ଭାରତ-ଇଂଲଣ୍ଡ ମ୍ୟାଚ୍ ଗୋଲ୍ଶୂନ୍ୟ ଡ୍ର’
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍
ରାଉରକେଲା, ୧୫ା୧ (ଆପ୍ର): ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ରବିବାର ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ପୁଲ୍-ଡି’ ମ୍ୟାଚ୍ ଗୋଲ୍ଶୂନ୍ୟ ଭାବେ ଡ୍ର’ ରହିଛି । ଏହା ଫଳରେ ଉଭୟ ଟିମ୍ ୧ ପଏଣ୍ଟ ଲେଖାଏଁ ପାଇଛନ୍ତି । ଉଭୟ ମୋଟ୍ ୪ ପଏଣ୍ଟ ପାଇଥିଲେହେଁ ଗୋଲ୍ ବ୍ୟବଧାନ ଆଧାରରେ ଇଂଲଣ୍ଡ ପୁଲ୍ରେ ଶୀର୍ଷରେ ଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ୨୦ ହଜାରରୁ ଅଧିକ ଦର୍ଶକ ମ୍ୟାଚ୍ ଦେଖିବା ଲାଗି ଷ୍ଟାଡିୟମ୍ରେ ଉପସ୍ଥିତ ଥିଲେ । ୧୯ରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ରେ ଭାରତ ନିଜ ଶେଷ ପୁଲ୍ ମ୍ୟାଚ୍ରେ ୱେଲ୍ସ ଓ ଇଂଲଣ୍ଡ ଟିମ୍ ସ୍ପେନ୍କୁ ଭେଟିବ । ବିଶ୍ୱ ମାନ୍ୟତାରେ ଇଂଲଣ୍ଡ ପଞ୍ଚମ ସ୍ଥାନରେ ଥିବା ବେଳେ ଭାରତ ଷଷ୍ଠ ସ୍ଥାନରେ ରହିଛି । ବିଶ୍ୱକପ୍ରେ ଭାରତ ୨-୦ରେ ସ୍ପେନ୍କୁ ହରାଇ ଅଭିଯାନ ଆରମ୍ଭ କରିଥିବା ବେଳେ ଇଂଲଣ୍ଡ ନିଜ ପ୍ରଥମ ମ୍ୟାଚ୍ରେ ୫-୦ରେ ୱେଲ୍ସକୁ ହରାଇଥିଲା । ଶେଷ ଥର ବର୍ମିଂହାମ୍ ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚ୍ ୪-୪ରେ ଅମୀମାଂସିତ ରହିଥିଲା । ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍ରେ ଉଭୟ ଭାରତ ଓ ଇଂଲଣ୍ଡ ଟିମ୍ ଆକ୍ରମଣାତ୍ମକ ଭଙ୍ଗୀରେ ଖେଳ ଆରମ୍ଭ କରିଥିଲେ । କିନ୍ତୁ ଶେଷ ଯାଏଁ ଡେଡ୍ଲକ୍ ଭାଙ୍ଗି ନ ଥିଲା । ଶେଷ ମିନିଟ୍ରେ ଇଂଲଣ୍ଡକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା । ଏହାସତ୍ତ୍ୱେ ଇଂଲଣ୍ଡ ଗୋଲ୍ କରିବାରେ ସଫଳ ହୋଇ ନ ଥିଲା । ସୁରେନ୍ଦ୍ର କୁମାର ଏହି ବିପଦକୁ ଏଡ଼ାଇ ଦେଇଥିଲେ । ମ୍ୟାଚ୍ରେ ଭାରତର ଦୁଇ ଜଣ ଓ ଇଂଲଣ୍ଡର ଜଣେ ଖେଳାଳିଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା ।