ଆର୍ଭିଏମ୍କୁ ବିରୋଧୀଙ୍କ ନାପସନ୍ଦ
ନୂଆଦିଲ୍ଲୀ, ୧୬ା୧: ପ୍ରବାସୀ ଶ୍ରମିକମାନଙ୍କ ପାଇଁ ନିର୍ବାଚନ ଆୟୋଗ ରିମୋଟ୍ ଭୋଟିଂ ମେସିନ୍ (ଆର୍ଭିଏମ୍) ପ୍ରଚଳନ ପ୍ରସ୍ତାବ ଦେଇଥିଲେ ନିର୍ବାଚନ ଆୟୋଗ । ଏହାକୁ ବିଭିନ୍ନ ବିରୋଧୀ ଦଳ ବିରୋଧ କରିବାରୁ ଆୟୋଗଙ୍କ ପକ୍ଷରୁ ସୋମବାର କନ୍ଷ୍ଟିଚୁ୍ୟସନ୍ କ୍ଲବ୍ରେ ବିଭିନ୍ନ ଦଳର ପ୍ରତିନିଧିଙ୍କ ସମ୍ମୁଖରେ ଆର୍ଭିଏମ୍ ପ୍ରଦର୍ଶନ କରାଯାଇଛି । ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଆର୍ଭିଏମ୍ର ବିଶେଷତ୍ୱ ବର୍ଣ୍ଣନା କରିବା ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସମ୍ମୁଖରେ ଏହାର ପ୍ରଦର୍ଶନ କରାଯାଇଛି । ଆର୍ଭିଏମ୍ ଡେମୋ ଦେଖିବା ଲାଗି ଆୟୋଗ ୮ଟି ରାଷ୍ଟ୍ରୀୟ ଦଳ ଓ ୫୭ ଆଞ୍ଚଳିକ ଦଳର ପ୍ରତିନିଧିମାନଙ୍କୁ ଆମନ୍ତ୍ରଣ କରିଥିଲେ ।
ରାଷ୍ଟ୍ରାୟତ୍ତ କମ୍ପାନୀ ଇଲେକ୍ଟ୍ରନିକ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ ଦ୍ୱାରା ଆର୍ଭିଏମ୍ ବିକଶିତ କରାଯାଇଛି । ଏହି ରିମୋଟ୍ ଭୋଟିଂ ମେସିନ୍ ଚଳାଇବା ପାଇଁ ଇଣ୍ଟରନେଟ୍ ସଂଯୋଗ ଆବଶ୍ୟକ ହେବନାହିଁ । ଗତ ମାସରେ ନିର୍ବାଚନ ଆୟୋଗ କହିଥିଲେ, ଆର୍ଭିଏମ୍ ବ୍ୟବସ୍ଥା ଲାଗୁ କରାଗଲେ ଏକ ସାମାଜିକ ପରିବର୍ତ୍ତନ ଘଟିବ । ପ୍ରତ୍ୟେକ ଆର୍ଭିଏମ୍ ଜରିଆରେ ୭୨ଟି ନିର୍ବାଚନ ମଣ୍ଡଳରେ ରହୁଥିବା ପ୍ରବାସୀ ମତଦାତା ଭୋଟ୍ ଦେଇପାରିବେ ।
ଆର୍ଭିଏମ୍ର ଉପଯୋଗ ଲାଗି ଆନୁସଙ୍ଗିକ ଆଇନଗତ ସଂଶୋଧନ ଆଦି ପ୍ରସଙ୍ଗ ଉପରେ ଜାନୁଆରୀ ଶେଷ ସୁଦ୍ଧା ମତାମତ ଲିଖିତ ଆକାରରେ ଦେବା ଲାଗି ରାଜନୈତିକ ଦଳମାନଙ୍କୁ କୁହାଯାଇଛି । ଅଧିକାଂଶ ବିରୋଧୀ ଦଳ ଆର୍ଭିଏମ୍ ପ୍ରସ୍ତାବକୁ ବିରୋଧ କରିବା ଲାଗି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ କହିଛନ୍ତି, ଏହା ଏକ ଠୋସ୍ ପ୍ରସ୍ତାବ ନୁହେଁ; ବରଂ ଏକ ଢାଞ୍ଚା । ବିରୋଧୀ ଦଳଙ୍କ ଏକ ବୈଠକ ପରେ ଦିଗ୍ବିଜୟ ଏପରି ଟିପ୍ପଣୀ ଦେଇଛନ୍ତି । ବିରୋଧୀ ଦଳଙ୍କ ବୈଠକରେ ଜନତା ଦଳ (ୟୁନାଇଟେଡ), ଶିବସେନା, ଭାରତୀୟ କମୁ୍ୟନିଷ୍ଟ ପାର୍ଟି, ସିପିଆଇଏମ୍, ନ୍ୟାସନାଲ କନ୍ଫରେନ୍ସ, ଝାଡ଼ଖଣ୍ଡ, ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି), ବିଦୁଥଲାଈ ଚିରୁଥଈଗଲ କାଚୀ (ଭିସିକେ), ରିଭୋଲୁ୍ୟସନରୀ ସୋସଲିଷ୍ଟ ପାର୍ଟି, ଇଣ୍ଡିଆନ୍ ୟୁନିଅନ ମୁସ୍ଲିମ୍ ଲିଗ୍ ଆଦିର ନେତାଙ୍କମାନଙ୍କ ସମେତ ରାଜ୍ୟସଭାର ସ୍ୱାଧୀନ ସଦସ୍ୟ ଓ କଂଗ୍ରେସର ପୂର୍ବତନ ନେତା କପିଲ୍ ସିବଲ ଉପସ୍ଥିତ ଥିଲେ ।