ପ୍ରଶ୍ନ କରୁଥିବା ନେତାମାନଙ୍କୁ ହଇରାଣ କରିବା କେନ୍ଦ୍ରର ଅଭ୍ୟାସରେ ପରିଣତ ହୋଇଛି । ଜାନୁଆରୀରୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥିବା ବେଳେ ଜାତୀୟ ରାଜନୀତି ଦକ୍ଷିଣାୟନ ମୋଡ ନେଇଛି । ଏହିଠାରୁ ବିଜେପିର ପତନର ଶୁଭାରମ୍ଭ ହେବ । ବୈଠକ ଅବସରରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ‘ରାଷ୍ଟ୍ରଭାଷା’ ଜନିତ ପ୍ରସଙ୍ଗକୁ ଉଠାଇଥିଲେ । ସେ କହିଥିଲେ, ଦେଶର ସମସ୍ତ ମାତୃଭାଷାକୁ ହଟାଇ ‘ହିନ୍ଦୀ’କୁ ରାଷ୍ଟ୍ରଭାଷା ଭାବେ ଜୋରଜବରଦସ୍ତି ଭାବେ ଲଦି ଦେବାକୁ ବିଜେପି ସରକାର ଅପଚେଷ୍ଟା କରୁଛି । ତେବେ ଏପରି କରିବା ଦ୍ୱାରା ଦେଶର ଥିବା ଭାଷାଗତ ଅଖଣ୍ଡତା ପ୍ରଭାବିତ ହେବ । ଦେଶର ଯୁବଗୋଷ୍ଠୀ ନିଯୁକ୍ତି ଚାହୁଁଥିବା ବେଳେ ସେମାନଙ୍କୁ ଆତ୍ମ ନିର୍ଭରଶୀଳତା ବା ଷ୍ଟାର୍ଟଅପ୍ ଆରମ୍ଭ କରିବାର ମିଛ ସ୍ୱପ୍ନ ଦେଖାଯାଉଛି । ଏପଟେ ଷ୍ଟାର୍ଟଅପ୍ ପାଇଁ ବ୍ୟାଙ୍କ୍ ଲୋନ୍ର ବ୍ୟବସ୍ଥାକୁ ଜଟିଳ କରିଦିଆଯାଉଛି, ଯାହାଫଳରେ ଜଣେ ଯୁବକ/ଯୁବତୀ ବ୍ୟାଙ୍କ୍ ଲୋନ୍ ବିନା ହିଁ କିଛି କରିବାକୁ ଚେଷ୍ଟା କରୁଛି । ବିଜେପି ଭାରତୀୟ ଜନତା ପାର୍ଟି ନୁହେଁ ବରଂ ଭାରତୀୟ ଜୁମଲା ପାର୍ଟି । ଦେଶବାସୀଙ୍କୁ ମିଛ ସ୍ୱପ୍ନ ଦେଖାଇ ଭ୍ରମିତ କରୁଥିବା ଦଳ ବିଜେପି । କ୍ଷମତା ପାଇଁ ଯେକୌଣସି ସ୍ତରକୁ ଯିବାର ଏକମାତ୍ର ସାମର୍ଥ୍ୟ ରଖୁଥିବା ଦଳ ବିଜେପି କେବଳ ଅଣବିଜେପି ସରକାରକୁ ଯେନତେନ ପ୍ରକାରେ ଭାଙ୍ଗିବା ଲକ୍ଷ୍ୟ ରଖୁଛି । ନିଜ ଉଦ୍ବୋଧନରେ କେଜରିୱାଲ୍ କହିଛନ୍ତି, ପ୍ରଥମ ଥର ପାଇଁ ବିଜେପି ଭଳି ଏକ ସ୍ୱେଚ୍ଛାଚାରୀ ଦଳ ବିରୋଧରେ ଏକାଧିକ ଦଳ ଏକ୍ଜୁଟ୍ ହେବା ବହୁତ ବଡ଼ କଥା । ଏହା ବିଜେପିର ପତନର ଶୁଭାରମ୍ଭ ବୋଲି ସଂକେତ ଦେଉଛି । ଗଣତାନ୍ତ୍ରିକ ରାଷ୍ଟ୍ର ପାଇଁ ଏହା ଏକ ଭଲ ଖବର । ଦେଶର ବାସ୍ତବିକ ପ୍ରସଙ୍ଗକୁ ଅଣଦେଖା କରି କେବଳ ବିରୋଧୀ ଦଳଗୁଡ଼ିକୁ ଶେଷ କରିଦେବା ଲକ୍ଷ୍ୟରେ ଏବେର ଶାସକ ଦଳ ପ୍ରାଥମିକତା ଦେଇଆସୁଛି । ଅଣବିଜେପି ଶାସିତ ରାଜ୍ୟରେ କିପରି କ୍ଷମତାସୀନ ଦଳକୁ ହଟାଯିବ ଏବଂ ବିଜେପି ନିଜେ କ୍ଷମତାସୀନ ହେବ ସେହି ଚିନ୍ତାରେ ବିଜେପିର ବଡ଼ ନେତାମାନେ ରୀତିମତ ଷଡଯନ୍ତ୍ର କରୁଛନ୍ତି । ରାଜ୍ୟପାଳ, ଉପରାଜ୍ୟପାଳଙ୍କ ଆଳରେ ବିଜେପି ଅଣବିଜେପି ଶାସିତ ରାଜ୍ୟ ସରକାରଙ୍କୁ ଉଦେ୍ଦଶ୍ୟମୂଳକ ଭାବେ ସମସ୍ୟାରେ ପକାଉଛନ୍ତି । ବେରୋଜଗାରୀ ହାର ବୃଦ୍ଧି, ଦରଦାମ୍ ବୃଦ୍ଧି, ଟଙ୍କାର ଅବମୂଲ୍ୟାୟନ, କୃଷି ଓ କୃଷକଙ୍କ ସମସ୍ୟା ଭଳି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାର ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ।
ମୋଦି ସରକାରଙ୍କ ମେକ୍ ଇନ୍ ଇଣ୍ଡିଆ ଯୋଜନା ସମ୍ପୂର୍ଣ୍ଣ ବିଫଳ ସାବ୍ୟସ୍ତ ହୋଇଛି । ମୋଦି ସରକାରଙ୍କ ସମସ୍ତ ଯୋଜନା କେବଳ ଦେଶବାସୀଙ୍କୁ ଭ୍ରମିତ କରିବା ପାଇଁ ଉଦ୍ଦିଷ୍ଟ । କର୍ଣ୍ଣାଟକ-ତାମିଲନାଡୁ ଏବଂ ତେଲେଙ୍ଗାନା-ଆନ୍ଧ୍ରପ୍ରଦେଶ ଭଳି ରାଜ୍ୟ ମଧ୍ୟରେ ଚାଲିଥିବା ଜଳ ଯୁଦ୍ଧ ପଛରେ ବିଜେପି ସରକାରର ହିଁ ହାତ ରହିଛି । ମୋଦି ସରକାରଙ୍କ ଭୁଲ୍ ନୀତି ଯୋଗୁ ଦେଶରେ ବିଦୁ୍ୟତ୍ ସଙ୍କଟ ଉତ୍ପନ୍ନ ହୋଇଛି । ନିଜ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିବାରେ ମୋଦି ସରକାର ବିଫଳ ହୋଇଛି । ଭାରତ ଭଳି ଦେଶରେ ଯେଉଁଠି ସଂଶାଧନର କୌଣସି ଅଭାବ ନାହିଁ, ସେଠାରେ ମୋଦି ସରକାର ବିଦେଶୀ ପାଣ୍ଠି ପାଇଁ ହାତ ପତାଇବା ଦୁର୍ଭାଗ୍ୟଜନକ ।
ପ୍ରକାଶ, କେସିଆର୍ଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସଭାରେ ଅସମ୍ଭାଳ ଭିଡ ପରିଲକ୍ଷିତ ହୋଇଥିଲା । ବିଜେପି ବିରୋଧରେ ଲୋକଙ୍କ ମଧ୍ୟରେ ଏପ୍ରକାର ଆକ୍ରୋଶକୁ ନେଇ ମଞ୍ଚାସୀନ ନେତାମାନେ ମାତ୍ରାଧିକ ଉତ୍ସାହିତ ହୋଇପଡିଥିବା ଜଣାପଡିଛି ।