ଲାଲୁଙ୍କ ବିରୋଧରେ ଚାଲିବ ମୋକଦ୍ଦମା

ଜମି ବଦଳରେ ଚାକିରି ଘୋଟାଲା
ନୂଆଦିଲ୍ଲୀ, ୧୩ା୧: ‘ଜମି ବଦଳରେ ଚାକିରି’ ଘୋଟାଲାରେ ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ କେନ୍ଦ୍ର ସରକାର ସିବିଆଇକୁ ଅନୁମତି ଦେଇଛନ୍ତି । ଅଭିଯୋଗ ହୋଇଛି ଯେ ରେଳମନ୍ତ୍ରୀ ଥିବାବେଳେ ଲାଲୁ ୧୨ ଜଣ ଲୋକଙ୍କୁ ଗ୍ରୁପ୍-ଡି’ ଚାକିରି ଦେଇ ବିନିମୟରେ ନିଜ ପରିବାର ଲୋକଙ୍କ ନାମରେ ପାଟ୍ନାରେ ଜମି ରେଜିଷ୍ଟ୍ରି କରାଇଥିଲେ । ଗତବର୍ଷ ସିବିଆଇ ଲାଲୁ ଓ ତାଙ୍କ ପରିବାର ନାମରେ ଏତଲା ଦେଇଥିଲା । ଏଭଳି ମାମଲାରେ କୌଣସି ପବ୍ଲିକ୍ ସର୍ଭାଣ୍ଟ୍ଙ୍କ ନାମରେ ମୋକଦ୍ଦମା ରୁଜୁ ପାଇଁ ସିବିଆଇକୁ ସରକାରୀ ମଞ୍ଜୁରି ଲୋଡିବାକୁ ପଡିଥାଏ । ଏବେ ତାହା ସିବିଆଇକୁ ମିଳିଛି । ୟୁପିଏ-୧ ସରକାରରେ ଲାଲୁ ରେଳମନ୍ତ୍ରୀ ଥିବାବେଳେ ଏହି ଭ୍ରଷ୍ଟାଚାର ହୋଇଥିଲା । ୨୦୧୮ରେ ସିବିଆଇ ଆରମ୍ଭ କରିଥିଲା ତଦନ୍ତ । ୨୦୨୧ ମେ’ରେ ତଦନ୍ତ ବନ୍ଦ କରିଦିଆଗଲା । ତାହାକୁ ପୁଣି ଏବେ ଖୋଲାଯାଇଛି । ପାଟ୍ନାର ଯେଉଁ ୧୨ ଜଣ ଲୋକଙ୍କୁ ଗୁପ୍ତରେ ଗ୍ରୁପ୍-ଡି ଚାକିରି ଦିଆଯାଇଥିଲା, ସେମାନଙ୍କଠାରୁ ଲାଞ୍ଚ ଆକାରରେ ଲାଲୁ ଜମି ଆଣି ନିଜ ପରିବାର ଲୋକଙ୍କ ନାମରେ କରାଇଥିଲେ । ପନôୀ ରାବଡୀ ଦେବୀ, କନ୍ୟା ମିସା ଭାରତୀ ଓ ହେମା ଯାଦବଙ୍କ ନାମରେ ଏହିସବୁ ପ୍ଲଟ୍ ରେଜିଷ୍ଟ୍ରୀ କରାଯାଇଥିଲା । ଦଲିଲ୍ରେ ଜମି ମୂଲ୍ୟ ବାବଦରେ ଯାହା ଲେଖା ଥାଉ ନା କାହିଁକି ଲାଲୁଙ୍କ ପକ୍ଷରୁ ଅଳ୍ପ କିଛି ନଗଦ ଟଙ୍କା ସେମାନଙ୍କୁ ଦିଆଯାଇଥିଲା । ଏହି ମାମଲାରେ ଲାଲୁଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଏବଂ ଝିଅ ଚନ୍ଦା ଯାଦବ ଓ ରାଗିଣୀ ଯାଦବ ମଧ୍ୟ ଅଭିଯୁକ୍ତ । ଯେଉଁ ମାମଲା ପୂର୍ବରୁ ରୁଜୁ ହୋଇଥିଲା ଏବେ ସେହି ମାମଲାରହିଁ ଯାଞ୍ଚ ହେଉଛି ବୋଲି ଜଣେ ସିବିଆଇ ଅଧିକାରୀ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *