ନବାଙ୍କ ଶେଷ, ଆଜି ମକର ନୀତି

ବାପଘରୁ ଫେରିଲେ ମହାଲକ୍ଷ୍ମୀ
ପୁରୀ (ବୁ୍ୟରୋ): ଶୁକ୍ରବାର ଶ୍ରୀମନ୍ଦିରରେ ନବାଙ୍କ ପର୍ବ ଶେଷ ହୋଇଛି । ଶନିବାର ମକର ପର୍ବ ପାଳିତ ହେବ । ତିନିଠାକୁରଙ୍କୁ ମକରଚୂଳ ଲାଗି କରାଯିବ । ଧନୁ ସଂକ୍ରାନ୍ତି ଠାରୁ ମହାଲକ୍ଷ୍ମୀ ବାପଘରକୁ ଯାଇଥିଲେ । ନବାଙ୍କ ଅବସରରେ ମହାଲକ୍ଷ୍ମୀ ଧାନ, ଚାଉଳ, ଫୁଲ ଓ ଚୂଳ ଆଦି ଭାରନେଇ ବାପଘରୁ ଶ୍ରୀମନ୍ଦିରକୁ ବିଜେ କରିଛନ୍ତି । ଭାର ପହଞ୍ଚôବା ପରେ ଶ୍ରୀମନ୍ଦିର ଉତ୍ସବମୁଖର ହୋଇପଡ଼ିଛି । ନବାଙ୍କ ଅବସରରେ ଶ୍ରୀବିଗ୍ରହଙ୍କ ଅବକାଶ ମଇଲମ ହୋଇ ଘୋଡ଼ଲାଗି ହୋଇଥିଲା । ସନ୍ଧ୍ୟା ଆଳତି ବଢ଼ିବା ପରେ ଚାଉଳ ମେଲଣ ପାଇଁ ସିଂହଦ୍ୱାର ଚକଡ଼ାରେ ପାହାଡ଼ା ପଡ଼ିଥିଲା । ଧାନ ଘର ଠାରୁ ବୋରୋ ଭୋଇ ପ୍ରଧାନ ଚାଉଳ ଧରି ସିଂହଦ୍ୱାର ଚକଡ଼ାରେ ବିଜେ କରାଇଥିଲେ । ସେଠାରେ ପଧାନ ଭୋଇ ବାଘମୁହିଁ ବାନ୍ଧି ୩ଟି ଥାଳିରେ ପାଞ୍ଚମାଣ ଲେଖାଏଁ ଚାଉଳ ମପାଇଥିଲେ ।
କୋଠଭୋଗ ଯୋଗାଣିଆ ବାଘମୁହିଁ ବାନ୍ଧି ତଳିଚ୍ଛ ପଟୁଆର କରି ଘଣ୍ଟ, ଛତା, କାହାଳୀ ସହ ବଡ଼ଦେଉଳକୁ ବେଢ଼ାଏ ବୁଲି ଇନ୍ଦ୍ରାଣି ବେଢ଼ାରେ ରଖୁଥିଲେ । ଚାଉଳ ମେଲଣ ପରେ ଫୁଲ ମେଲାଣ ନିମନ୍ତେ ମାଳିମାନେ ବାଘମୁହିଁ ବାନ୍ଧି ମାଳଚୂଳ ଜଳ କବରମାଳ ଘେନି ତଳିଚ୍ଛ ପଟୁଆରରେ ଘଣ୍ଟ, ଛତା, କାହାଳୀ ସହ ବଡ଼ଦେଉଳକୁ ବେଢ଼ାଏ ବୁଲି ବେହେରଣ ତଢ଼ଉ ଦରଶୁଆ କରି ପାଳିଆ ଖୁଣ୍ଟିଆ ମାର୍ଫତରେ ଦେଇଥିଲେ । ଖୁଣ୍ଟିଆ ସେବକ ମାଳମାନ ନେଇ ସନ୍ଧ୍ୟା ଆଳିତ ବେଶରେ ଲାଗି କରାଇଥିଲେ । ସନ୍ଧ୍ୟା ଆଳତି ବଢ଼ି ସନ୍ଧ୍ୟାଧୂପ ବଢ଼ିଥିଲା । ପୂର୍ବରୁ ଭୋଗମଣ୍ଡପ ଘର ଆଗରୁ ଧୋ-ପଖାଳ ହୋଇ ଚାନ୍ଦୁଆ ବନ୍ଧା ହୋଇଥିଲା । ପ୍ରଧାନ ଯୋଗାଣିଆ ୩ ଗୋଟି ବାଉଁଶରେ ଚାଉଳ ପୂରାଇ କୋଠ ସୁଆସିଆଁ ଦେଇଥିବା ଭଦ୍ରାସନ ଉପରେ ୩ଟି ମୁରୁଜ କାଟିବା ପରେ ଉକ୍ତ ଚାଉଳ ବାଉଁଶଟିଆ ମାନ ରଖାଯାଇଥିଲା । ଏହା ଉପରେ ଚେମେଡ଼ି, ଫୁଲ, ଚନ୍ଦନ ଦେଇ ଅଧିବାସ କରାଇଥିଲେ । ତଢ଼ଉ ଦୁଆରମାନ ମୁଦ କରିଥିଲେ । ଏହାପରେ ବଡ଼ସିଂହାର ବେଶ ବା ନବାଙ୍କ ବେଶ ହୋଇଥିଲା । ବେଶରେ ଖଣ୍ଡେ ଆଜ୍ଞାମାଳ ଲାଗି ହୋଇଥିଲା । ବେଶ ବଢ଼ିବା ପରେ ପାଣି ପଡ଼ି ବଡ଼ସିଂହାର ଭୋଗ ଆସିବା ପରେ ଦକ୍ଷିଣଘରୁ ମଦନମୋହନ ଭିତର ସିଂହାସନକୁ ବିଜେ କରିଥିଲେ । ଶନିବାର ଶ୍ରୀମନ୍ଦିରରେ ମକର ପର୍ବ ପାଳିତ ହେବ । ତିନିଠାକୁରଙ୍କୁ ମକରଚୂଳ ଲାଗି କରାଯିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *