ରାହୁଲଙ୍କଠାରୁ କେଜରୀଙ୍କ ସ୍କୋର୍ ଅଧିକ

୨ଠ୨୪ରେ ମୋଦିଙ୍କ ବିକଳ୍ପ ସର୍ଭେ
ନୂଆଦିଲ୍ଲୀ, ୧୫ା୧: ନିକଟରେ ହୋଇଥିବା ଏକ ନିର୍ବାଚନୀ ସର୍ଭେର ରିପୋର୍ଟ ରାଜନୈତିକ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି । ସର୍ଭେ ରିପୋର୍ଟରେ କୁହାଯାଇଛି, ୨୦୨୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ବିପକ୍ଷରେ ସବୁ ବିରୋଧୀ ଦଳର ସମ୍ଭାବ୍ୟ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଯିଏ ହୁଅନ୍ତୁ ନା କାହିଁକି, ସେ ହାରିବା ସୁନିଶ୍ଚିତ । ତେବେ ରାହୁଲ ଗାନ୍ଧୀଙ୍କ ତୁଳନାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ରାଷ୍ଟ୍ରୀୟ ଆବାହକ ଅରବିନ୍ଦ କେଜରୀୱାଲ ଏହି ସର୍ଭେରେ କିଛି ଅଧିକ ସ୍କୋର୍ କରିଛନ୍ତି ।
ସର୍ଭେ ରିପୋର୍ଟ ଏପରି ସମୟରେ ପ୍ରକାଶ ପାଇଛି ଯେତେବେଳେ କି ଭାରତ ଯୋଡ ଯାତ୍ରା ଯୋଗୁଁ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତି ବଢିଛି ବୋଲି ସମସ୍ତେ ଅନୁଭବ କରୁଛନ୍ତି । ଲମ୍ବା ଦାଢି ରଖି, ଖଣ୍ଡିଏ ଟି ସାର୍ଟ ପିନ୍ଧି ହାଡଭଙ୍ଗା ଶୀତରେ ଦିନକୁ ୨୦ କିମି ଯାତ୍ରା କରୁଥିବା ରାହୁଲଙ୍କର ଅନେକ ନୂଆ ପ୍ରଶଂସକ ସୃଷ୍ଟି ହୋଇଛନ୍ତି । କିନ୍ତୁ ସମାଲୋଚକମାନଙ୍କ ମତରେ ଏହି ପଦଯାତ୍ରା ଏପର୍ଯ୍ୟନ୍ତ ନିର୍ବାଚନରେ ରାହୁଲଙ୍କ ପାଇଁ ଲାଭଦାୟକ ହୋଇନାହିଁ । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲ ଅନୁପସ୍ଥିତ ଥିଲେ । ଏହା ଏକମାତ୍ର ରାଜ୍ୟ ଯେଉଁଠି ନିକଟରେ କଂଗ୍ରେସ ଜିତିଛି । ସର୍ଭେ ରିପୋର୍ଟ ଅନୁଯାୟୀ ଭାରତ ଯୋଡ ଯାତ୍ରା ଯୋଗୁଁ ବିଜେପିର କୋର୍ ଭୋଟ୍ ବ୍ୟାଙ୍କ୍ କୌଣସିମତେ ପ୍ରଭାବିତ ହୋଇନାହିଁ ।
ବିରୋଧୀ ଦଳମାନେ ଚାହୁଁଛନ୍ତି କଂଗ୍ରେସ ମିଳିତ ମେଣ୍ଟରେ ରହୁ । ଅପରପକ୍ଷେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କଂଗ୍ରେସକୁ ଛାଡି ଅଣବିଜେପି ଦଳମାନଙ୍କ ମେଣ୍ଟ ଗଠନ ଉଦ୍ୟମ ଚଳାଇଥିବାବେଳେ ନୀତୀଶ କୁମାର ‘ଆମେ ଏକ ମୁଖ୍ୟ ସାମ୍ମୁଖ୍ୟ ଚାହୁଁଛୁ, ତୃତୀୟ ସାମ୍ମୁଖ୍ୟ ନୁହେଁ’ କହି ରାଓଙ୍କ ପ୍ରସ୍ତାବିତ ମେଣ୍ଟଠାରୁ ଦୂରେଇ ଯାଇଛନ୍ତି । ଏକଥା ସତ ଯେ ରାହୁଲଙ୍କ ତଥାକଥିତ ଭାବମୂର୍ତ୍ତି ନିର୍ମାଣ ଯାତ୍ରାରୁ ଅଧିକାଂଶ ବରିଷ୍ଠ ବିରୋଧୀ ନେତା ଏପର୍ଯ୍ୟନ୍ତ ଦୂରତା ବଜାୟ ରଖିଆସିଛନ୍ତି ।
ଏପରିକି ତେଜସ୍ୱୀ ଯାଦବ, ଉଦ୍ଧାବ ଠାକ୍ରେ, ଶରଦ ପାୱାର ଓ ହେମନ୍ତ ସୋରେନ୍ଙ୍କ ଭଳି ନିକଟତମ ସହଯୋଗୀମାନେ ମଧ୍ୟ ସେମାନଙ୍କ ଜୁନିୟରମାନଙ୍କୁ ଭାରତ ଯୋଡ ଯାତ୍ରାକୁ ପଠାଇଛନ୍ତି ସିନା ନିଜେ ଯାଇନାହାନ୍ତି । ଅଖିଳେଶ ଯାଦବ, ଦେବେଗୌଡା, ମାୟାବତୀ ଓ ଅରବିନ୍ଦ କେଜରୀୱାଲ ମଧ୍ୟ ରାହୁଲଙ୍କ ଯାତ୍ରାରେ ସାମିଲ ହୋଇନାହାନ୍ତି ଯଦିଓ କଂଗ୍ରେସ ପକ୍ଷରୁ ୨୧ ବିରୋଧୀ ଦଳଙ୍କୁ ଜାନୁଆରୀ ୩୦ ସଭାରେ ଯୋଗଦେବା ଲାଗି ଆମନ୍ତ୍ରଣ କରାଯାଇଛି ।
କଂଗ୍ରେସ ୨୦୨୪ ନିର୍ବାଚନରେ ରାହୁଲ ଗାନ୍ଧୀଙ୍କୁ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଇବା ଉପରେ ଜୋର୍ ଦେଲେ ବିରୋଧୀ ଏକତା ଉଦ୍ୟମ ଫସର ଫାଟିବା ବିଚିତ୍ର ନୁହେଁ । ଟିଏମ୍ସିର ଡେରେକ୍ ଓ’ବ୍ରାଏନ୍ ତ ପୂର୍ବରୁ ଏକ ‘ଫେସ୍ଲେସ୍ ଫ୍ରଣ୍ଟ୍’ ପ୍ରସ୍ତାବ ଦେଇଛନ୍ତି । ଅର୍ଥାତ୍ ଟିଏମ୍ସି ଚାହୁଁଛି ନେତାବିହୀନ ମେଣ୍ଟ ଯାହାର ବିଭିନ୍ନ ନେତା ଭିନ୍ନ ଭିନ୍ନ ରାଜ୍ୟରେ ମୋଦିଙ୍କ ମୁକାବିଲା କରିପାରିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *