ବିଶ୍ୱ ବିଜେତାର ବିଜୟ ଅଭିଯାନ

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩
ଭୁବନେଶ୍ୱର, ୧୪ା୧ (ବୁ୍ୟରୋ): ଅଲିମ୍ପିକ୍ ଓ ବିଶ୍ୱ ବିଜେତା ବେଲ୍ଜିୟମ୍ ଶନିବାର କଳିଙ୍ଗ ଷ୍ଟାଡିୟମ୍ରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ନିମ୍ନ ମାନ୍ୟତାଧାରୀ କୋରିଆକୁ ୫-୦ରେ ହରାଇ ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ସକାରାତ୍ମକ ଅଭିଯାନ ଆରମ୍ଭ କରିଛି । ବେଲ୍ଜିୟମ୍ର ଭିକ୍ଟର ୱେଗ୍ନେଜ୍ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଗ୍ରୁପ୍-ବି’ର ପ୍ରଥମ ମ୍ୟାଚ୍ରେ ରେଡ୍ ଲାୟନ୍ସ ପକ୍ଷରୁ୍ ଆଲେକ୍ଜାଣ୍ଡର ହେଣ୍ଡ୍ରିକ୍ସ (୩୧ତମ ମିନିଟ୍), ଟାନଗାଏ କୋସିନ୍ସ (୪୩ତମ), ଫ୍ଲୋରେଣ୍ଟ ଭାନ୍ ଆଉବେଲ୍ (୫୦ତମ), ସେବାସ୍ତିଆନ୍ ଡୋକିଅର (୫୨ତମ), ଆର୍ଥର ଡି’ ସ୍ଲୁଭର୍ (୫୮ତମ) ଗୋଟିଏ ଲେଖାଏଁ ସ୍କୋର୍ କରିଥିଲେ ।
ଏସୀୟ ବିଜେତା କୋରିଆ ମ୍ୟାଚ୍ର ପ୍ରଥମାର୍ଦ୍ଧରେ ବେଲ୍ଜିୟମ୍କୁ କଡ଼ା ଟକ୍କର ଦେଇଥିଲା । ଗତ ବର୍ଷ ଡିସେମ୍ବରରେ ଖେଳାଯାଇଥିବା ଏଫ୍ଆଇଏଚ୍ ହକି ପୁରୁଷ ନେସନ୍ସ କପ୍ରେ ଚମକପ୍ରଦ ଫର୍ମରେ ଥିବା କୋରିଆ ଟିମ୍ର ଏହି ପ୍ରଦର୍ଶନ ବଳରେ ପ୍ରଥମ ଦୁଇ କ୍ୱାର୍ଟର ଗୋଲ୍ଶୂନ୍ୟ ରହିଥିଲା ।
ବେଲ୍ଜିୟମ୍ ପ୍ରଥମ ଗୋଲ୍ ଦ୍ୱିତୀୟାର୍ଦ୍ଧରେ ଦେଇଥିଲା । ତୃତୀୟ କ୍ୱାର୍ଟରର ପ୍ରଥମ ମିନିଟ୍ରେ ହେଣ୍ଡ୍ରିକ୍ସ ଡେଡ୍ ଲକ୍ ଭାଙ୍ଗିଥିଲେ । ସେ ମ୍ୟାଚ୍ରେ ତାଙ୍କର ତୃତୀୟ ପେନାଲ୍ଟି କର୍ଣ୍ଣର୍ ପ୍ରୟାସକୁ ଗୋଲ୍ରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧର ସଂଘର୍ଷପୂର୍ଣ୍ଣ ସ୍ଥିତିର ବିପରୀତ ଥିଲା ଦ୍ୱିତୀୟାର୍ଦ୍ଧ । ପ୍ରଥମ ଗୋଲ୍ ବେଲ୍ଜିୟମ୍ର ଫ୍ଲଡ୍ଗେଟ୍ ଖୋଲି ଦେଇଥିଲା ଏବଂ ଏହାପରେ ନିର୍ଦ୍ଧାରିତ ସମୟ ମଧ୍ୟରେ ଆଉ ଚାରିଟି ଗୋଲ୍ ହୋଇଥିଲା ।
୪୩ତମ ମିନିଟ୍ରେ କୋସିନ୍ସ ଟିମ୍ ପକ୍ଷରୁ ଦ୍ୱିତୀୟ ଗୋଲ୍ କରିଥିଲେ । ୨-୦ ରେ ଅଗ୍ରଣୀ ରହି ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ପ୍ରବେଶ କରିଥିଲା ରେଡ୍ ଲାୟନ୍ସ । କୋରିଆଉ ଉପରେ ଚାପ ବଢ଼ି ଯାଇଥିଲା ।
ଅନ୍ୟପଟେ ବେଲ୍ଜିୟମ୍ ଆକ୍ରମଣାତ୍ମକ ପ୍ରଦର୍ଶନ ଜାରି ରଖିଥିଲା । ୫୦ତମ ମିନିଟ୍ରେ ଆଉବେଲ୍ ଚିତ୍ତାକର୍ଷକ ଗୋଲ୍ ଦେଇଥିଲେ । ଏହାର ଦୁଇ ମିନିଟ୍ ପରେ ଡୋକିଅର ସ୍କୋର୍ କରି ବେଲ୍ଜିୟମ୍କୁ ୪-୦ରେ ଅଗ୍ରଣୀ କରିଥିଲେ ।
କୋରିଆର ଆପ୍ରାଣ ପ୍ରୟାସ ବେଲ୍ଜିୟମ୍ର ରକ୍ଷଣପନ୍ଥୀକୁ ଭେଦ କରିପାରି ନ ଥିଲା । ମ୍ୟାଚ୍ ଶେଷ ହେବାକୁ ଦୁଇ ମିନିଟ୍ ବାକି ଥିବା ବେଳେ ସ୍ଲୁଭର୍ ପଞ୍ଚମ ଗୋଲ୍ କରିଥିଲେ । ଶେଷ ଯାଏଁ କୋରୀୟ ଟିମ୍ ଗୋଟିଏ ବି ଗୋଲ୍ ପରିଶୋଧ କରିପାରି ନ ଥିଲା ଏବଂ ସହଜରେ ବିଜୟ ହାସଲ କରିଥିଲା ବେଲ୍ଜିୟମ୍ ।
ୱେଗ୍ନେଜ୍ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ପୁରସ୍କାର ପାଇବା ପରେ କହିଥିଲେ, “ଏହା ଏକ ବଡ଼ ଟିମ୍ ପ୍ରୟାସ ଥିଲା । ମୁଁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ପୁରସ୍କାର ପାଇଛି, ହେଲେ ଏହା ଟିମ୍ର ପ୍ରଦର୍ଶନ ଏବଂ ଆମେ ବାସ୍ତବରେ ଭଲ ଖେଳି ବିଜୟ ହାସଲ କରିଛୁ । ଏଥିପାଇଁ ଆମେ ଖୁବ୍ ଆନନ୍ଦିତ ।”

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *