ମିଳିଲା କ୍ରିକେଟର୍ ରାଜଶ୍ରୀଙ୍କ ଶବ
କଟକ/ବାଙ୍କୀ, ୧୩ା୧(ଆପ୍ର): ଗତ ୧୧ ତାରିଖରୁ ନିଖୋଜ ଥିବା ଓଡିଶା ମହିଳା କ୍ରିକେଟ ଦଳର ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ସୁଭାଷି ଜଙ୍ଗଲର ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ତାଙ୍କର ଏଭଳି ମୃତୁ୍ୟ ପଛରେ କି ରହସ୍ୟ ରହିଛି ସେ ନେଇ ପୁଲିସ ପକ୍ଷରୁ ଖୋଳତାଡ ଜାରି ରହିଥିବା ବେଳେ ବାପା ଗୁଣନିଧି ସ୍ୱାଇଁ ଝିଅକୁ ହତ୍ୟା କରାଯାଇଥିବା ନେଇ ମଙ୍ଗଳାବାଗ ଥାନାରେ ଅଭିଯୋଗ କରିଛନ୍ତି । ସାଇଣ୍ଟିଫିକ୍ ଟିମ୍ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି । ପ୍ରକାଶ ଯେ ଗତ ୧୧ ତାରିଖ ରାତିରେ ରାଜଶ୍ରୀ ନିଖୋଜ ହୋଇଥିବା ସଂପର୍କରେ ତାଙ୍କ କୋଚ୍ ପୁଷ୍ପାଞ୍ଜଳି ବାନାର୍ଜୀ ମଙ୍ଗଳାବାଗ ଥାନାରେ ଏତଲା ଦେଇଥିଲେ । ୨୬ ବର୍ଷିଆ ରାଜଶ୍ରୀ ପୁଡୁଚେରୀରେ ହେବାକୁ ଥିବା ମ୍ୟାଚ୍ ପାଇଁ ପ୍ରାକ୍ଟିସ୍ ନିମନ୍ତେ କଟକ ବଜ୍ରକବାଟି ରୋଡ୍ସ୍ଥିତ ମହାବୀର ଗ୍ୟାଲେକ୍ସିରେ ରହୁଥିଲେ । ଗତ ୧୧ ତାରିଖରେ ସେ ପୁରୀସ୍ଥିତ ଘରକୁ ଯାଇ ବାପାଙ୍କ ସହିତ ଦେଖାକରିବେ ବୋଲି କହି ହୋଟେଲ ଛାଡିଥିଲେ । ତେବେ ତାଙ୍କ ବାପାଙ୍କ ସହିତ ଯୋଗାଯୋଗ କରିବାରୁ ରାଜଶ୍ରୀ ତାଙ୍କ ପାଖକୁ ଯାଇନଥିବା ଜଣାପଡିଥିଲା । ଏହା ପରେ କୋଚ୍ ପୁଷ୍ପାଞ୍ଜଳି ଏନେଇ ଥାନାରେ ଏତଲା ଦେଇଥିଲେ । ପୁଲିସ ତଦନ୍ତ କରି ରାଜଶ୍ରୀଙ୍କ ସ୍କୁଟିକୁ ଗୁରୁଡିଝାଟିଆ ଜଙ୍ଗଲ ପାଖରୁ ଠାବ କରିଥିଲା । ବହୁ ଖୋଜାଖୋଜି ପରେ ତାଙ୍କ ସ୍କୁଟି ମିଳିଲା । ସେଠାରୁ ୨୦୦ ମିଟର ଦୂରରେ ତାଙ୍କର ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ରାଜଶ୍ରୀଙ୍କୁ କେହି ମାରିଦେଇ ଗଛରେ ଟାଙ୍ଗିଦେଇଛି କି ସେ ଆତ୍ମହତ୍ୟା କରିଛନ୍ତି ସେନେଇ ପୁଲିସ ତଦନ୍ତ ଚଳାଇଛି । ସୂଚନାଯୋଗ୍ୟ ଯେ, ରାଜଶ୍ରୀ ଓଡିଶା ମହିଳା କ୍ରିକେଟ ଦଳର ଅଲରାଉଣ୍ଡର ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ । ରାଜଶ୍ରୀଙ୍କ ବାପା ତାଙ୍କ ଝିଅର ମୃତୁ୍ୟ ପାଇଁ ଓଡିଶା କ୍ରିକେଟ ଆସୋସିସନ (ଓସିଏ)କୁ ଦାୟୀ କରିଥିବା ବେଳେ ଓସିଏ ଗଣମାଧ୍ୟମରେ ତା’ର ସ୍ପଷ୍ଟୀକରଣ ରଖିଛି । ଚୟନ ପ୍ରକ୍ରିୟାରେ ଅନିୟମିତତା ନେଇ ଯେଉଁ ଅଭିଯୋଗ ଆସୁଛି ତାହା ସଂପୂର୍ଣ୍ଣ ଅମୂଳକ ବୋଲି ଓସିଏ କହିଛି । ପରିବାରବର୍ଗଙ୍କ ଅଭିଯୋଗ ଉପରେ ଓସିଏ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା ପ୍ରତିକ୍ରିୟା ରଖିଛନ୍ତି । ରାଜଶ୍ରୀଙ୍କ ମୃତୁ୍ୟ ଖବର ଶୁଣି ମୁଁ ମର୍ମାହତ । ଆମେ ଜଣେ ଓସିଏର ପଞ୍ଜିକୃତ ଖେଳାଳିଙ୍କୁ ହରାଇଲୁ । ଖେଳରେ ହାରଜିତ ଥାଏ । କୌଣସି ଖେଳାଳି ଏଭଳି ଚରମ ପଦକ୍ଷେପ ନ ନେବାକୁ ସେ ଅନୁରୋଧ କରିଛନ୍ତି । ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନାହିଁ । ବର୍ତ୍ତମାନର ପ୍ରଦର୍ଶନ, ପୂର୍ବ ରେକର୍ଡକୁ ଆଧାର କରି ଚୟନ କରାଯାଇଥାଏ । ରାଜଶ୍ରୀ ୨୫ ଜଣଙ୍କ ଭିତରେ ଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଚୟନ ହୋଇଥିବା ୧୭ ଜଣଙ୍କ ଭିତରେ ସେ ନଥିଲା । ପ୍ରଥମ ୩ଟି ମ୍ୟାଚ ପାଇଁ ୧୬ ଜଣିଆ ଟିମ ଚୟନ କରାଯାଇଥିଲା ବୋଲି ସେ କହିଛନ୍ତି ।