ଏଲ୍ଜିଙ୍କ ବିରୋଧରେ ଆପ୍ର ପଦଯାତ୍ରା
ନୂଆଦିଲ୍ଲୀ (ଏଜେନ୍ସି): ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଶାସକ ଦଳ ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ୍, ସୋମବାର ପୁଣିଥରେ ଏଲ୍ଜି ଭିକେ ସକ୍ସେନାଙ୍କୁ ଟାର୍ଗେଟ୍ କରିଛନ୍ତି । ବିଧାନସଭା ଅଧିବେଶନ କାଳରେ ଦିଲ୍ଲୀର ସରକାରୀ ଶିକ୍ଷକମାନଙ୍କୁ ଫିନଲ୍ୟାଣ୍ଡ୍କୁ ତାଲିମ ପାଇଁ ପଠାଇବା ପ୍ରସଙ୍ଗ ଉଠାଇ ସେ, ଏଲ୍ଜିଙ୍କ ବିରୋଧରେ ବିଷୋଦ୍ଗାର କରିଛନ୍ତି । ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବକୁ ଏଲ୍ଜି ଖାରଜ କରିବାରୁ କେଜରିୱାଲ୍ ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି । ଦିଲ୍ଲୀର ଶିକ୍ଷକମାନଙ୍କୁ ତାଲିମ ଲାଗି ବିଦେଶ ପଠାଇବା ପାଇଁ ରାଜ୍ୟ ସରକାର ଚାହୁଁଥିବା ବେଳେ ଏଲ୍ଜି ଏଥିରେ ପ୍ରତିବନ୍ଧକ ସାଜୁଥିବା କେଜରିୱାଲ୍ କହିଛନ୍ତି । କେନ୍ଦ୍ର ବିଜେପି ନେତାଙ୍କ ନିଦେ୍ର୍ଦଶକ୍ରମେ ଏଲ୍ଜି ଏସବୁ କରୁଥିବା କେଜରିୱାଲ୍ ଖୁଲମ୍ଖୁଲ୍ଳା ଅଭିଯୋଗ କରିଛନ୍ତି ।
କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ କେଜରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ନେତୃତ୍ୱରେ ଆପ୍ ବିଧାୟକମାନେ ସୋମବାର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଘେରାଉ କରିବା ସହ ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରୁଥିବା ନେଇ ଏମାନେ ଅଭିଯୋଗ କରିଛନ୍ତି । ହାତରେ ପୋଷ୍ଟର-ବ୍ୟାନର ଥିବା ବିଧାୟକମାନେ ଏକାଠି ହୋଇ ନାରାବାଜି କରିଥିଲେ । ଫଳରେ ବିଧାନସଭା ଅଧିବେଶନକୁ ଦିନକ ପାଇଁ ମୁଲତବୀ ଘୋଷଣା କରାଯାଇଥିଲା । ଏହି ଅବସରରେ ଉପରାଜ୍ୟପାଳଙ୍କ ବିରୋଧରେ କେଜରିୱାଲ ଏବଂ ତାଙ୍କ ଦଳର ବିଧାୟକମାନେ ରାସ୍ତାରେ କଲେ ପ୍ରଦର୍ଶନ କରିବା ଦେଖିବାକୁ ମିଳିଥିଲା । ଉପରାଜ୍ୟପାଳଙ୍କ ବିରୋଧରେ ହିଟଲର ଶାସନ ଚଳିବ ନାହିଁ ସ୍ଲୋଗାନ ଦିଆଯାଇଥିଲା । ରାଜ୍ୟ ସରକାରଙ୍କୁ ସବୁ କ୍ଷେତ୍ରରେ ରୋକିବା ଉଦେ୍ଦଶ୍ୟରେ ଏଲ୍ଜି ଜାଣିଶୁଣି ବିବାଦ ସୃଷ୍ଟି କରୁଛନ୍ତି ବୋଲି କେଜରିୱାଲ୍ କହିଛନ୍ତି ।