ମିଳିଲା ୬୮ ଶବ

ନେପାଳ ପ୍ଲେନ୍ କ୍ରାସ୍
କାଠମାଣ୍ଡୁ, ୧୫ା୧: ନେପାଳର ପୋଖରା ବିମାନବନ୍ଦରରେ ଆବତରଣର ୧୦ ସେକେଣ୍ଡ୍ ପୂର୍ବରୁ ୟେତି ଏୟାର୍ଲାଇନ୍ସର ୭୨ ସିଟର ବିମାନ ବୈଷୟିକ ତ୍ରୁଟି ଯୋଗୁଁ ଜଳିଯାଇଛି । ଏଥିରେ ୬୮ ଯାତ୍ରୀ ଓ ୪ କ୍ରୁ ମେମ୍ବର ଥିଲେ । ରବିବାର ସନ୍ଧ୍ୟା ସୁଦ୍ଧା ୬୮ ଶବ ଉଦ୍ଧାର କରାଯାଇଛି । ଅବଶିଷ୍ଟ ୪ ଜଣଙ୍କ ପତ୍ତା ମିଳିନାହିଁ । ପୂର୍ବାହ୍ନରୁ ଆରମ୍ଭ ହୋଇଥିବା ଉଦ୍ଧାର କାର୍ଯ୍ୟକୁ ସନ୍ଧ୍ୟାରେ ବନ୍ଦ ରଖାଯାଇଛି ।
୯ଏଏନ୍-ଏଏନ୍ସି ଏଟିଆର୍-୭୨ ବିମାନ ରବିବାର ପୂର୍ବାହ୍ନ ୧୦ଟା ୩୩ ମିନିଟ୍ରେ କାଠମାଣ୍ଡୁସ୍ଥିତ ତ୍ରିଭୁବନ ଏୟାର୍ପୋର୍ଟରୁ ଉଡାଣ ଭରିଥିଲା । କାଠମାଣ୍ଡୁଠାରୁ ୨୦୫ କିମି ଦୂର ପୋଖରାସ୍ଥିତ ପୁରୁଣା ଓ ନୂଆ ଏୟାର୍ପୋର୍ଟ ମଝିରେ ପ୍ରାୟ ୧୧ଟା ବେଳେ ତାହା ଦୁର୍ଘଟଣାଗ୍ରସ୍ତ ହୋଇ ଖସିପଡିଥିଲା । ବିମାନଟି ହଠାତ୍ ଅଣେଇ ହୋଇ ସେତୀ ନଦୀ କୂଳ ପାହାଡରେ ପିଟି ହୋଇଯିବାରୁ ସେଥିରେ ନିଆଁ ଲାଗିଯାଇଥିଲା । ପରିଶେଷରେ ତାହା ନଦୀ ପାଶ୍ୱର୍ବର୍ତ୍ତୀ ଖାଇରେ ଖସିପଡିଥିଲା । ଦୁର୍ଘଟଣାସ୍ଥଳରୁ ୨ ଜଣ ଯାତ୍ରୀ ଜୀବନ୍ତ ଅବସ୍ଥାରେ ଉଦ୍ଧାର ହୋଇଥିଲେ । କିନ୍ତୁ ପରେ ସେମାନଙ୍କର ମୃତୁ୍ୟ ଘଟିଥିବା ଖବର ମିଳିଛି । ସନ୍ଧ୍ୟା ସୁଦ୍ଧା ମାତ୍ର ୨୦ଟି ଶବ ଚିହ୍ନଟ କରାଯାଇଛି । ଚିହ୍ନଟ ହୋଇନଥିବା ଶବଗୁଡିକୁ ଡିଏନ୍ଏ ପରୀକ୍ଷଣ ପାଇଁ ହେଲିକପ୍ଟର ଯୋଗେ କାଠମାଣ୍ଡୁ ପଠାଯିବ ।
୪୨ ବର୍ଷର ପୁରୁଣା ଏହି ବିମାନରେ ଥିବା ୬୮ ଯାତ୍ରୀଙ୍କ ମଧ୍ୟରୁ ୫୩ ଜଣ ଥିଲେ ନେପାଳୀ, ୫ ଭାରତୀୟ, ୪ ରୁଷୀୟ, ଜଣେ ଆଇରିସ୍, ୨ ଜଣ କୋରିଆନ୍, ଜଣେ ଆଫଗାନୀ ଏବଂ ଜଣେ ଫ୍ରାନ୍ସର ନାଗରିକ । ଯାତ୍ରୀଙ୍କ ମଧ୍ୟରେ ୩ ଜଣ ନବଯାତ ଓ ୩ ଜଣ ଶିଶୁ ଥିବା ଜଣାପଡିଛି । ଦୁର୍ଘଟଣା ଘଟିବାର ଘଣ୍ଟାଏ ପରେ ଗଣମାଧ୍ୟମକୁ ଖବର ମିଳିଥିଲା ବୋଲି ସ୍ଥାନୀୟ ମିଡିଆ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।
ପୋଖରା ବିମାନବନ୍ଦର ୨ ସପ୍ତାହ ପୂର୍ବେ ପ୍ରଧାନମନ୍ତ୍ରୀ ପୁଷ୍ପ କମଳ ଦହଲ ପ୍ରଚଣ୍ଡଙ୍କ ଦ୍ୱାରା ଉଦ୍ଘାଟିତ ହୋଇଥିଲା । ତାହା ଚୀନ୍ର ବେଲ୍ଟ ଆଣ୍ଡ୍ ରୋଡ୍ ଇନିସିଏଟିଭ୍ (ବିଆର୍ଆଇ)ର ଅଂଶବିଶେଷ । ଏହି ବିମାନବନ୍ଦର ପାଇଁ ଚୀନ୍ ୨୨ ଶହ କୋଟି ଟଙ୍କା ଋଣ ଆକାରରେ ଦେଇଥିଲା । ନେପାଳରେ ଗତ ୭୭ ବର୍ଷ ଭିତରେ ୫୩ ଥର ବିମାନ ଦୁର୍ଘଟଣା ଘଟି ପ୍ରାୟ ୯୦୦ ଲୋକ ପ୍ରାଣ ହରାଇଛନ୍ତି । ପ୍ରଥମ ଦୁର୍ଘଟଣା ୧୯୪୬ରେ ଘଟିଥିଲା । ଦୁର୍ଗମ ପାର୍ବତ୍ୟ ଇଲାକା, ଖରାପ ପାଗ, ପୁରୁଣା ବିମାନ ଓ କମ୍ ଅଭିଜ୍ଞତା ଥିବା ପାଇଲଟ୍ଙ୍କ ଯୋଗୁଁ ଦୁର୍ଘଟଣା ଘଟୁଛି । ଖରାପ ଆଭିଏସନ୍ ରେକର୍ଡ ଯୋଗୁଁ ୨୮ ଦେଶରେ ନେପାଳୀ ବିମାନ ଉଡାଣ ଉପରେ ରୋକ୍ ଲାଗିଛି । ରବିବାର ଦୁର୍ଘଟଣାଗ୍ରସ୍ତ ବିମାନର ମଡେଲ୍ ପ୍ରଥମେ ୧୯୮୧ରେ ନିର୍ମିତ ହୋଇଥିଲା । ତା ପରଠୁ ୧୦୦ରୁ ଅଧିକ ଦେଶର ୨୦୦ ଏୟାର୍ଲାଇନ୍ରେ ଏହି ବିମାନକୁ ସାମିଲ କରାଯାଇଛି । ଫ୍ରାନ୍ସର ଏୟାର୍ ବସ୍ ଓ ଇଟାଲୀର ଲିଓନାର୍ଦୋ କମ୍ପାନୀ ମିଳିତଭାବେ ଏଟିଆର୍-୭୨-୫୦୦ ବିମାନ ନିର୍ମାଣ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *