ରାଜଶ୍ରୀଙ୍କ ଚିଠିରେ ୨ ଜଣଙ୍କ ନାଁ
କଟକ, ୧୪ା୧(ବୁ୍ୟରୋ): ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ଅପମୃତୁ୍ୟ ରହସ୍ୟ ବଢିବାରେ ଲାଗିଛି । ଶୁକ୍ରବାର ଗୁରୁଡିଝାଟିଆ ପୁଲିସ୍ ଜବତ କରିଥିବା ତାଙ୍କ ସ୍କୁଟି ଡିକିରୁ ଏକ ଚିଠି ମିଳିଛି । ଚିଠିରେ ତାଙ୍କ ମୃତୁ୍ୟ ପାଇଁ ଜଣେ କୋଚ୍ ଏବଂ ଓସିଏର ଜନୈକ ପୂର୍ବତନ ସଦସ୍ୟ ଦାୟୀ ବୋଲି ଦର୍ଶାଯାଇଛି । ଏହି ଚିଠିଟି ରାଜଶ୍ରୀଙ୍କ ହାତଲେଖା କି ନୁହେଁ ସ୍ପଷ୍ଟ ହୋଇ ନାହିଁ । ଯାଞ୍ଚ ପାଇଁ ଚିଠି, କଲମ, ପିନ୍ଧା ବସ୍ତ୍ରକୁ ଫୋରେନସିକ୍ ଲ୍ୟାବକୁ ପଠାଇଛି । ଭିସେରା ନମୂନା ମଧ୍ୟ ସଂଗ୍ରହ କରାଯାଇଛି ।
ଅନ୍ୟପକ୍ଷରେ ସ୍କୁଟି ଡିକିରୁ ମିଳିଥିବା ଚିଠି ରାଜଶ୍ରୀଙ୍କର ହାତଲେଖା ନୁହେଁ ବୋଲି ତାଙ୍କ ମା’ ଅଭିଯୋଗ କରିଛନ୍ତି । ତେବେ ଖୁବଶୀଘ୍ର ଓସିଏର କିଛି କର୍ମକର୍ତ୍ତାଙ୍କୁ ପୁଲିସ୍ ପଚରାଉଚରା କରିପାରେ ।
ମହିଳା କ୍ରିକେଟର ରାଜଶ୍ରୀ ଗତ ୧୧ ତାରିଖରୁ ନିଖୋଜ ଥିଲେ । ଶୁକ୍ରବାର ତାଙ୍କ ଝୁଲନ୍ତା ମୃତଦେହ କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ସୁବାଷି ରିଜର୍ଭ ଫରେଷ୍ଟରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା । ଜଙ୍ଗଲରୁ ପ୍ରଥମେ ରାଜଶ୍ରୀଙ୍କ ସ୍କୁଟି ଓ ହେଲମେଟ୍ ମିଳିଥିଲା । ତା’ପରେ ସେଠାରୁ ପ୍ରାୟ ୨୦୦ ମିଟର ଦୂରରେ ତାଙ୍କ ମୃତଦେହ ମିଳିଥିଲା ।
ଓଡ଼ିଶା ମହିଳା ସିନିୟର ଦଳରେ ରାଜଶ୍ରୀ ଖେଳୁଥିଲେ । ଆସନ୍ତା ୧୮ ଜାନୁଆରୀରୁ ପୁଡୁଚେରୀରେ ବିସିସିଆଇ ସିନିଅର ମହିଳା ଦିନିକିଆ ଟ୍ରଫି ଆରମ୍ଭ ହେବାକୁ ଥିବା ବେଳେ ପ୍ରଥମ ତିନିଟି ମ୍ୟାଚ୍ ପାଇଁ ଓସିଏ ପକ୍ଷରୁ ୨୫ ଜଣିଆ ସ୍କ୍ୱାଡ୍ ପ୍ରସ୍ତୁତ କରି କଟକରେ ପ୍ରଶିକ୍ଷଣ ଦିଆଯାଉଥିଲା । ପରେ ତା’ ଭିତରୁ ଟିମ୍ ଚୟନ କରାଯାଇଥିଲା । ତେବେ ୧୬ ଜଣିଆ ଚୂଡ଼ାନ୍ତ ତାଲିକାରେ ତାଙ୍କ ନାଁ ନଥିବାରୁ ରାଜଶ୍ରୀ ଖୁବ୍ ଅସନ୍ତୁଷ୍ଟ ଥିଲେ । ଏନେଇ ସେ ତାଙ୍କ ମା’ଙ୍କୁ ଜଣାଇଥିଲେ ।
୧୦ ତାରିଖ ସନ୍ଧ୍ୟାରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ କଟକରେ ରହି ୨୫ ଜଣିଆ ସ୍କ୍ୱାଡ୍ ସହିତ ପ୍ରଶିକ୍ଷଣ ନେଉଥିବା ରାଜଶ୍ରୀ ୧୧ ତାରିଖରେ ଘରକୁ ଯିବା ପାଇଁ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀଙ୍କୁ ଅନୁମତି ମାଗିଥିଲେ । କୋଚ୍ ତାଙ୍କୁ ଘରକୁ ଯିବାକୁ ଅନୁମତି ଦେଇଥିଲେ । ତେବେ ସନ୍ଧ୍ୟା ସୁଦ୍ଧା ସେ ଘରେ ନ ପହଞ୍ଚିବାରୁ ତାଙ୍କ ଭଉଣୀ କୋଚ୍ଙ୍କୁ ଫୋନ୍ କରିଥିଲେ । କୋଚ୍ କଟକରେ ରାଜଶ୍ରୀଙ୍କୁ ଖୋଜାଖୋଜି କରିବା ପରେ ନ ପାଇବାରୁ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ ।
ରାଜଶ୍ରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ଟିମ୍ ଚୟନ ପ୍ରକ୍ରିୟାରେ ଅନିୟମିତତା ହୋଇଥିବାରୁ ରାଜଶ୍ରୀ ଅସନ୍ତୁଷ୍ଟ ଥିଲେ । ତେବେ ଟିମ୍ ଚୟନରେ ଅନିୟମିତତା ଅଭିଯୋଗକୁ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ଓ ଓସିଏ କର୍ତ୍ତୃପକ୍ଷ ଖଣ୍ଡନ କରିଛନ୍ତି । ଓସିଏ ସିଇଓ ଶୁକ୍ରବାର କହିଥିଲେ ଯେ ରାଜଶ୍ରୀଙ୍କ ଠାରୁ ଅଧିକ ଯୋଗ୍ୟ ଖେଳାଳିଙ୍କୁ ଟିମ୍ରେ ସାମିଲ କରାଯାଇଛି ।