କୁହୁଡ଼ି ପାଇଁ ୭ ଜିଲ୍ଲାକୁ ୱାର୍ଣ୍ଣିଂ
ଦୁଇ ଦିନ ବର୍ଷା, ବଦଳିବ ପାଗ
ଭୁବନେଶ୍ୱର, ୧୬ା୧ (ବୁ୍ୟରୋ): ଆସୁଛି ବର୍ଷା । ୧୭ ଓ ୧୮ ତାରିଖ ଦୁଇ ଦିନ କେତେକ ଜିଲ୍ଲାରେ ହାଲକା ବର୍ଷା ସମ୍ଭାବନା ରହିଥିବା ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ଏହାସହିତ ଦୁଇଦିନ ପାଇଁ ଘନ କୁହୁଡ଼ି ହେବ ଏବଂ ଏଥିପାଇଁ ୭ ଜିଲ୍ଲାକୁ ୨୪ ଘଣ୍ଟା ଲାଗି ୟେଲୋ ୱାର୍ଣ୍ଣିଂ ମଧ୍ୟ ଜାରି କରାଯାଇଛି ।
ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟର କେତେକ ଜିଲ୍ଲାରେ ହାଲୁକା ବର୍ଷା ହେବ । ମଙ୍ଗଳବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଢେଙ୍କାନାଳ ଏବଂ ଯାଜପୁର ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ୧୮ ତାରିଖରେ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଯାଜପୁର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହି ସମୟ ମଧ୍ୟରେ ଅନ୍ୟ ଜିଲ୍ଲାମାନଙ୍କରେ ଶୁଖିଲା ପାଗ ରହିବ ।
ଘନ କୁହୁଡ଼ି ନେଇ ୨୪ ଘଣ୍ଟା ଯାଏଁ ୭ ଜିଲ୍ଲାକୁ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଅନୁଗୁଳ, ଢେଙ୍କାନାଳ, କଟକ, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଏବଂ ଗଂଜାମ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି । ଏହି ସମୟରେ ୫୦ରୁ ୨୦୦ ମିଟର ଭିଜିବିଲିଟି ରହିପାରେ । ତେଣୁ ଯାତାୟାତ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି ।