ଟି-ବ୍ରିଜ୍ରେ ଦଳାଚକଟା

ବାଙ୍କୀ/ନରସିଂହପୁର/କଟକ, ୧୪ା୧(ଆପ୍ର): ଶୁକ୍ରବାର ମକର ମେଳା ପାଇଁ ନୃସିଂହନାଥ ପୀଠକୁ ସଂଯୋଗ କରୁଥିବା ଟି-ବ୍ରିଜ୍ରେ ଆଶାତିତଭାବେ ଶ୍ରଦ୍ଧାଳୁଙ୍କ ଭିଡ ବଢିବା ଯୋଗୁଁ ଦଳାଚକଟା ଘଟି ଜଣେ ମହିଳା ମୃତୁ୍ୟ ହୋଇଛି । ପ୍ରାୟ ୨୦ ଜଣ ଶ୍ରଦ୍ଧାଳୁ ଗୁରୁତରଭାବେ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪ ମହିଳା ଓ ୩ ଶିଶୁ ଅନ୍ତର୍ଭୁକ୍ତ । ସଂକଟାପନ୍ନ ଅବସ୍ଥାରେ ଥିବା ୪ ଜଣଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ମୃତ ମହିଳା ବଡ଼ମ୍ବା ଭୀମସାହି ଆଇଁଶିଆ ଗାଁର ଅଞ୍ଜନା ସ୍ୱାଇଁ (୪୫) ବୋଲି ଜଣାପଡ଼ିଛି । ପ୍ରତିବର୍ଷ ସିଂହନାଥ ପୀଠରେ ମକରମେଳା ଅନୁଷ୍ଠିତ ହୋଇଥାଏ । ଏ ବର୍ଷ ପୀଠରେ ପ୍ରାୟ ଦୁଇ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ବୈଦେଶ୍ୱର ଓ ଗୋପୀନାଥକୁ ସଂଯୋଗ କରୁଥିବା ଟି-ବ୍ରିଜ୍ ଯୋଗେ ସିଂହନାଥ ପୀଠକୁ ସୁବିଧାରେ ପହଞ୍ଚô ହେଉଥିବାରୁ ବ୍ରିଜ୍ ଉପରେ ଅସମ୍ଭବ ଭିଡ ହୋଇଥିଲା । ବ୍ରିଜର ଗୋଟିଏ ପାଶ୍ୱର୍ରେ ଲୋକେ ଚାଲି ଚାଲି ଯା’ଆସ କରୁଥିବା ବେଳେ ଅନ୍ୟପଟେ ଗାଡ଼ିମୋଟର ଯାତାୟାତ କରୁଥିଲା ।
ହେଲେ ଆବଶ୍ୟକ ପୁଲିସ୍ ଓ ଟ୍ରାଫିକ୍ ବ୍ୟବସ୍ଥା ନ ଥିବାରୁ ଅପରାହ୍ଣରେ ହଠାତ୍ ବ୍ରିଜ୍ ଜାମ୍ ହୋଇଯିବାରୁ ଦଳାଚକଟା ହୋଇଥିଲା । ଦଳାଚକଟାରୁ ବର୍ତ୍ତିବା ପାଇଁ କିଛି ଲୋକ ପୋଲ ତଳକୁ ଡେଇଁ ପଡ଼ିଥିଲେ । ଦଳାଚକଟା ବେଳେ ବ୍ରିଜ୍ ଉପରେ ୫୦ ହଜାରରୁ ଅଧିକ ଲୋକ ଥିବା କୁହାଯାଉଛି । ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ କହିଛନ୍ତି, ସିଂହନାଥ ପୀଠରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ହୋଇଥିଲା । ୩ କିଲୋମିଟର ଲମ୍ବା ବ୍ରିଜ୍ରେ ହଠାତ୍ ଲୋକଙ୍କ ଭିଡ଼ ହେବାରୁ ଦଳାଚକଟା ହୋଇଥିଲା । ଭିଡ଼ ଯୋଗୁ କିଛି ଲୋକ ଅଣନିଃଶ୍ୱାସୀ ହୋଇଯାଇଥିଲେ । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ବି ଥିଲେ । ୮ ଜଣ ଆହତଙ୍କୁ ବଡମ୍ବା ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ପଠାଯାଇଛି । ଡାକ୍ତରଖାନାରେ ସ୍ଥିତି ନିରୀକ୍ଷଣ ନିମନ୍ତେ ପ୍ରଶାସନ ପକ୍ଷରୁ ଜଣେ ଅଫିସରଙ୍କୁ ନିୟୋଜିତ କରାଯାଇଛି । ସିଂହନାଥ ପୀଠରେ ଏତେ ବଡ଼ ମେଳା ହେଉଥିଲେହେଁ ବଡ଼ମ୍ବା ଡାକ୍ତରଖାନାରେ ମାତ୍ର ଜଣେ ଡାକ୍ତର ଥିଲେ । କୌଣସି ସ୍ଥାନରେ ଆଶୁ ଚିକିତ୍ସା କେନ୍ଦ୍ର ମଧ୍ୟ ଖୋଲାଯାଇ ନ ଥିଲା । ତେଣୁ ଡାକ୍ତରଖାନାରେ ପହଞ୍ଚୁଥିବା ଆହତଙ୍କ ଚିକିତ୍ସାରେ ଗୁରୁତର ଅବହେଳା ହୋଇଥିଲା । ଟି-ବ୍ରିଜ୍ ଦଳାଚକଟା ନେଇ ପ୍ରଶାସନ ଉପରେ ଅଙ୍ଗୁଳି ଉଠିଛି । ପୁଲିସ ଏବଂ ପ୍ରଶାସନକୁ ଦୋଷ ଦେଇଛନ୍ତି ଜନସାଧାରଣ । ଦୁଇ ଲକ୍ଷ ଲୋକଙ୍କ ଭିଡ଼ ନିୟନ୍ତ୍ରଣ ପାଇଁ ମାତ୍ର ୩ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଥିଲେ । ଜନସମାଗମ ଆକଳନ ପ୍ରତି ପ୍ରଶାସନର ନଜରଅନ୍ଦାଜ ଯୋଗୁଁ ଅଘଟଣ ଘଟିଥିବା ସ୍ପଷ୍ଟ ହୋଇଛି ।
ସୂଚନାଯୋଗ୍ୟ, ନଦୀ ଶଯ୍ୟାରେ ଅବସ୍ଥିତ ସିଂହନାଥ ପୀଠକୁ ପହଞ୍ଚିବା ପାଇଁ ବ୍ରିଜ୍ ତଳେ ଉଭୟ ପାଶ୍ୱର୍ରୁ ପ୍ରାୟ ୪ କି.ମି.ର ଚଲା ବାଟ ଥିଲା । ଏହାକୁ ବନ୍ଦ କରି ଦିଆଯାଇଛି ।

 

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *