୧୯ରୁ ଆରମ୍ଭ ହେବ କରୋନା ଟିକାକରଣ
ଭୁବନେଶ୍ୱର, ୧୬ା୧(ବୁ୍ୟରୋ): ରାଜ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି କରୋନା ଟିକାକରଣ । ଆସନ୍ତା ୧୯ ତାରିଖରୁ ଏହି ପ୍ରକ୍ରିୟା ଆରମ୍ଭ ହେବ । ପୂର୍ବ ଭଳି ନିର୍ଦ୍ଦିଷ୍ଟ ସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ କରୋନା ଟିକା ଉପଲବ୍ଧ ହେବ । ଦ୍ୱିତୀୟ ଓ ପ୍ରିକସନ୍ (ବୁଷ୍ଟର) ଡୋଜ୍ ନେଇନାହାନ୍ତି ସେଇମାନେ ହିଁ ଏହି ପର୍ଯ୍ୟାୟରେ ଟିକା ନେଇପାରିବେ । ଏହି ପର୍ଯ୍ୟାୟରେ କେବଳ କୋଭିଶିଲ୍ଡ ଟିକା ଉପଲବ୍ଧ ହେବ ।
ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ମାଧ୍ୟମରେ କରୋନା ଟିକାକରଣ ପୁନର୍ବାର ୧୯ରୁ ଆରମ୍ଭ ହେବା ସମ୍ପର୍କରେ ସୂଚନା ଦିଆଯାଇଛି । ସେଥିରେ କୁହାଯାଇଛି ସମସ୍ତ ସହରାଞ୍ଚଳ, ଗୋଷ୍ଠୀ ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକା ଦିଆଯିବ । ବର୍ତ୍ତମାନ ପାଇଁ ଏହିସବୁ କେନ୍ଦ୍ରରେ କେବଳ କୋଭିଶିଲ୍ଡ ଟିକା ମିଳିବ । ଯେଉଁମାନେ ବୁଷ୍ଟର ଡୋଜ୍ ନେଇନାହାନ୍ତି ସେମାନେ ବି କୋଭିଶିଲ୍ଡ ଟିକା ନେଇପାରିବେ ।
ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ଠ ପ୍ରତିଶତ ଲୋକ ବୁଷ୍ଟର ଡୋଜ୍ ନେଇନାହାନ୍ତି । ସେହିପରି ୧ଠ ପ୍ରତିଶତ ଲୋକ ଦ୍ୱିତୀୟ ଡୋଜ୍ ମଧ୍ୟ ନେଇନାହାନ୍ତି । ବର୍ତ୍ତମାନ ଓଡ଼ିଶାରେ କରୋନା ସ୍ଥିତି ଆଦୌ ଚିନ୍ତାଜନକ ନୁହେଁ । ରାଜ୍ୟରେ ଦୈନିକ ସଂକ୍ରମଣ ହାର ମାତ୍ର ୦.୦୪ ପ୍ରତିଶତ । ତେବେ ବିଦେଶରେ ବିଶେଷ କରି ପଡ଼ୋଶୀ ଚୀନ୍ରେ କରୋନା ସଂକ୍ରମଣ ଭୟଙ୍କର ଭାବେ ବଢୁଥିବା ଦୃଷ୍ଟିରୁ ଭାରତରେ ମାର୍ଚ୍ଚ ମାସ ବେଳକୁ ସଂକ୍ରମିତଙ୍କ ସଂଖ୍ୟା ବଢ଼ିପାରେ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ପାଇଁ ଏବେ ପୁନର୍ବାର ଟିକାକରଣ ପ୍ରକ୍ରିୟା ଆରମ୍ଭ କରାଯାଉଛି ।