ଦକ୍ଷିଣରୁ ବାଜିବ ଚତୁର୍ଥ ମୋର୍ଚ୍ଚା ବିଗୁଲ୍!

ହାଇଦ୍ରାବାଦ୍ (ଏଜେନ୍ସି): ୨ଠ୨୪ ଲୋକସଭା ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ଏବେ ନିଜ ହିସାବରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ତେବେ ଏହି ପ୍ରସ୍ତୁତି ପର୍ଯ୍ୟାୟରେ ଏକ ବଡ଼ ଖବର ରୀତିମତ ଆସିବାରେ ଲାଗିଛି । ଖବରଟି ହେଉଛି ବିଜେପି ବିରୋଧୀ ତୃତୀୟ ମୋର୍ଚ୍ଚାର ଗଠନ । ଏସବୁ ମଧ୍ୟରେ ତୃତୀୟ ମୋର୍ଚ୍ଚା ନୁହେଁ ବରଂ ବିଜେପି ବିରୋଧରେ ଚତୁର୍ଥ ମୋର୍ଚ୍ଚାର ଗଠନ ଭଳି ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାପ୍ତ ସୂଚନାନୁସାରେ ଏହି ଚତୁର୍ଥ ମୋର୍ଚ୍ଚାର ନେତୃତ୍ୱ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର) ନେଉଛନ୍ତି । ଆସନ୍ତା କାଲି ଅର୍ଥାତ୍ ବୁଧବାର ଦିନ କେସିଆର ତେଲେଙ୍ଗାନାରେ ଏକ ବିଶାଳ ରାଲି ତଥା ଜନଶୋଭାଯାତ୍ରାର ଆୟୋଜନ କରୁଥିବା ବେଳେ ଏଥିରେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ଏବଂ ଆମ୍ ଆଦ୍ମୀ ପାର୍ଟି ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ ଯୋଗଦେବେ ବୋଲି ଜଣାପଡ଼ିଛି ।
ଗୋଟିଏ ପଟେ ତୃତୀୟ ମୋର୍ଚ୍ଚା ଗଠନ ସମ୍ଭବ ହୋଇପାରୁନଥିବା ବେଳେ ଏବେ ଦକ୍ଷିଣରେ ଚତୁର୍ଥ ମୋର୍ଚ୍ଚାର ବିଗୁଲ୍ ବଜାଇବା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ସୂଚନା ମିଳିଛି । ତୃତୀୟ ମୋର୍ଚ୍ଚାର ନେତୃତ୍ୱ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ନେଉଥିବା ବେଳେ ଏବେ ସେ ସବୁ ଅଣବିଜେପି ଦଳଗୁଡ଼ିକୁ ଏକଜୁଟ୍ କରିବାରେ ଲାଗିଛନ୍ତି । ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ତୃତୀୟ ମୋର୍ଚ୍ଚାର ନେତୃତ୍ୱ ନେବାକୁ ଆଗଭର ରହିଛନ୍ତି । ତେବେ ମମତା, କଂଗ୍ରେସକୁ ଏଥିରୁ ଦୂରେଇ ରଖିବାକୁ ଚାହୁଁଥିବା ବେଳେ ନୀତିଶ କିନ୍ତୁ କଂଗ୍ରେସକୁ ସାଙ୍ଗରେ ନେବାକୁ ଚାହୁଁଛନ୍ତି । ଏପରିସ୍ଥିତିରେ ସାମାନ୍ୟ ତୃତୀୟ ମୋର୍ଚ୍ଚା ଗଠନ ନେଇ ସାମାନ୍ୟ ବିବାଦ ରହିଛି । ସୁତରାଂ କେସିଆରଙ୍କ ନେତୃତ୍ୱରେ ଚତୁର୍ଥ ମୋର୍ଚ୍ଚାର ଗଠନକୁ ନେଇ ମଧ୍ୟ ସାମାନ୍ୟ ସଂଶୟ ସୃଷ୍ଟି ହୋଇଛି ।
ବୁୂଧବାର ଆୟୋଜିତ ହେବାକୁ ଥିବା କେସିଆରଙ୍କ ଏହି ଜନସଭାରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେବେ । କେଜରିୱାଲ ଏବଂ ଅଖିଳେଶଙ୍କ ବ୍ୟତୀତ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍, କେରଳର ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ୍ ଏବଂ ଭାରତୀୟ କମୁ୍ୟନିଷ୍ଟ ପାର୍ଟିର ଡି ରାଜା ପ୍ରମୁଖ ସାମିଲ୍ ହେବାର କାର୍ଯ୍ୟକ୍ରମ ରହିଛି । ଏହି ଜନସଭାକୁ ରାଜନୈତିକ ଦୃଷ୍ଟିକୋଣରୁ ମଧ୍ୟ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ପ୍ରକାଶ, କେସିଆର୍ଙ୍କ ନେତୃତ୍ୱାଧୀନ ଦଳ ତେଲେଙ୍ଗାନା ରାଷ୍ଟ୍ର ସମିତି (ଟିଆର୍ଏସ୍) ନିଜ ନାମ ପରିବର୍ତ୍ତନ କରି ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ରଖିବା ପରେ ଏହା ଦଳର ପ୍ରଥମ ଜନସଭା । ଜନସଭା ପୂର୍ବରୁ କେସିଆର, ଅନ୍ୟ ନେତାମାନଙ୍କ ସହ ହାଇଦ୍ରାବାଦଠୁ ୨ଠଠ କିଲୋମିଟର ଦୂର ୟଦାଦ୍ରୀରେ ଭଗବାନ ଲକ୍ଷ୍ମୀ ନରସିମ୍ହ ସ୍ୱାମୀ ମନ୍ଦିରରେ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *