ଆୟକର ସ୍ଲାବ୍ରେ ହୋଇପାରେ ପରିବର୍ତ୍ତନ
ନୂଆଦିଲ୍ଲୀ (ଏଜେନ୍ସି): ଫେବ୍ରୁଆରୀ ପ୍ରଥମ ସପ୍ତାହରେ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଏଥିପାଇଁ ଦେଶବାସୀଙ୍କ ମଧ୍ୟରେ ବେଶ୍ ଆଶା ଆକାଂକ୍ଷା ଦେଖିବାକୁ ମିଳୁଛି । ମୁଖ୍ୟତଃ ଚଳିତ ବଜେଟ୍ରେ ଆୟକର ଏବଂ ଜିଏସ୍ଟି ସ୍ଲାବ୍ରେ ସରକାର ସାମାନ୍ୟ ଆଶ୍ୱସ୍ତି ଦେବା ନେଇ ଦେଶବାସୀ ଆଶାବାଦୀ ରହିଛନ୍ତି । ଏଭଳି ସ୍ଥିତିରେ ସରକାରୀସ୍ତରରୁ କିଛି ଗୁୂପ୍ତ ସୂଚନା ସାମ୍ନାକୁ ଆସିଛି । ଏଥିମଧ୍ୟରେ ଆୟକର କ୍ଷେତ୍ରରେ ସରକାର ଏକ ବଡ଼ ନିଷ୍ପତ୍ତି ନେଇପାରନ୍ତି ବୋଲି ମଧ୍ୟ ଜଣାପଡିଛି । ଦୁଇ ଦୁଇଟି ସରକାରୀ ସୂତ୍ରରୁ ମିଳିଥିବା ସୂଚନାକୁ ଆଧାର କରି ରଏଟର୍ସ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରାଯାଇଛି । ରଏଟର୍ସ ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର ଚଳିତ ଆର୍ଥିକ ବର୍ଷ ୨ଠ୨୩-୨୪ ପାଇଁ ପୂର୍ବ ଆୟକର ସ୍ଲାବ୍ରେ ବଡ଼ ଧରଣର ପରିବର୍ତ୍ତନ କରିପାରନ୍ତି । ବର୍ତ୍ତମାନ ସମୟରେ ଭାରତ ସରକାର ବାର୍ଷିକ ୨.୫ଲକ୍ଷରୁ ୫ଲକ୍ଷ ଆୟ ଉପରେ ୫% ଆୟକର ଲାଗୁ କରିଥିବା ବେଳେ ଚଳିତ ବଜେଟ୍ରେ ଏହାକୁ ୫ଲକ୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯିବା ସମ୍ଭାବନା ରହିଛି । ତେବେ ବାର୍ଷିକ ୫ ଲକ୍ଷରୁ ଊଦ୍ଧ୍ୱର୍ ସାଧାରଣ ଆୟକାରୀଙ୍କ କ୍ଷେତ୍ରରେ ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନର ସମ୍ଭାବନା ନଥିବା ପ୍ରଖ୍ୟାତ ଚାଟାର୍ଡ ଆକାଉଣ୍ଟାଣ୍ଟ ଆନନ୍ଦ ଜୈନ୍ କହିଛନ୍ତି ।
କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଫେବ୍ରୁଆରୀରେ ୨ଠ୨୩-୨୪ ଅର୍ଥବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ । ଯଦି ରିପୋର୍ଟ ମୁୂତାବକ ଆୟକର ସ୍ଲାବ୍ରେ ଭାରତ ସରକାର ପରିବର୍ତ୍ତନ କରନ୍ତି ତେବେ ଏହାର ସବୁଠୁ ଅଧିକ ଲାଭ ଚାକିରିଆ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ମିଳିବ । ତେବେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନଥିବାରୁ ଦେଶବାସୀ ସାମାନ୍ୟ ଆଶଙ୍କାରେ ମଧ୍ୟ ରହିଛନ୍ତି । ସୂଚନାଯୋଗ୍ୟ, ଗତ ୯ ବର୍ଷ ମଧ୍ୟରେ ଭାରତ ସରକାର ଆୟକର ସ୍ଲାବ୍ରେ କୌଣସି ପରିବର୍ତ୍ତନ କରିନାହାନ୍ତି । ଶେଷ ଥର ପାଇଁ ୨ଠ୧୪ରେ ସରକାର ଆୟକର ସ୍ଲାବ୍ରେ ପରିବର୍ତ୍ତନ କରିଥିଲେ ।