କେଜରୀଙ୍କୁ ହାଇକୋର୍ଟ ଝଟ୍କା
‘ଖୁଦା ମାଫ୍ ନହିଁ କରେଗା’ ମାମଲା
ଲକ୍ଷ୍ନୌ, ୧୭ା୧: ୮ ବର୍ଷର ଏକ ପୁରୁଣା ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜରୀୱାଲଙ୍କୁ ଏହ୍ଲାବାଦ୍ ହାଇକୋର୍ଟରୁ ମିଳିଛି ଝଟ୍କା । ସୁଲତାନପୁର କୋର୍ଟ ୨୦୧୪ରେ ଦେଇଥିବା ଆଦେଶକୁ କାଏମ୍ ରଖିଛନ୍ତି ହାଇକୋର୍ଟ । କେଜରୀୱାଲ ଏକ ଜନସଭାରେ ‘ଯେଉଁମାନେ କଂଗ୍ରେସକୁ ଭୋଟ୍ ଦେବେ, ମୋ ମତରେ ସେମାନେ ଦେଶ ସହ ଗଦ୍ଦାରୀ କରିବେ । ବିଜେପିକୁ ଭୋଟ୍ ଦେଉଥିବା ଲୋକଙ୍କୁ ଖୁଦା ମାଫ୍ କରିବେ ନାହିଁ’ ବୋଲି କହିଥିଲେ । ଏହା ବିରୋଧରେ ଜନ ପ୍ରତିନିଧି ଅଧିନିୟମ ୧୯୫୧ର ଧାରା ୧୨୫ ଅନୁଯାୟୀ ମାମଲା ରୁଜୁ ହୋଇଥିଲା । ଟ୍ରାଏଲ୍ କୋର୍ଟ କେଜରୀୱାଲଙ୍କୁ ସମନ ଜାରି କରିବାରୁ ସେ ସୁପ୍ରିମ୍କୋର୍ଟଙ୍କ ଆଶ୍ରୟ ନେଇଥିଲେ । ସୁପ୍ରିମ୍କୋର୍ଟ କିନ୍ତୁ ତାଙ୍କୁ ଟ୍ରାଏଲ୍ କୋର୍ଟକୁ ଯିବା ପାଇଁ ଆଦେଶ ଦେଲେ । ଟ୍ରାଏଲ୍ କୋର୍ଟ କେଜରୀୱାଲଙ୍କ ଆବେଦନକୁ ଖାରଜ କରିଦେବା ପରେ ସେ ସେସନ୍ସ କୋର୍ଟର ମଧ୍ୟ ଆଶ୍ରୟ ନେଇଥିଲେ । ଜଷ୍ଟିସ୍ ରାଜେଶ ସିଂହ ଚୌହାନଙ୍କ ଖଣ୍ଡପୀଠ କହିଛନ୍ତି, ‘ଖୁଦ୍’ ଶବ୍ଦର ପ୍ରୟୋଗ କଲେ କେତେକ ଭୋଟର ପ୍ରଭାବିତ ହେବେ ବୋଲି ଜାଣିଥିବା ସତ୍ତ୍ୱେ କେଜରୀୱାଲ ଭୋଟରଙ୍କୁ ଖୁଦାଙ୍କ ନାମରେ ଧମକାଇ ଥିବା ଭଳି ମନେ ହେଉଛି । ଦିଲ୍ଲୀ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମୁହଁରେ ଏଭଳି ଶବ୍ଦ ଶୋଭା ପାଉନାହିଁ । ତାଙ୍କର ଏହି କଥା ପଛରେ କିଛି ଅର୍ଥ ଲୁଚି ରହିଛି ।