ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି
୨୪ ନିର୍ବାଚନ ପାଇଁ ବିଜେପିର ସଜବାଜ
ନୂଆଦିଲ୍ଲୀ, ୧୭ା୧: ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକର ଦ୍ୱିତୀୟ ଦିନରେ (ମଙ୍ଗଳବାର) ଦଳର ଅଧ୍ୟକ୍ଷ ଜଗତ୍ ପ୍ରସାଦ ନଡ୍ଡାଙ୍କ କାର୍ଯ୍ୟକାଳକୁ ୨୦୨୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସଭାପତି ପଦରୁ ସେ ଆସନ୍ତା ୨୦ ତାରିଖ ଦିନ ବିଦାୟ ନେଇଥାନ୍ତେ । ଏବେ ସେ ଲୋକସଭା ନିର୍ବାଚନ ପର୍ଯ୍ୟନ୍ତ ଦଳର ବସ୍ ଭାବେ କାର୍ଯ୍ୟ କରିବେ । ବୈଠକରେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ରାଜନାଥ ସିଂହ ଆଣିଥିବା ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହିତ ହୋଇଛି । ଦଳର ସଂସଦୀୟ ବୋର୍ଡ ମଧ୍ୟ ପ୍ରସ୍ତାବରେ ମୋହର ଦେଇଛି । ଖୁବ୍ଶୀଘ୍ର ଏହା ନିର୍ବାଚନ ଆୟୋଗଙ୍କୁ ଜଣାଇ ଦିଆଯିବ । କାର୍ଯ୍ୟକାଳ ବୃଦ୍ଧି ପରେ ନଡ୍ଡା ପ୍ରଥମେ ମମତା ବାନାର୍ଜୀଙ୍କ ଦୁର୍ଗ ଭାଙ୍ଗିବା ଲକ୍ଷ୍ୟରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ ବୋଲି ଦଳୀୟ ସୂତ୍ରରୁ ଜଣାପଡିଛି । ସେଠାରେ ଖୁବ୍ଶୀଘ୍ର ପଞ୍ଚାୟତ ନିର୍ବାଚନ ହେବ । ୨୦୦୯ ସାଧାରଣ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ପକ୍ଷରୁ ଦଳର ଅଧ୍ୟକ୍ଷଙ୍କ ନାମ ସୁପାରିସ କରାଯାଇ ଦିଲ୍ଲୀ ପଠାଯାଉଥିଲା । ନିତିନ୍ ଗଡକରୀ ମଧ୍ୟ ଆର୍ଏସ୍ଏସ୍ ସୁପାରିସରେ ଅଧ୍ୟକ୍ଷ ହୋଇଥିଲେ । ଏବେ କିନ୍ତୁ ସ୍ଥିତି ବଦଳି ଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଗୃହମନ୍ତ୍ରୀ ଶାହାଙ୍କ ରଣକୁଶଳତା ଯୋଗୁଁ ଦଳ କ୍ରମାଗତ ବିଜୟ ହାସଲ କରି ଆସୁଛି । ଏହି ପରିପ୍ରେକ୍ଷୀରେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧିରୁ ପ୍ରମାଣିତ ହୋଇଛି ଯେ ନାଗପୁର (ଆର୍ଏସ୍ଏସ୍ ମୁଖ୍ୟାଳୟ) ଆଉ ବିଜେପିର ରାଜନୈତିକ କେନ୍ଦ୍ର ହୋଇ ରହିନାହିଁ ।
ନଡ୍ଡାଙ୍କ ପୂର୍ବରୁ କେବଳ ଲାଲ୍କୃଷ୍ଣ ଆଡଭାନୀ ଓ ଅମିତ୍ ଶାହାଙ୍କୁ କ୍ରମାଗତ ଦ୍ୱିତୀୟ ଥର ଅଧ୍ୟକ୍ଷ କରାଯାଇଥିଲା । ରାଜନାଥ ସିଂହ ଯଦିଓ ୨ଥର ଅଧ୍ୟକ୍ଷ ହୋଇଥିଲେ, ତାଙ୍କ କାର୍ଯ୍ୟକାଳ କ୍ରମାଗତ ବୃଦ୍ଧି କରାଯାଇନଥିଲା ।
ଜେପି ନଡ୍ଡା ୨୦୧୯ ଜୁନ୍ରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ହୋଇଥିଲେ । ପରବର୍ଷ ଜାନୁଆରୀ ୨୦ ତାରିଖ ଦିନ ତାଙ୍କୁ ପୂର୍ଣ୍ଣକାଳୀନ ଅଧ୍ୟକ୍ଷ କରାଯାଇଥିଲା । ନଡ୍ଡାଙ୍କ କାର୍ଯ୍ୟକାଳ କ୍ରମାଗତ ବୃଦ୍ଧିର କରାଯିବାର ପ୍ରଧାନ କାରଣ ହେଉଛି, ନୂଆ ଅଧ୍ୟକ୍ଷ ଆଗାମୀ ବିଧାନସଭା ଓ ଲୋକସଭା ନିର୍ବାଚନ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ ନାହିଁ । ଦଳର ସମ୍ବିଧାନ ଅନୁଯାୟୀ ଅତି କମ୍ରେ ଅଦେ୍ର୍ଧକ ରାଜ୍ୟରେ ସାଙ୍ଗଠନିକ ନିର୍ବାଚନ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ କରାଯିବା ଆବଶ୍ୟକ । ଗତବର୍ଷ ବିଜେପିର ସାଙ୍ଗଠନିକ ନିର୍ବାଚନ ହୋଇପାରିନଥିବାରୁ ନଡ୍ଡାଙ୍କୁ ପୁନର୍ବାର ଅଧ୍ୟକ୍ଷ କରାଇବାକୁ ପଡିଲା । ନଡ୍ଡା ପୂର୍ବରୁ କେନ୍ଦ୍ରରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ । ଅଧ୍ୟକ୍ଷ ହେବା ପୂର୍ବରୁ ସେ ଜମ୍ମୁ-କାଶ୍ମୀର ଓ ୟୁପିର ପ୍ରଭାରୀ ମହାସଚିବ ରୂପେ କାର୍ଯ୍ୟ କରିଥିଲେ । ୨୦୧୦ରେ ସେ ରାଷ୍ଟ୍ରୀୟ ରାଜନୀତିକୁ ଆସିଥିଲେ । ତତ୍କାଳୀନ ପାର୍ଟି ଅଧ୍ୟକ୍ଷ ନିତିନ ଗଡକରୀ ତାଙ୍କୁ ଦଳର ସଚିବ ନିଯୁକ୍ତ କରିଥିଲେ । ନଡ୍ଡାଙ୍କ ଗୃହରାଜ୍ୟ ହିମାଚଳ ପ୍ରଦେଶରେ ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ବିଜେପିର ପରାଜୟ ଘଟିଥିଲା । ଏହି କାରଣରୁ ସଭାପତି ରୂପେ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଥିଲା । କିନ୍ତୁ ମଙ୍ଗଳବାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକରେ ତାଙ୍କ କାର୍ଯ୍ୟକାଳ ବୃଦ୍ଧି ସମ୍ପର୍କରେ ରାଜନାଥ ସିଂହ ଆଣିଥିବା ପ୍ରସ୍ତାବ ସର୍ବସମ୍ମତି କ୍ରମେ ଗୃହୀତ ହୋଇଛି । ବୈଠକ ଶେଷ ହେବା ପରେ ଅମିତ ଶାହ ଏ ସମ୍ବନ୍ଧରେ ଘୋଷଣା କରିବା ସହ ନଡ୍ଡାଙ୍କ ରିପୋର୍ଟ କାର୍ଡ ଉପସ୍ଥାପନ ପୂର୍ବକ କହିଛନ୍ତି, ନଡ୍ଡାଙ୍କ ନେତୃତ୍ୱରେ ୭୩ଟି ଉପନିର୍ବାଚନରେ ଦଳର ବିଜୟ ହୋଇଛି । ତା’ ଛଡା ୧.୩ ଲକ୍ଷ ବୁଥ୍ରେ ବିଜେପିର ସ୍ଥିତି ମଜବୁତ ହୋଇଛି ।