ହାତୀ ସୁରକ୍ଷା ପାଇଁ ୧ଠ ସୂତ୍ରୀ ଯୋଜନା
କଟକ,୧୮ା୧(ଆପ୍ର): ଶିମିଳିପାଳ ହାତୀ ମୃତୁ୍ୟ ମାମଲାରେ ଆଜି ହାଇକୋର୍ଟଙ୍କ ପୂର୍ବ ନିଦେ୍ର୍ଦଶ ଅନୁଯାୟୀ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ (ସିସିଏଫ୍) ହାତୀ ସୁରକ୍ଷା ନେଇ ସତ୍ୟପାଠ ଦାଖଲ କରିଛନ୍ତି । ମୁଖ୍ୟ ବିଚାରପତି ଡକ୍ଟର ଏସ୍. ମୁରଲୀଧର ଓ ବିଚାରପତି ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠରେ କିପରି ଓ କାହିଁକି ହାତୀଙ୍କ ମୃତ୍ୟୁ ହେଉଛି ସେ ସଂକ୍ରାନ୍ତରେ ଅବଗତ କରାଯାଇଥିଲା । ବିଶେଷ କରି ମୁକୁଳା ଇଲେକ୍ଟ୍ରି ତାର, ମୁକୁଳା ହୋଇଥିବା ଟ୍ରାନ୍ସ ଫରମର ଏବଂ ଅନେକ ଲୋକ ଚେରାରେ ହୁକ ପକାଇ ବିଦ୍ୟୁତ୍ ଚୋରି କରୁଥିବା ସହିତ ଅନ୍ୟାନ୍ୟ କାରଣ ଯୋଗୁ ହାତୀଙ୍କ ମୃତ୍ୟୁ ହେଉଛି ବୋଲି ଶୁଣାଣି ବେଳେ ଦର୍ଶା ଯାଇଥିଲା । ତେବେ ହାତୀ ସୁରକ୍ଷା ପାଇଁ ୧୦ ସୁତ୍ରୀ ଯୋଜନା ପ୍ରସ୍ତୁତ ହୋଇଥିବା ନେଇ ଆଜି ସିସିଏଫଙ୍କ ପକ୍ଷରୁ ପ୍ରଦତ୍ତ ସତ୍ୟପାଠରେ ଉଲ୍ଲେଖ କରାଯାଇଛି । ପ୍ରସ୍ତୁତ ହୋଇଥିବା ୧୦ ସୁତ୍ରୀ ଯୋଜନା ଦୁଇ ସପ୍ତାହ ମଧ୍ୟରେ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିଦେ୍ର୍ଦଶ ପ୍ରଦାନ କରିଛନ୍ତି । ଏଥବ ସହିତ ଅନୁମୋଦନ ମିଳିବାର ମାସକ ମଧ୍ୟରେ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ମାର୍ଚ୍ଚ ୧୩ ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବା ପାଇଁ ଅଦାଲତ ଦିନ ଧାର୍ଯ୍ୟ କରିଛନ୍ତି ।
ପୂର୍ବରୁ ଜଏଣ୍ଟ ଟାସ୍କ ଫୋର୍ସ ସଦସ୍ୟ ଡ. ରମଣ ସୁକୁମାର ଓଡ଼ିଶାରେ ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ହାତୀ କରିଡର ଉପରେ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମାଧ୍ୟମରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ସମ୍ବଲପୁର ଓ ମହାନଦୀ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ହାତୀଙ୍କ ଚଳାଚଳ ପାଇଁ ଅତିରିକ୍ତ ପୋଲ ନିର୍ମାଣର ଆବଶ୍ୟକତା ଥିବା ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅଞ୍ଚଳରେ ରାଜ୍ୟର ୭୦ରୁ ୭୫% ହାତୀ ରହୁଥିବା ବେଳେ ଏହି ସଂଖ୍ୟା ୨ ହଜାର ବୋଲି ସେ ଦର୍ଶାଇଛନ୍ତି । ଡ. ସୁକୁମାରଙ୍କ ପାୱାର ପଏଣ୍ଟ ତଥ୍ୟକୁ ରେକର୍ଡ ଭାବେ ରଖିବା ନିମନ୍ତେ କୋର୍ଟ ନିଦେ୍ର୍ଦଶ ଦେଇଛନ୍ତି । ଭର୍ଚୁ୍ୟଆଲ ମାଧ୍ୟମରେ ଜଏଣ୍ଟ ଟାସ୍କଫୋର୍ସର ମୁଖ୍ୟ ବନ ସଂରକ୍ଷକ ଡ.ମନୋଜ ନାୟର ଓ ଶିମିଳପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳର କ୍ଷେତ୍ର ଅଧିକାରୀ ଏବଂ ସ୍ୱ
ବ୍ୟକ୍ତିଗତ ଭାବେ ଆଡ୍ଭୋକେଟ ଜେନେରାଲ ଓ ଆବେଦନକାରୀଙ୍କ ସିନିୟର କାଉନସେଲ ଉପସ୍ଥିତ ହୋଇ ଓଡ଼ିଶାରେ ସୁରକ୍ଷିତ ଭାବେ ହାତୀ ଚଳପ୍ରଚଳ କରିବା ନିମନ୍ତେ ଦରକାରୀ ପ୍ରସ୍ତାବ ପ୍ରଦାନ କରିଥିଲେ । ମୁଖ୍ୟ ବନ ସଂରକ୍ଷକ ଡ. ନାୟର ହାତୀ ସୁରକ୍ଷା ନିମନ୍ତେ ପ୍ରସ୍ତୁତ ଆକ୍ସନ ପ୍ଲାନରେ ଏସବୁ ରହିଥିବା ହାଇକୋର୍ଟଙ୍କୁ ଅବଗତ କରିଥିଲେ । ବିଦୁ୍ୟତ ଆଘାତରୁ ହାତୀ ଓ ବନ୍ୟପ୍ରାଣୀଙ୍କୁ ରକ୍ଷା କରିବା ନିମନ୍ତେ ୩,୮୧୪ କିଲୋମିଟର ଖୋଲା ବିଦୁ୍ୟତ ତାର ମଧ୍ୟରୁ ୨୩୫୪ କିଲୋମିଟର ତାରକୁ କେବୁଲରେ ପରିଣତ କରାଯାଇଛି । ଏହାବାଦ ବିପଦ ଥିବା ଆହୁରି ୪୪୪୪ କିଲୋମିଟର ଖୋଲା ବିଦୁ୍ୟତ ତାର ଓ ୩୧୦୦୦ ବିଦୁ୍ୟତ ସ୍ଥଳକୁ ଚିହ୍ନଟ କରାଯାଇଛି । ତଥ୍ୟ ମୁତାବକ ୧୯ଟି ବନ ଡିଭିଜନର ୩୨ଟି ରେଞ୍ଜକୁ ହାତୀ-ମଣିଷ ଲଢ଼େଇର ସର୍ବାଧିକ ବିପଦସଙ୍କୁଳ ଅଞ୍ଚଳ ଭାବେ ଚିହ୍ନଟ କରାଯାଇଛି । ହାତୀଙ୍କ ନିମନ୍ତେ ପରିସଂସ୍ଥାର ଉନ୍ନତିକରଣ କରାଯିବ । ଏଥିରେ ନୂତନ ଭାବେ ୩୪ଟି ଜଳାଶୟ ନିର୍ମାଣ, ୨୬ଟି ଜଳାଶୟର ପୁନରୁଦ୍ଧାର, ୪୪ଟି ଜଳ ଅମଳ ସଂସ୍ଥା, ୨୦୦ ହେକ୍ଟର ଅଞ୍ଚଳରେ ବୁଦାଳିଆ ଘାସ ଚାଷ ଓ ବାଉଁଶ ଗଛ ସୃଷ୍ଟି ନିମନ୍ତେ ୧ ଲକ୍ଷ ବାଉଁଶ ରୋପଣ କରାଯିବ । ଏଥିସହ ହାତୀ କରିଡରର ନକ୍ସା ବଦଳାଯିବ । ଏନେଇ ଭାରତ ସରକାରଙ୍କ ଅବଗତ କରାଯାଇଛି । ଶିମିଳିପାଳ-କୁଳଡିହା-ହଦଗଡ଼ ପାରମ୍ପରିକ ହାତୀ କରିଡରକୁ ସୁରକ୍ଷିତ ଅଞ୍ଚଳ ଭାବେ ଘୋଷଣା କରାଯିବା ନିମନ୍ତେ ପଦକ୍ଷେପ ନିଆଯାଇଥିବା ଡ. ନାୟାର ସତ୍ୟପାଠରେ ଦର୍ଶାଇଛନ୍ତି ।