ଜଜ୍ ନିଯୁକ୍ତିରେ ଭାଗୀଦାରି ଦାବି

ପ୍ରଧାନ ବିଚାରପତିଙ୍କୁ ଆଇନ ମନ୍ତ୍ରୀଙ୍କ ଚିଠି
ନୂଆଦିଲ୍ଲୀ, ୧୬ା୧: ବିଚାରପତି ଚୟନ ପ୍ରକ୍ରିୟା ନେଇ କେନ୍ଦ୍ର ସରକାର ଓ ନ୍ୟାୟପାଳିକା ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି । ଜଜ୍ ଚୟନ ପାଇଁ ଉଦ୍ଦିଷ୍ଟ କଲିଜିଅମ୍ ବ୍ୟବସ୍ଥାକୁ ସୁପ୍ରିମ୍କୋର୍ଟ ୨୫ ବର୍ଷ ପୂର୍ବେ ଆପଣାଇଥିଲେ । ଏହି ପ୍ରକ୍ରିୟା ଉପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଇତି ମଧ୍ୟରେ ଏକାଧିକବାର ଆପତ୍ତି କରାଗଲାଣି । ଏବେ କେନ୍ଦ୍ର ସରକାର ପ୍ରଧାନ ବିଚାରପତି ଡି.ୱାଇ.ଚନ୍ଦ୍ରଚୂଡଙ୍କୁ ଜଜ୍ ନିଯୁକ୍ତି ପ୍ରକ୍ରିୟାରେ ପାରଦର୍ଶିତା ଆଣିବା ଏବଂ ଉତ୍ତରଦାୟୀ ହେବା ପାଇଁ ସରକାରଙ୍କ ପ୍ରତିନିଧିଙ୍କୁ କଲେଜିଅମ୍ରେ ସାମିଲ କରିବାକୁ ପରାମର୍ଶ ଦିଆଯାଇଛି । କିଛି ଦିନ ପୂର୍ବେ ଲୋକସଭା ବାଚସ୍ପତି ଏବଂ ଉପରାଷ୍ଟ୍ରପତି ସମେତ ବିଭିନ୍ନ ସାମ୍ବିଧାନିକ ପଦରେ ଥିବା ବ୍ୟକ୍ତି କଲିଜିଅମ୍ ବ୍ୟବସ୍ଥାର ସମାଲୋଚନା କରିଥିଲେ । ପରିଶେଷରେ ଆଇନ ମନ୍ତ୍ରୀ କିରେନ ରିଜିଜୁ ପ୍ରଧାନ ବଚାରପତି (ସିଜେଆଇ)ଙ୍କୁ ପତ୍ର ଲେଖି କଲିଜିଅମ୍ରେ ସରକାରଙ୍କ ପ୍ରତିନିଧିଙ୍କୁ ରଖିବା ଲାଗି ପରାମର୍ଶ ଦେଇଛନ୍ତି । ଆଇନମନ୍ତ୍ରୀଙ୍କ ତାଙ୍କ ପତ୍ରରେ ଲେଖିଛନ୍ତି ଏବେ ଜଜ୍ ନିଯୁକ୍ତି ପାଇଁ ଉଦ୍ଦିଷ୍ଟ କଲିଜିଅମ୍ ବ୍ୟବସ୍ଥାରେ ସରକାର ସନ୍ତୁଷ୍ଟ ନୁହଁନ୍ତି । ସୁପ୍ରିମ୍କୋର୍ଟଙ୍କ କଲିଜିଅମ୍ରେ କେନ୍ଦ୍ର ସରକାରଙ୍କ ଓ ହାଇକୋର୍ଟ କଲିଜିଅମ୍ରେ ରାଜ୍ୟ ସରକାରଙ୍କ ପ୍ରତିନିଧିତ୍ୱ ରହିବା ଉଚିତ୍ । ଏହା ପାରିଦର୍ଶିତା ପାଇଁ ଜରୁରୀ । ଆଇନମନ୍ତ୍ରୀ କଲିଜିଅମ୍ ପରିବର୍ତ୍ତେ ରାଷ୍ଟ୍ରୀୟ ନ୍ୟାୟିକ ନିଯୁକ୍ତି ଆୟୋଗ (ନ୍ୟାସନାଲ୍ ଜୁଡିସିଆଲ୍ ଆପଏଣ୍ଟମେଣ୍ଟ୍ସ କମିଶନ ବା ଏନ୍ଜେଏସି) ବ୍ୟବସ୍ଥା ପ୍ରଚଳନ ସପକ୍ଷରେ ମତ ଦେଇଛନ୍ତି । ତାଙ୍କ ତର୍କ ହେଉଛି, ଜଜ୍ ନିଯୁକ୍ତିରେ ସରକାରଙ୍କ ଭୂମିକା ଖୁବ୍ ଗୁରୁତ୍ୱପୂର୍ଣ୍ଣ । କାରଣ କଲିଜିଅମ୍ର ସଦସ୍ୟ-ଜଜ୍ମାନଙ୍କ ପାଖରେ ସବୁ ରିପୋର୍ଟ ଓ ଜରୁରୀ ସୂଚନା ନ ଥାଏ, ଯାହା କେବଳ ସରକାରଙ୍କ ପାଖରେ ଥାଏ । କଲିଜିଅମ୍ ସୁପାରିସ କରୁଥିବା ସବୁ ନାମକୁ ମଞ୍ଜୁରୀ ଦିଆଯାଉନଥିବାରୁ ସରକାରଙ୍କୁ ଦୋଷ ଦେଇ ହେବ ନାହିଁ । କଲିଜିଅମ୍ ପଠାଇଥିବା ନାମ ଆଖିବୁଜି ଆପ୍ରୁଭ୍ କରିବା ସରକାରଙ୍କ କାମ ନୁହେଁ । ଅପରପକ୍ଷରେ ସୁପ୍ରିମ୍କୋର୍ଟର ଜଷ୍ଟିସ୍ ଏସ୍କେ କୌଉଲ ଓ ଜଷ୍ଟିସ୍ ଅଭୟ ଏସ୍ ଓକ୍କାଙ୍କ ନ୍ୟାୟପୀଠ କହିଛନ୍ତି ଯଦି ସରକାରଙ୍କର କଲିଜିଅମ୍ ଦ୍ୱାରା ସୁପାରିଶ କରାଯାଇଥିଲା କୌଣସି ନାମ ଉପରେ ଆପତ୍ତି ଥାଏ, ତାହା ସ୍ପଷ୍ଟ କରନ୍ତୁ । କିନ୍ତୁ ନାମ ତାଲିକାକୁ ଅଟକାଇ ରଖିବା ଠିକ୍ ନୁହେଁ । ଏହି ବିବାଦ ମଧ୍ୟରେ ସିଜେଆଇ ଚନ୍ଦ୍ରଚୂଡ କିଛି ଦିନ ପୂର୍ବେ କହିଥିଲେ ଯେ ସାମ୍ବିଧାନିକ ଗଣତନ୍ତ୍ରରେ କୌଣସି ସଂସ୍ଥା, ଏପରିକି କଲିଜିଅମ୍ ଶତପ୍ରତିଶତ ପର୍ଫେକ୍ଟ ନୁହେଁ ।
ନ୍ୟାୟପାଳିକାଙ୍କ ମତରେ ନ୍ୟାୟପାଳିକାଙ୍କ ମତରେ ସରକାର ପୁଣି ଥରେ ଜଜ୍ ନିଯୁକ୍ତିରେ ପରୋକ୍ଷରେ ହସ୍ତକ୍ଷେପ କରିବାକୁ ଚାହୁଁଛନ୍ତି । କଲିଜିଏମ୍ ପୂର୍ବରୁ ଏନ୍ଜେଏସ୍ସିରେ ସେପରି ବ୍ୟବସ୍ଥା ଥିଲା । ଏନ୍ଜେଏସ୍ସି ଅଧିନିୟମ ସଂସଦରେ ପାସ୍ ହୋଇଥିଲା । ଏହାର ଅଧ୍ୟକ୍ଷ ଥିଲେ ସୁପ୍ରିମ୍କୋର୍ଟର ପ୍ରଧାନବିଚାରପତି । ସଦସ୍ୟ ଥିଲେ ଦୁଇଜଣ ବରିଷ୍ଠ ବିଚାରପତି, କେନ୍ଦ୍ର ଆଇନ ମନ୍ତ୍ରୀ ଓ ଦୁଇଜଣ ବିଶିଷ୍ଟ ବ୍ୟକ୍ତି । ଏନ୍ଜେଏସିର ସଦସ୍ୟ ଚୟନ ଦାୟିତ୍ୱ ଥିଲା ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଉପରେ । କମିଟିରେ ବିରୋଧୀ ଦଳ ନେତା ଓ ପ୍ରଧାନବିଚାରପତିଙ୍କୁ ରଖା ଯାଇଥିଲା । କିନ୍ତୁ ପରେ ୨ଠ୧୫ ଅକ୍ଟୋବରରେ ସୁପ୍ରିମକୋର୍ଟର ୫ ଜଜ୍ଙ୍କୁ ନେଇ ଗଠିତ ପୀଠ ଏନ୍ଜେଏସିକୁ ଅସାମ୍ବିଧାନିକ କହି ରଦ୍ଦ କରି ଦେଇଥିଲେ ।
ଆଇନ ମନ୍ତ୍ରୀଙ୍କ ଚିଠି ଉପରେ କଂଗ୍ରେସ ପକ୍ଷରୁ ସୋମବାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ଦଳର ମହାସଚିବ ଜୟରାମ ରମେଶ ଟ୍ୱିଟ୍ କରି ଲେଖିଛନ୍ତି ଯେ, ନ୍ୟାୟପାଳିକା ଉପରେ ଉପରାଷ୍ଟ୍ରପତିଙ୍କ ଠାରୁ ଆରମ୍ଭ କରି ଆଇନ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ
ସମସ୍ତେ ଆକ୍ରମଣ କରୁଛନ୍ତି । ନ୍ୟାୟପାଳିକାକୁ କବ୍ଜା କରିନେବା ସରକାରଙ୍କ ଲକ୍ଷ୍ୟ । କଲିଜିଏମ୍ରେ ସଂସ୍କାର ଆବଶ୍ୟକ; କିନ୍ତୁ ସରକାର ନ୍ୟାୟପାଳିକା ଉପରେ ପୁର୍ଣ୍ଣ ଆଧିପତ୍ୟ ଚାହୁଁଛନ୍ତି, ଯାହାକି ନ୍ୟାୟପାଳିକାକୁ ବିଷ ବଟିକା ଖୁଆଇବା ସଙ୍ଗେ ସମାନ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *