ପଶ୍ଚିମବଙ୍ଗରୁ ୟୁଟୁ୍ୟବର୍ ଅନିମେଶ ଗିରଫ
ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼େଇବା ଘଟଣା
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇ ଭିଡିଓ ଉତ୍ତୋଳନ ଓ ତାକୁ ବିକ୍ରି କରିବା ଲାଗି ସୋସିଆଲ ମିଡିଆରେ ପୋଷ୍ଟ କରିବା ଘଟଣାରେ ଅଭିଯୁକ୍ତ ଅନିମେଶ ଚକ୍ରବର୍ତ୍ତୀକୁ ବାରାକପୋରରୁ ଗିରଫ କରିଛି ପୁରୀ ପୁଲିସ । ପରେ ତାକୁ ଜେଲ ହାଜତକୁ ପଠାଯାଇଛି । ସିଟି ଡିଏସ୍ପି କେ. କେ ହରିପ୍ରସାଦଙ୍କ ନେତୃତ୍ୱରେ ଏକ ଟିମ୍ ପଶ୍ଚିମବଙ୍ଗ ଯାଇ ଅନିମେଶକୁ ଗିରଫ କରିବା ଲାଗି ସ୍ଥାନୀୟ ପୁଲିସ ସହୟତାରେ ଜାଲ ବିଛାଇଥିଲେ । ଶେଷରେ ସେହି ଜାଲରେ ପଡ଼ିଥିଲେ ଅନିମେଶ । ତଦନ୍ତ ପରେ ଅନିମେଶ କ’ଣ ପାଇଁ ଓ କାହା ଇଙ୍ଗିତରେ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡ଼ାଇଲେ ତାହାକୁ ନେଇ ଛାନ୍ଭିନ୍ କରିବ ପୁଲିସ ।
ସୂଚନାଥାଉକ, ପୂର୍ବରୁ ଘଟଣାକୁ ନେଇ ଚାରିଆଡୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କ୍ଷମା ମାଗିଥିଲେ ବଙ୍ଗୀୟ ଯୁବକ ଅନିମେଶ ଚକ୍ରବର୍ତ୍ତୀ । ଅନିମେଶ ଏକ ଭିଡିଓ ଜାରି କରି କହିଥିଲେ ଯେ, ମୁଁ ଜାଣିନାହିଁ ଶ୍ରୀମନ୍ଦିର ଉପରେ ନୋ ଫ୍ଲାଇଙ୍ଗ୍ ଜୋନ୍ । ତତ୍ସହିତ ଡ୍ରୋନ୍ କ୍ୟାମେରାରେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ପୋଷ୍ଟ କରିବା ମୋର ଭୁଲ । ତେଣୁ ଏହି ଭୁଲ ଲାଗି ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଓଡ଼ିଶାବାସୀ ମୋତେ କ୍ଷମା କରନ୍ତୁ ବୋଲି ଅନୁରୋଧ କରିଥିଲେ । ଏପରିକି ଅଜାଣତରେ ଏଭଳି ଭୁଲ ହୋଇଥିବା କହିଥିଲେ ଅନିମେଶ । ପୂର୍ବରୁ ପୁଲିସଠାରୁ ଅନୁମତି ନେଇ ଡ୍ରୋନ୍ରେ ଭିଡିଓ ଉତ୍ତୋଳନ କରିଥିବା ନେଇ ପ୍ରଥମେ ସଫେଇ ଦେଇଥିବା ବେଳେ ପରେ ତାହା ମିଛ ବୋଲି କହିଥିଲେ । ଏନେଇ ଥାନାରେ ଅଭିଯୋଗ ହେବାରେ ସିଂହଦ୍ୱାର ପୁଲିସ ୧୫୦/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା । ଶେଷରେ ପୁଲିସ ଘଟଣା ଘଟିବାର ୧ମାସ ପରେ ଅନିମେଶକୁ ଗିରଫ କରିବାରେ ସଫଳ ହୋଇଛି ।