ଭାରତର ରୋମାଞ୍ଚକର ବିଜୟ
ଭାରତ ୩୪୯/୮
ନୁ୍ୟଜିଲାଣ୍ଡ ୩୩୭/୧ଠ
ହାଇଦ୍ରାବାଦ(ଏଜେନ୍ସି): ସ୍ଥାନୀୟ ରାଜିବ ଗାନ୍ଧି ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଅନୁଷ୍ଠିତ ନୁ୍ୟଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଦିନିକିଆରେ ବାଜିମାରିଲା ଟିମ୍ ଇଣ୍ଡିଆ । ରୋମାଞ୍ଚକର ଓ ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ କାହା ହାତକୁ ଯିବ ଆକଳନର ବାହାରେ ଥିଲା । ନୁ୍ୟଜିଲାଣ୍ଡ ଟିମ୍ର ଲଢ଼ୁଆ ବ୍ୟାଟିଂ ଏବଂ ଭାରତୀୟ ବୋଲରଙ୍କ ଆକ୍ରମକ ବୋଲିଂ ଭିତରେ ମ୍ୟାଚ ରୋମାଞ୍ଚକର ହୋଇ ଉଠିଥିଲା ।
ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟର ସାମ୍ନା କରିଥିବା ନ୍ୟୁଜିଲାଣ୍ଡ ୨୩୧ ରନ ବେଳକୁ ୬ ୱିକେଟ ହରାଇଥିଲା । ହେଲେ ମିଚେଲ୍ ବ୍ରେସୱଲଙ୍କ ଲଢ଼ୁଆ ଶତକ ବଳରେ ମ୍ୟାଚ ଟାର୍ଗେଟ ରନ ଆଡ଼କୁ ଅଗ୍ରସର ହୋଇଥିଲା । ବ୍ରେସ୍ୱେଲଙ୍କ ବିଶାଳ ୧୩୨ ରନ୍ ଟିମ୍କୁ ବିଜୟୀ କରିପାରି ନ ଥିଲା । ମହମ୍ମଦ ସିରାଜଙ୍କ ଆକ୍ରାମକ ବୋଲିଂ ଫଳରେ ଭାରତ ୧୨ ରନ୍ରେ ବିଜୟ ହାସଲ କରିଛି । ଏହାସହିତ ତିନି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଭାରତ ୧-୦ରେ ଆଗୁଅ । ରହିଛି ।
ମ୍ୟାଚ୍ରେ କମାଲ କରିଛନ୍ତି ଟିମ୍ ଇଣ୍ଡିଆ ଓପନର ଶୁବମନ ଗିଲ୍ । ଆରମ୍ଭରୁ ଶେଷ ଯାଏ ମ୍ୟାଚ୍କୁୂ ସଂପୂର୍ଣ୍ଣ କବ୍ଜାରେ ରଖିବା ସହିତ ଦିନିକିଆ କ୍ରିକେଟରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି । ତାଙ୍କ ଦମଦାର ବ୍ୟାଟିଂ ଯୋଗୁ ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୩୪୯ ରନ କରିଥିଲା । ଅନ୍ୟପକ୍ଷରେ ପ୍ରଥମ ଦିନିକିଆ ଜିତିବା ପାଇଁ ନୁ୍ୟଜିଲାଣ୍ଡକୁ ୩୫୦ ରନର ଟାର୍ଗେଟ ମିଳିଥିଲା । ଗିଲ୍ ୧୪୮ ବଲରେ ବଲରେ ୨୦୮ ରନ କରିବା ପରେ ଇନିଂସର ଶେଷ ଓଭରରେ ବଡ଼ ସଟ୍ ଖେଳିବାକୁ ଯାଇ ଆଉଟ ହୋଇଥିଲେ ।
ଟସ୍ ଜିତି ଅଧିନାୟକ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଓପନର ରୋହିତ ଓ ଗିଲ୍ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ ବି ସ୍କୋର ୬୦ ଥିବା ସମୟରେ ରୋହିତ ୩୪ ରନ କରି ଆଉଟ ହୋଇଯାଇଥିଲେ । ତାଙ୍କ ପରେ ପଡ଼ିଆକୁ ଆସିଥିଲେ ବିରାଟ କୋହଲି । ସେ ମାତ୍ର ୮ ରନ କରିବାକୁ ସକ୍ଷମ ହୋଇଥିଲେ । ସେହିପରି ଈଶାନ କିଶନ ୫ ରନ କରି ପ୍ୟାଭିଲିୟନକୁ ଫେରିଥିଲେ ।
୧୧୦ ରନ୍ରେ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିବା ଭାରତକୁ ଗିଲ୍ ସୂର୍ଯ୍ୟ କୁମାର(୩୧)ଙ୍କ ସହ ମିଶି ଦମ୍ଭ ଦେଇଥିଲେ । ଦଳୀୟ ସ୍କୋର ୧୭୫ ଥିବା ବେଳେ ସୂର୍ଯ୍ୟ କୁମାର ଆଉଟ୍ ହୋଇଯାଇଥିଲେ । ଏହାପରେ ଆସିଥିଲେ ହାର୍ଦ୍ଦିକ ପାଣ୍ଡ୍ୟା । ପାଣ୍ଡ୍ୟା କିଛି ସମୟ ପାଇଁ ଗିଲଙ୍କ ସାଥ ଦେବା ସହିତ ଉଭୟ ସ୍କୋରକୁ ୨୦୦ ପାର କରାଇଥିଲେ ।
୮୭ ବଲରେ ଶତକ ହାସଲ କରିବା ପରେ ଗିଲ୍ ପିଚ୍ରେ ରହି ସଟ୍ସଯ୍ ପରେଳ ସଟ୍ ମାରିଚାଲିଥିଲେ । ମିଚେଲ ବ୍ରେସୱେଲଙ୍କୁ ଛକା ମାରି ୧୨୨ ବଲରେ ୧୫୦ ରନ ପୂରଣ କରିଥିଲେ । ଏହାପରେ ବି ନ ଅଟକି ୪୯ତମ ଓଭର ବୋଲିଂ କରୁଥିବା ଲକି ଫର୍ଗୁସନଙ୍କୁ କ୍ରମାଗତ ୩ ଛକା ମାରି ମାତ୍ର ୧୪୫ ବଲରେ ଦୁଇ ଶତକ ହାସଲ କରିନେଇଥିଲେ ଶୁବମନ । ଶେଷ ଓଭରର ପ୍ରଥମ ବଲରେ ମଧ୍ୟ ସେ ଗୋଟିଏ ଛକା ମାରିଥିଲେ । ହେଲେ ପରବର୍ତୀ ବଲରେ ସେ ହେନରୀ ଶିପଲେଙ୍କ ବଲରେ ଆଉଟ୍ ହୋଇଯାଇଥିଲେ । ଏହି ସମୟରେ ଟିମ୍ ଇଣ୍ଡିଆ ୩୪୫ ରନ୍ ହାସଲ କରିଥିଲା । ଶେଷ ୪ ବଲରେ କୁଲଦୀପ ଯାଦବ ଓ ମହମ୍ମଦ ଶାମି ୪ ରନ କରିବାରୁ ଟିମ ଇଣ୍ଡିଆ ୫୦ ଓଭରରେ ୭୮ ୱିକେଟ ହରାଇ ୩୪୯ ରନ କରିଥିଲା । ଗିଲ ୯ଟି ଛକା ଓ ୧୯ଟି ଚୌକା ମାରିଥିଲେ ।
ନୁ୍ୟଜିଲାଣ୍ଡ ପକ୍ଷରୁ ଶିପଲେ ଓ ଡାରେଲ ମିଚେଲ ୨ଟି ଲେଖାଏ ୱିକେଟ ପାଇଥିବା ବେଳେ ଫର୍ଗୁସନ, ମିଚେଲ ଓ ବ୍ଲେୟାର ଗୋଟିଏ ଲେଖାଏଁ ୱିକେଟ୍ ହାସଲ କରିଥିଲେ ।
ଗିଲ୍ ଦିନିକିଆ କ୍ୟାରିୟରରେ ଲଗାତାର ଦ୍ୱିତୀୟ ଶତକ ହାସଲ କରିଛନ୍ତି । ପୂର୍ବରୁ ଶ୍ରୀଲଙ୍କା ବିପକ୍ଷ ଶେଷ ଦିନିକିଆରେ ସେ ୧୧୬ ରନ୍ର ଇନିଂସ ଖେଳିଥିଲେ । ହାଇଦ୍ରାବାଦ ମ୍ୟାଚ୍ ଗିଲ୍ଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଛି । ୫ମ ଭାରତୀୟ ତଥା ବିଶ୍ୱର ସର୍ବକନିଷ୍ଠ ଖେଳାଳି ଭାବେ ଗିଲ ୫୦ ଓଭର ବିଶିଷ୍ଟ ମ୍ୟାଚ୍ରେ ଦ୍ୱି-ଶତକ ହାସଲ କରିଛନ୍ତି । ମାତ୍ର ୨୩ ବର୍ଷ ୧୩୨ ଦିନ ବୟସରେ ସେ ଡବଲ ସେଞ୍ଚୁରି ହାସଲ କରି ବିରଳ ରେକର୍ଡ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ଈଶାନ କିଶନଙ୍କ ନାଁରେ ଥିଲା । ସେ ୨୪ ବର୍ଷ ୧୪୫ ଦିନରେ ଦୁଇ ଶତକ ହାସଲ କରିଥିଲେ । ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେୱାଗ, ରୋହିତ ଶର୍ମା ଓ ଈଶାନ କିଶନଙ୍କ ପରେ ୫ମ ଭାରତୀୟ ଭାବେ ସେ ଡବଲ ଟନ୍ ହାସଲ କରିଛନ୍ତି ।