୪୬ ବର୍ଷ ପରେ ଚିଲିକା ତୀରେ
ପୁରୀ (ବୁ୍ୟରୋ): ୧୯୭୭ ମସିହା ମକର ସଂକ୍ରାନ୍ତି ଦିନ ପୁରୀରୁ ପ୍ରାୟୋଜିତ ଜାତୀୟ ଚଳଚ୍ଚିତ୍ର ପୁରସ୍କାରପ୍ରାପ୍ତ ଚିଲିକତୀରେର ମହୁରତ କାଲିଯାଇଠାରେ ହୋଇଥିଲା । ଦୀର୍ଘ ୪୬ ବର୍ଷ ପରେ ପୁରୀରେ ଆଜି ଏହାର ପୁନଃ ପ୍ରଦର୍ଶନ ଆମ ପାଇଁ ଗର୍ବ ଓ ସ୍ମୃତିର ସନ୍ତକ ବହନ କରୁଛି ବୋଲି ରାଜ୍ୟ ଯୋଜନା ବୋର୍ଡର ପୂର୍ବତନ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ମତବ୍ୟକ୍ତ କରିଛନ୍ତି । ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାର ଓ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍ ପକ୍ଷରୁ ପୁରୀ ପୌର ସଦନଠାରେ ଆୟୋଜିତ ଚିଲିକା ତୀରେ ଚଳଚ୍ଚିତ୍ରର ସ୍ୱତନ୍ତ୍ର ପ୍ରଦର୍ଶନ ଉତ୍ସବରେ ଯୋଗଦେଇ ଶ୍ରୀ ଦାସବର୍ମା କହିଲେ ଯେ ସଂସ୍କୃତି, ବିଦ୍ରୋହ ଓ ବିପ୍ଳବର ଭୂମି ବ୍ରହ୍ମଗିରି ଓ ପୁରୀରୁ ଚିଲିକା ଉପକୂଳବର୍ତ୍ତୀ ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ଓ ସଂଘର୍ଷର ପ୍ରତିଛବିକୁ ନେଇ ଉକ୍ତ ଚଳଚ୍ଚିତ୍ର ପ୍ରସ୍ତୁତ କରାଯାଇଥିଲା । ଦୀର୍ଘ ବର୍ଷ ହେଲା ଏହାର ପ୍ରିଣ୍ଟ ମିଳୁ ନ ଥିବାରୁ ବିପ୍ଳବଧର୍ମୀ ଜାତୀୟ ପୁରସ୍କାରପ୍ରାପ୍ତ ଉକ୍ତ ଚଳଚ୍ଚିତ୍ରକୁ ଦେଖିବାପାଇଁ ସୁଯୋଗ ନ ଥିଲା । ଜାତୀୟ ଚଳଚ୍ଚିତ୍ର ଅଭିଲେଖାଗାରରେ ସଂରକ୍ଷିତ ଚିଲିକା ତୀରେ ଫିଲ୍ମର ପ୍ରଦର୍ଶନ ପାଇଁ କର୍ତୃପକ୍ଷ ଫିଲ୍ମ ଜର୍ଣ୍ଣାଲିଷ୍ଟ ଫୋରମ୍କୁ ଅନୁମତି ଦେଇଥିବାରୁ ଶ୍ରୀ ଦାସବର୍ମା ସମ୍ପୃକ୍ତ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ ।
ଚିଲିକା ତୀରେ ପ୍ରଦର୍ଶନ ଅବସରରେ ଓଡ଼ିଆ ଚଳଚ୍ଚିତ୍ରର ଜନକ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯବା ପରେ ଚିଲିକା ତୀରେ ଚଳଚ୍ଚିତ୍ରର ଏକ ବିବରଣୀ ପୁସ୍ତିକା ଉନ୍ମୋଚିତ ହୋଇଥିଲା । ଚିଲିକା ତୀରେ ସହ ଜଡ଼ିତ ଅଭିନେତା ସୁଧାଂଶୁ ଭୁଷଣ ମହାପାତ୍ର, ଲକ୍ଷ୍ମୀଧର ତ୍ରିପାଠୀ, ନୃତ୍ୟଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ମହାନ୍ତି ଓ ବସନ୍ତ ମହାନ୍ତି, ଗାୟକ ଦେବାଶିଷ ମହାପାତ୍ର, ପ୍ରଯୋଜକ ତଥା ଅଭିନେତା ଚିତ୍ତ ରଞ୍ଜନ ମିଶ୍ର, ଅଭିନେତ୍ରୀ ମଞ୍ଜୁ ପ୍ରଧାନ, ତନ୍ଦ୍ରା ରାୟ, ସ୍ୱତ୍ତ୍ୱାଧିକାରୀ ଲୋକନାଥ ରାଉତରାୟ ଏବଂ ସହଯୋଗୀ ନିର୍ଦେଶକ ସଂଳାପକାର ହରିହର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ମିଶ୍ର ଓ ଅଭିନେତ୍ରୀ ତନ୍ଦ୍ରା ରାୟ ଚଳଚ୍ଚିତ୍ର ବିଷୟରେ ନିଜ ଅନୁଭୂତି ବର୍ଣ୍ଣନା କରିଥିଲେ । ଗାୟକ ଦେବାଶିଷ ମହାପାତ୍ରଙ୍କ କଣ୍ଠରେ ଉକ୍ତ ଚଳଚ୍ଚିତ୍ରର ଗୀତ ‘ଜଗତ ପତି ହେ ଆଉ ଛଳନା କର ନାହିଁ’ ଦର୍ଶକଙ୍କୁ ମୁଗ୍ଧ କରିଥିଲା ।
ଜଣାଶୁଣା କବି ରକ୍ଷକ ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଚିଲିକା ତୀରେ ସ୍ୱତନ୍ତ୍ର ପ୍ରଦର୍ଶନ ଉତ୍ସବରେ ଶ୍ରୀକାନ୍ତ ମହାନ୍ତି, ଶ୍ୟାମ ପ୍ରକାଶ ସେନାପତି, ବଦ୍ରି ମିଶ୍ର, ରବି ସାମନ୍ତରାୟ, ସୂର୍ଯ୍ୟ ଦେଓ, ସୂର୍ଯ୍ୟ ମିଶ୍ର, ମାନସ ରଞ୍ଜନ ମହାପାତ୍ର, ଦିବାକର ପାତ୍ର, ରତ୍ନବାଳା ବେହେରାଙ୍କ ସମେତ ପୁରୀ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଓ ଚଳଚ୍ଚିତ୍ରପ୍ରେମୀ ଉପସ୍ଥିତ ଥିଲେ ।