ରାଷ୍ଟ୍ରପତିଙ୍କ ପାଦ ଛୁଇଁ ଜେଇ ସସ୍ପେଣ୍ଡ୍
ଜୟପୁର, ୧୪ା୧: ଅଷ୍ଟାଦଶ ରାଷ୍ଟ୍ରୀୟ ସ୍କାଉଟ୍ ଗାଇଡ୍ ଜମ୍ବୁରୀ ଶୁଭାରମ୍ଭ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜାନୁଆରୀ ୪ ତାରିଖ ଦିନ ରାଜସ୍ଥାନର ପାଲୀ ଜିଲ୍ଲାର ରୋହଟ ଆସିଥିଲେ । ସୁରକ୍ଷା ପ୍ରୋଟକଲ୍ ଭାଙ୍ଗି ପିଏଚ୍ଇଡି ବିଭାଗର ଜଣେ ମହିଳା ଜୁନିଅର ଇଞ୍ଜିନିୟର ରାଷ୍ଟ୍ରପତିଙ୍କ ପାଦ ଛୁଇଁଥିଲେ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ଏପ୍ରକାର ତ୍ରୁଟି ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ହସ୍ତକ୍ଷେପ ପରେ ଏବେ କାର୍ଯ୍ୟାନୁଷ୍ଠାନ ହୋଇଛି । ସମ୍ପୃକ୍ତ ଜେଇ ଅମ୍ବା ସିୟୋଲଙ୍କୁ ଚାକିରିରୁ ସସ୍ପେଣ୍ଡ କରାଯାଇଛି ।
ମହିଳା ଜେଇଙ୍କୁ ହେଲିପ୍ୟାଡ୍ରେ ପାନୀୟ ଜଳ ବନେ୍ଦାବସ୍ତ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ରାଷ୍ଟ୍ରପତି ବାୟୁସେନାର ଏକ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ପହଞ୍ଚôଥିଲେ । ତାଙ୍କୁ ସ୍ୱାଗତ କରିବା ଲାଗି ରାଜସ୍ଥାନ ରାଜ୍ୟପାଳ କଲରାଜ ମିଶ୍ର, ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଉପସ୍ଥିତ ଥିଲେ । ଏହି ସମୟରେ ସୁରକ୍ଷା ପ୍ରୋଟୋକଲ୍ ଭାଙ୍ଗି ମହିଳା ଜେଇ ଅଚାନକ ଆଗକୁ ମାଡି ଆସି ରାଷ୍ଟ୍ରପତିଙ୍କ ପାଦ ଛୁଇଁଥିଲେ । ଅବଶ୍ୟ ସୁରକ୍ଷା କର୍ମୀମାନେ ତାଙ୍କୁ ରୋକିବାକୁ ଚେଷ୍ଟା କରିଥିଲେ । ପରେ ସ୍ଥାନୀୟ ପୋଲିସ୍ ମହିଳା ଜେଇଙ୍କୁ ଜେରା କରି ଛାଡି ଦେଇଥିଲେ । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପୂରା ମାମଲାର ବିଶ୍ଳେଷଣ କରିବାରୁ ରାଜସ୍ଥାନ ସରକାର ଅଡୁଆରେ ପଡିଥିଲେ । ରାଜସ୍ଥାନ ପୁଲିସ୍କୁ ରିପୋର୍ଟ ତଲବ କରାଗଲା । ଏହା ପରେ ପିଏଚ୍ଇଡି ଚିଫ୍ ଇଞ୍ଜିନିୟର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଜେଇ ଅମ୍ବା ସିୟୋଲଙ୍କୁ ଶୁକ୍ରବାର ସନ୍ଧ୍ୟାରେ ସସ୍ପେଣ୍ଡ କରିଥିବା ଜଣାଯାଇଛି ।