୧% ଧନୀଙ୍କ ପାଖରେ ଦେଶର ୪ଠ% ସମ୍ପତ୍ତି
ଭାରତରେ ବଢ଼ୁଛି ଧନୀ-ଗରିବ ତାରତମ୍ୟ
ନୂଆଦିଲ୍ଲୀ/ ଡାଭୋସ୍ (ଏଜେନ୍ସି): ଭାରତର ସମୁଦାୟ ସମ୍ପଦର ୪ଠ%ରୁ ଅଧିକ ସମ୍ପତ୍ତି (୪ଠ.୫%) କେବଳ ଦେଶର ୧% ଧନୀଙ୍କ ପାଖରେ ରହିଛି । ଭାରତରେ ବଢ଼ୁଥିବା ଧନୀ-ଗରିବ ତାରତମ୍ୟ (ବଢ଼ୁଥିବା ଆର୍ଥିକ ବ୍ୟବଧାନ) ସମ୍ପର୍କୀତ ଏପ୍ରକାର ତଥ୍ୟ ଅକ୍ସଫାମ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ସ୍ପଷ୍ଟ ହୋଇଛି । ସେହିପରି ନିଜ ରିପୋର୍ଟରେ ଅକ୍ସଫାମ୍ ଏହା ମଧ୍ୟ ଦର୍ଶାଇଛି ଯେ, ଭାରତର ସମୁଦାୟ ଜନସଂଖ୍ୟାର ଅର୍ଦ୍ଧାଧିକ ଲୋକଙ୍କ ପାଖରେ ଦେଶର ମୋଟ୍ ସମ୍ପତ୍ତିର ମାତ୍ର ୩%ରୁ ମଧ୍ୟ କମ୍ ପରିମାଣର ସମ୍ପତ୍ତି ରହିଛି । ଏମାନଙ୍କୁ ଦାରିଦ୍ର୍ୟ ସୀମାରେଖା ତଳେ ରଖାଯାଇଛି । ସ୍ୱିଜରଲାଣ୍ଡର ଡୋଭାସ୍ ଠାରେ ଆୟୋଜିତ “ୱାର୍ଲ୍ଡ ଇକୋନୋମିକ୍ ଫୋରମ୍’ ବାର୍ଷିକ ଅଧିବେଶନର ପ୍ରଥମ ଦିନରେ ଅକ୍ସଫାମ୍ ଇଣ୍ଟରନ୍ୟାସନାଲ୍ ପକ୍ଷରୁ ଏହି ଗବେଷଣାମୂଳକ ବାର୍ଷିକ ଅସମାନତା ରିପୋର୍ଟକୁ ସାର୍ବଜନୀନ କରାଯାଇଛି । ଏଥିରେ ଭାରତର ମାତ୍ର ୧ଠଜଣ ଧନୀଙ୍କ ଉପରେ ଯଦି ମାତ୍ର ୫% ଟିକସ ଲାଗୁ କରାଯାଏ ତେବେ ଏହି ବାବଦ ଯେତିକି ଅର୍ଥ ରାଜସ୍ୱ ଭାବେ ମିଳିବ ସେଥିରେ ଦେଶର ପ୍ରତ୍ୟେକ ପିଲାଙ୍କୁ ସ୍କୁଲ୍ ଶିକ୍ଷା ସହଜରେ ଯୋଗାଇଦେଇହେବ ବୋଲି ଦର୍ଶାଯାଇଛି । ସେହିପରି ଯଦି ଏହି ଧନୀ କୁବେରଙ୍କ ଉପରେ ମାତ୍ର ୨% ଟିିକସ ଲାଗୁ କରାଯାଏ ତେବେ ଆଗାମୀ ୩ ବର୍ଷ ଯାଏ ଦେଶର କୁପୋଷଣ ଭଳି ସମସ୍ୟାକୁ ଦୂର କରିବା ପାଇଁ ଆବଶ୍ୟକ ୪ଠ,୪୨୩ କୋଟି ଟଙ୍କା ମିଳିପାରିବ ବୋଲି ଏହା ଦର୍ଶାଇଛି । ଏହି ଧାରାରେ ଦେଶରେ ପାଣ୍ଠି ଅଭାବ କାରଣରୁ ଯେଉଁ ସବୁ ମୌଳିକ ସୁବିଧା ସୁଯୋଗ ଯୋଗାଇବା ସମ୍ଭବ ହୋଇପାରୁନାହିଁ ସେସବୁର ନିରାକରଣ କରାଯାଇପାରିବ ।
ସିଧାଅର୍ଥରେ କହିଲେ ଦେଶର ଧନୀମାନଙ୍କ ସମ୍ପତ୍ତି ବଢ଼ି ଚାଲିଥିବା ବେଳେ ଗରିବ ଦିନକୁ ଦିନ ଆହୁରି ଗରିବ ହେବାରେ ଲାଗିଛନ୍ତି । ସାଧାରଣ ଲୋକ ଯେତେବେଳେ ନିଜ ପରିବାର ପ୍ରତିପୋଷଣ କରିବାକୁ ଅର୍ଥାତ୍ ଜୀବନ ବଞ୍ଚôବାକୁ ଅହରହ ସଂଘର୍ଷ କରୁଛନ୍ତି ସେତେବେଳେ ଦେଶର ମୋଟ ସମ୍ପତ୍ତିର ଅଧାରୁ ଅଧିକ କେବଳ କିଛି ହାତ ଗଣତି ଧନୀ ଲୋକଙ୍କ ପାଖରେ ରହିଛି । ଗରିବ ଲୋକ ନିଜ ପରିବାରକୁ ଦୁଇ ଓଳି ଦୁଇ ମୁଠା ଖାଇବାକୁ ଦେଇପାରୁନଥିବା ବେଳେ ଧନୀ ନିଜ ପୁଅ-ଝିଅଙ୍କ ବିବାହ ତଥା ସୌଖିନ୍ ଏବଂ ବିଳାଶମୟ ଜୀବନ ଜିଇଁବା ପାଇଁ ହଜାର ହଜାର କୋଟି ଖର୍ଚ୍ଚ କରିଦେଉଛନ୍ତି । ପ୍ରକାଶ, ଭାରତରେ ୧% ଧନୀ କହିଲେ ମୋଟ୍ ୨୧ ଧନ କୁବେରଙ୍କୁ ବୁଝାଯାଇଥାଏ । ୨୧ ଭାରତୀୟ କୋଟିପତିଙ୍କ ପାଖରେ ଯେତିକି ସମ୍ପତ୍ତି ରହିଛି, ତା’ଠାରୁ କମ୍ ସମ୍ପତ୍ତି ୭ଠଠ ନିୟୁତ (୭ଠ କୋଟି) ଭାରତୀୟଙ୍କ ପାଖରେ ଅଛି । ଏମାନଙ୍କ ମଧ୍ୟରେ ଅଦାନୀ, ଅମ୍ବାନୀ ଭଳି ବିଶିଷ୍ଟ ଧନୀ ବ୍ୟକ୍ତି ସାମିଲ ଅଛନ୍ତି । ସବୁଠୁ ବଡ଼ କଥା ହେଉଛି ଯେତେବେଳେ କରୋନା ମହାମାରୀରେ ଦେଶର ଗରିବ ଲୋକଟିଏ ଖାଇବାକୁ ହନ୍ତସନ୍ତ ହେଉଥିଲା ସେତେବେଳେ ଏହି ଧନ କୁବେରଙ୍କ ସମ୍ପତ୍ତି ହାରାହାରି ୧୨୧% (ଦୈନିକ ୩୬ଠ୮ କୋଟି) ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା । ଅକ୍ସଫାମ୍ ରିପୋର୍ଟ ସରଭାଇବଲ ଅଫ୍ ଦି ରିଚେଷ୍ଟ: ଦି ଇଣ୍ଡିଆନ ଷ୍ଟୋରି ଅନୁଯାୟୀ ୨ଠ୨୧ରେ ଦେଶର ମାତ୍ର ୫% ଧନୀଙ୍କ ପାଖରେ ଦେଶର ୬୨%ରୁ ଅଧିକ ସମ୍ପତ୍ତି ରହିଥିଲା । ସେହିପରି ୨ଠ୨ଠରେ ଭାରତରେ ଧନ କୁବେରଙ୍କ ସଂଖ୍ୟା ୧ଠ୨ ଥିବା ବେଳେ ୨ଠ୨୨ ସୁଦ୍ଧା ଏହି ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି । ସୂଚନାଯୋଗ୍ୟ, ଆଗକୁ ସାଧାରଣ ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ଯାଉଥିବା ବେଳେ ଅକ୍ସଫାମ୍ ଇଣ୍ଟରନ୍ୟାସନାଲ ପକ୍ଷରୁ ପ୍ରକାଶିତ ଏପ୍ରକାର ରିପୋର୍ଟ ସରକାରଙ୍କୁ ଗରିବ ଏବଂ ଧନୀଙ୍କ ଟିକସ ବାବଦରେ ଚିନ୍ତା କରିବାକୁ ବାଧ୍ୟ କରିବ ବୋଲି ଅନୁମାନ କରାଯାଉଛି । ଅକ୍ସଫାମ୍ ଇଣ୍ଡିଆ ସିଇଓ ଅମିତାଭ ବେହାର କହିଛନ୍ତି, ଗରିବ ଲୋକମାନେ ଆନୁପାତିକ ଦୃଷ୍ଟିରୁ ଅଧିକ ଟିକସ ଦେଉଛନ୍ତି ।