ମାଟିରେ ମିଶିଲା ଇଂରେଜ ଅମଳ ରେଳବାଇ କୋଠା

ଶ୍ରୀକ୍ଷେତ୍ର ରେଳ ଷ୍ଟେସନ ହେବ ବିଶ୍ୱସ୍ତରୀୟ
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେବ ବିଶ୍ୱସ୍ତରୀୟ ଐତିହ୍ୟନଗରୀ । ସେଥିଲାଗି ରାଜ୍ୟ ସରକାର ପୁରୀରେ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏପରିକି ଅନେକ ଯୋଜନା କାର୍ଯ୍ୟ ଜାରି ରହିଛି । କିଛି ଯୋଜନା ପ୍ରାୟ ଶେଷ ହେବାକୁ ପହଞ୍ଚିଥିବା ବେଳେ ଅନ୍ୟ କେତେକ ପ୍ରକଳ୍ପ ନିର୍ମାଣ ଚାଲିଛି । ଏହାରି ମଧ୍ୟରେ ଶ୍ରୀକ୍ଷେତ୍ର ରେଳଷ୍ଟେସନ ମଧ୍ୟ ହେବ ବିଶ୍ୱସ୍ତରୀୟ । ସେଥିଲାଗି କେନ୍ଦ୍ର ସରକାର ଯୋଜନା କରିଛନ୍ତି । ଖୋଦ୍ ରେଳମନ୍ତ୍ରୀ ପୁରୀ ଗସ୍ତରେ ଆସି ରେଲ୍ୱେ ଷ୍ଟେସନ ପରିସରକୁ କିଭଳି ନିର୍ମାଣ କରାଯିବ ସେ ନେଇ ବୁଲି ଦେଖି ଫେରି ଯାଇଥିଲେ । ଏବେ କାର୍ଯ୍ୟ ଆରମ୍ଭ ହୋଇଛି । ପୁରୀ ଏକ ଧାର୍ମିକ ସହର । ଏଠାରେ ୧୨ମାସରେ ୧୩ ପର୍ବ ପାଳନ ହୋଇଥାଏ । ମହାପ୍ରଭୁଙ୍କ ଆଶିଷ ନେବା ଲାଗି ଦେଶବିଦେଶରୁ ଭକ୍ତଙ୍କ ସୁଅ ଛୁଟିଥାଏ । ସେଥିଲାଗି ସଦାସର୍ବଦା ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଫଳରେ ଲକ୍ଷାଧିକ ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଇଂରେଜ ଅମଳର କୋଠାକୁ ଭଙ୍ଗାଯାଇ ନୂତନ ଶୈଳୀରେ କୋଠା ନିର୍ମାଣ କରାଯିବ । ସେଥିପାଇଁ ୩୯୨କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଠାରେ ତିନି ମହଲା କୋଠା ନିର୍ମାଣ କରାଯିବ । ଏହା ମଧ୍ୟରେ ଯାତ୍ରୀମାନଙ୍କ ରହିବାଠାରୁ ଆରମ୍ଭ କରି ଗମନାଗମନ, ଖାଦ୍ୟ ଖାଇପାରିବେ ।
ଅନ୍ୟପକ୍ଷରେ ଯାତ୍ରୀମାନଙ୍କ ଲାଗି ଉନ୍ନତମାନର ଟିକେଟ ଗୃହ, ଜିନିଷ ନେବାଲାଗି ଆଧୁନିକ ଯନ୍ତ୍ରଚାଳିତ ମେସିନ ସମତେ ଅନ୍ୟାନ୍ୟ ସୁବିଧା କରାଯିବ । ପୁରୀରେ ଥିବା ଇଂରେଜ ଅମଳର କୋଠାକୁ ଭାଙ୍ଗିବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ଜୋର୍ ଧରିଛି । ଏପରି କୋଠା ଆଉ ଦେଖିବାକୁ ମିଳିବ ନାହିଁ । ଯେଭଳି ଶ୍ରୀମନ୍ଦିର ଚତୁଃପାଶ୍ୱର୍ ଉଚ୍ଛେଦ ସମୟରେ ପୂର୍ବରୁ ନିର୍ମାଣ ହୋଇଥିବା ବିଭିନ୍ନ ମଠର କୋଠା ଶୈଳୀ ଭାଙ୍ଗି ଚୁର୍ମାର ହୋଇଯାଇଛି । ତାହାକୁ ଆଉ ଦେଖିବାକୁ ମିଳୁନାହିଁ । ସେହିପରି ରେଲ୍ୱେ ଷ୍ଟେସନର ପ୍ରବେଶ ପଥ କୋଠାଟି ଅତ୍ୟନ୍ତ ସୁନ୍ଦର ଦେଖାଯାଉଥିଲା । ଏବେ ତାହା ମାଟିରେ ମିଶିଯାଇଛି । ବିଳମ୍ବିତ ରାତିରେ ଉକ୍ତ କୋଠାକୁ ଭାଙ୍ଗି ଦିଆଯାଇଛି । ସକାଳୁ ସକାଳୁ ଲୋକେ ଦେଖିଲାବେଳକୁ ଆଉ ସେହି କୋଠା ନାହିଁ । ରେଲ୍ୱେ ଷ୍ଟେସନ ସହ ରେଲ୍ୱେର ଅନ୍ୟାନ୍ୟ କୋଠା ମଧ୍ୟ ନିର୍ମାଣ କରାଯିବ ବୋଲି ଯୋଜନା କରାଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *