ଘୃଣା ସୃଷ୍ଟିକାରୀ ଟିଭି ଆଙ୍କରଙ୍କୁ ହଟାଅ

ମିଡିଆ ସମାଜରେ ବିଭାଜନ ସୃଷ୍ଟି କରିପାରିବ ନାହିଁ
ନୂଆଦିଲ୍ଲୀ (ଏଜେନ୍ସି): ଘୃଣା ଓ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ମାମଲାରେ ଆଜି ସୁପି୍ରମ୍କୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତ ବିଭିନ୍ନ ଆବେଦନ ଉପରେ ଶୁଣାଣି କରି ସର୍ବୋଚ୍ଚ ଅଦାଲତ ଟିଭି ଚାନେଲମାନଙ୍କ କାର୍ଯ୍ୟଶୈଳୀ ଏବଂ ଆଙ୍କରମାନଙ୍କ ଘୃଣା ସୃଷ୍ଟିକାରୀ କାର୍ଯ୍ୟକ୍ରମ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି । କୋର୍ଟ କହିଛନ୍ତି ଯେ, ସବୁକିଛି ଟିଆର୍ପିକୁ ଆଧାର କରିଚାଲିଛି । ଚାନେଲମାନେ ପରସ୍ପର ବିରୋଧରେ ଚଳାଇଥିବା ପ୍ରତିଯୋଗିତା ଅତ୍ୟନ୍ତ କଟୁତା, ତିକ୍ତତା ଓ ଘୃଣା ସୃଷ୍ଟିକାରୀ କାର୍ଯ୍ୟକ୍ରମ ମାଧ୍ୟମରେ ଚାଲିଛି । ଏଭଳି କାର୍ଯ୍ୟକ୍ରମ ସଂଚାଳନ କରିବା ସହ ଘୃଣାର ପ୍ରଚାର ପ୍ରସାର କରୁଥିବା ଆଙ୍କରମାନଙ୍କ କାର୍ଯ୍ୟକ୍ରମ ବନ୍ଦ କରିବାକୁ ହେବ ବୋଲି ସୁପ୍ରିମ୍କୋର୍ଟ କହିଛନ୍ତି ।
ମିଡିଆ ସମାଜରେ ବିଭେଦ ଓ ବିଭାଜନ ସୃଷ୍ଟି କରିପାରିବ ନାହିଁ ବୋଲି କଡ଼ା ମତ ରଖି ଜଷ୍ଟିସ୍‌ କେ.ଏମ୍‌. ଯୋଶେଫ କହିଥିଲେ, ଖବରକାଗଜ ତୁଳନାରେ ଦୃଶ୍ୟ ମାଧ୍ୟମ ଅଧିକ ଲୋକଙ୍କୁ ପ୍ରଭାବିତ କରୁଛି । ଆଙ୍କରମାନଙ୍କ ଦ୍ୱାରା ଚାଞ୍ଚଲ୍ୟ ଓ ଘୃଣା ସୃଷ୍ଟିକାରୀ ଏଜେଣ୍ଡା କାର୍ଯ୍ୟକାରୀ ହେଉଛି । ଏଭଳି ଆଙ୍କରଙ୍କୁ ହଟାଇବା ପାଇଁ ‘ନୁ୍ୟଜ୍‌ ବ୍ରଡ୍କାଷ୍ଟ ଆଣ୍ଡ୍ ଡିଜିଟାଲ୍ ଏସୋସିଏସନ’ କି ପଦକ୍ଷେପ ନେଇଛି ବୋଲି ଜଷ୍ଟିସ୍‌ ଯୋଶେଫ ପ୍ରଶ୍ନ କରିଛନ୍ତି । ଆଦୌ ନିରପେକ୍ଷ ନଥିବା ଆଙ୍କରମାନେ ଘୃଣାଭରା କାର୍ଯ୍ୟକ୍ରମ ଦ୍ୱାରା ଦର୍ଶକଙ୍କ ଉପରେ ପ୍ରଭାବ ବିସ୍ତାର କରିବାକୁ ଚାହୁଁଛନ୍ତି ଏବଂ ସେମାନେ ଯାହାସବୁ କହୁଛନ୍ତି ତାହା ପୂରା ଦେଶକୁ ପ୍ରଭାବିତ କରୁଛି ବୋଲି ଖଣ୍ଡପୀଠ କହିଛନ୍ତି । ପ୍ରସାରଣ ନୀତି ଉଲ୍ଲଂଘନ କରୁଥିବା ଆଙ୍କରଙ୍କୁ ହଟାଇବା ଏବଂ ଚାନେଲମାନଙ୍କ ବିରୋଧରେ ମୋଟା ଅଙ୍କର ଜରିମାନା ଲାଗୁ କରିବା ପାଇଁ ଖଣ୍ଡପୀଠ ଗୁରୁତ୍ୱାରୋପ କରିଛନ୍ତି ।
ନିକଟରେ ଏୟାରଇଣ୍ଡିଆ ବିମାନରେ ଘଟିଥିବା ପରିସ୍ରା କାଣ୍ଡ ନେଇ କେତେକ ଟିଭି ଚ୍ୟାନେଲ ଅଭିଯୁକ୍ତଙ୍କ ବିରୋଧରେ ଯେଭଳି ଭାଷା ପ୍ରୟୋଗ କରିଛନ୍ତି ତାହା ଆଦୌ ଗ୍ରହଣୀୟ ନୁହେଁ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଜଣେ ବ୍ୟକ୍ତିର ସମ୍ମାନର ଅଧିକାରକୁ ଆଙ୍କରମାନେ ଏଭଳି ଅସମ୍ମାନ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *