୧୨ ଦିନରେ ୫.୪ ସେମି ଦବିଛି ଯୋଶୀମଠ ଅଞ୍ଚଳ

ନୂଆଦିଲ୍ଲୀ (ଏଜେନ୍ସି): ଉତ୍ତରାଖଣ୍ଡର ତୀର୍ଥ ସହର ଯୋଶୀମଠ ଓ ଆଖପାଖ ଅଞ୍ଚଳର ଅବସ୍ଥା ଅତ୍ୟନ୍ତ ବିପଦପୂର୍ଣର୍ ରହିଛି । ତେବେ ଦବିବାର ନିର୍ଦ୍ଦିଷ୍ଟ କାରଣ ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇପାରିନି । ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି, ଅନିୟନ୍ତ୍ରିତ ନିର୍ମାଣ, ମାତ୍ରାଧିକ ଜନସଂଖ୍ୟା, ଜଳର ପ୍ରାକୃତିକ ସ୍ରୋତରେ ପ୍ରତିବନ୍ଧକ ଓ ଜଳବିଦୁ୍ୟତ୍ ଯୋଜନା କାରଣରୁ ମାଟି ଦବିବା ସହିତ ଜନଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି । ଏହା ମଧ୍ୟରେ ଆଉ ଏକ ଆତଙ୍କ ସୃଷ୍ଟି ଭଳି ଖବର ମିଳିଛି । ଇସ୍ରୋପକ୍ଷରୁ ସାଟେଲାଇଟ୍ ଇମେଜ୍ ମାଧ୍ୟମରେ ସଂଗୃହିତ ତଥ୍ୟ ଅନୁଯାୟୀ ଯୋଶୀମଠ ଅଞ୍ଚଳ ଦବିବାରେ ଲାଗିଛି । ଡିସେମ୍ବର ୨୭ରୁ ଜାନୁଆରୀ ମାତ୍ର ୧୨ ଦିନ ମଧ୍ୟରେ ଉକ୍ତ ଅଞ୍ଚଳ ୫.୪ ସେମି ଦବିଛି । ଫଳରେ ଯୋଶୀମଠ ଅଞ୍ଚଳର ସ୍ଥାୟିତ୍ୱ ନେଇ ଆଶଙ୍କା ପ୍ରକାଶ ପାଇଛି ।
ଯୋଶୀମଠ ହେଉଛି ତୀର୍ଥସ୍ଥଳୀ ବଦ୍ରିନାଥ ହେମକୁଣ୍ଡ ସାହିବକୁ ଯିବା ପାଇଁ ପ୍ରବେଶ ଦ୍ୱାର । ତେଣୁ ପର୍ଯ୍ୟଟକମାନଙ୍କ ପାଇଁ ଏହି ରାସ୍ତା ଅସୁରକ୍ଷିତ ହୋଇପଡ଼ିଛି । ଅସୁରକ୍ଷିତ ହୋଇପଡ଼ିଥିବା କେତେକ ହୋଟେଲ ଭାଙ୍ଗିବା ଲାଗି ପୁନର୍ବାର ଉଦ୍ୟମ ଆରମ୍ଭ ହୋଇଛି । ୯୯ ପରିବାରଙ୍କୁ ରିଲିଫ୍ କ୍ୟାମ୍ପକୁ ସ୍ଥାନାନ୍ତର କରାଯାଇଛି । ଏସ୍ଡିଆର୍ଏଫ୍, ପୁଲିସ ଓ ଅର୍ଦ୍ଧସାମରିକ ବାହିନୀକୁ ସଜାଗ ରଖାଯାଇଛି । ସେନା ଯବାନ ଓ ଅଧିକାରୀ ରହୁଥିବା ୨୫ଟି କୋଠାରେ ଫାଟ ସୃଷ୍ଟି ହୋଇଛି ।
ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ପୁଷ୍କର ଧାମି କ୍ୟାବିନେଟ୍ ବୈଠକ ଡାକି ଯୋଶୀମଠ ସ୍ଥିତି ଉପରେ ବିଚାର ଆଲୋଚନା କରିଛନ୍ତି । ଏ ପର୍ଯ୍ୟନ୍ତ କୌଣସି ଘର ଭଙ୍ଗାଯାଇ ନାହିଁ ଓ ବିକଳ୍ପ ବ୍ୟବସ୍ଥା ଲାଗି ଆଲୋଚନା ଚାଲିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *