ବେକ କାଟିବି ପଛେ ସଂଘ ଅଫିସ୍ ଯିବିନି

ହୋସିଆରପୁର (ଏଜେନ୍ସି): ଭାରତ ଯୋଡ଼ୋ ଯାତ୍ରା କାଳରେ ରାହୁଲ ଗାନ୍ଧୀ, ପୁନର୍ବାର ବିଜେପି ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)କୁ ଟାର୍ଗେଟ୍ କରିବା ଦେଖିବାକୁ ମିଳିଛି । ହୋସିଆରପୁରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କରାଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ରାହୁଲ କହିଛନ୍ତି, ସେ କେବେ ହେଲେ ଆରଏସ୍ଏସ୍ କାର୍ଯ୍ୟାଳୟକୁ ଯାଇପାରିବେନି । ସେଠାକୁ ଯିବା ପାଇଁ ହେଲେ ତାଙ୍କୁ ଗଳା କାଟିବାକୁ ହେବ ।
ଗାନ୍ଧୀ ପରିବାରର ଅନ୍ୟତମ ବଂଶଜ (ଉତ୍ତରଦାୟାଦ) ବରୁଣ ଗାନ୍ଧୀଙ୍କ ସମ୍ପର୍କରେ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ରାହୁଲ ଏପରି କହିଥିଲେ । ରାହୁଲଙ୍କୁ କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ ଯେ, ବରୁଣ କ’ଣ ପୁନର୍ବାର କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିବେ କି? ଏହାର ଉତ୍ତରରେ ରାହୁଲ କହିଥିଲେ, ବରୁଣ ଏବେ ବିଜେପିର ଜଣେ ନାମକରା ନେତା । ସେ ବିଜେପି ଏବଂ ଆରଏସ୍ଏସ୍ର ଆଦର୍ଶରେ ପରିଚାଳିତ । କଂଗ୍ରେସରେ ସାମିଲ ହେବା ପାଇଁ ହେଲେ ପ୍ରଥମେ କଂଗ୍ରେସର ବିଚାରଧାରା ଏବଂ ଆଦର୍ଶକୁ ଗ୍ରହଣ କରିବାକୁ ହେବ । କିନ୍ତୁ ତାଙ୍କର (ରାହୁଲ ନିଜେ) ଏବଂ ବରୁଣଙ୍କ ମଧ୍ୟରେ ବିଚାରଧାରା ଏବଂ ଆଦର୍ଶକୁ ନେଇ ମତଭେଦ ରହିଆସିଛି । ବରୁଣ ସହଜରେ ଆରଏସ୍ଏସ୍ର କାର୍ଯ୍ୟାଳୟ ଯାଇପାରିବେ । ବରୁଣ ନିଜ ଇଚ୍ଛାରେ ବିଜେପି ଏବଂ ଆରଏସ୍ଏସ୍ର ନୀତି ଆଦର୍ଶକୁୂ ଗ୍ରହଣ କରିଛନ୍ତି । କିନ୍ତୁ ସେ (ରାହୁଲ ନିଜେ) ଏପରି କଦାପି କରିପାରିବେ ନାହିଁ । ଏମିତି କୌଣସି ଶକ୍ତି ବା ପରିସ୍ଥିତି ତାଙ୍କୁ କେବେ ହେଲେ ଆରଏସଏସ୍ ସହ ଆଖିରେ ଆଖି ମିଶାଇବାକୁ ବାଧ୍ୟ କରିପାରିବ ନାହିଁ । ଆର୍ଏସ୍ଏସ୍ ଅଫିସରେ ପାଦ ରଖିବା ଅପେକ୍ଷା ସେ ନିଜର ମୁଣ୍ଡକାଟ୍ କରିବାକୁ ପସନ୍ଦ କରିବେ ବୋଲି ରାହୁଲ କହିଛନ୍ତି ।
ରାହୁଲଙ୍କ କହିବାନୁସାରେ ବରୁଣ ଏବେ ବିଜେପିରେ ଅଛନ୍ତି । କିନ୍ତୁ ବିଜେପିର କେତେକ ନୀତିକୁ ସେ ମଧ୍ୟ ପସନ୍ଦ କରିପାରୁନାହାନ୍ତି । ଏସବୁ ସତ୍ତ୍ୱେ କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ସାମିଲ ହେବା ବରୁଣଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ତେବେ ବରୁଣଙ୍କୁ ସେ (ରାହୁଲ) ଆଲିଙ୍ଗନ କରିପାରିବେ, ତାଙ୍କ ପାଇଁ ଶୁଭକାମନା ବ୍ୟକ୍ତ କରିପାରିବେ କିନ୍ତୁ ବରୁଣଙ୍କ ଚିନ୍ତାଧାରାକୁ କଦାପି ଗ୍ରହଣ କରିପାରିବେ ନାହିଁ । ଏଥିସହ ରାହୁଲ ଗାନ୍ଧୀ ସାମ୍ବାଦିକ ସମ୍ମିଳନୀ ଅବକାଶରେ ଦେଶରେ ବଢ଼ୁଥିବା ବେରୋଜଗାରୀ ହାର ଓ ଦରବୃଦ୍ଧିକୁ ନେଇ ବିଜେପିକୁ ତୀବ୍ର ସମାଲୋଚନା ମଧ୍ୟ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *