ଭାରତ ମୁଠାରେ ଶ୍ରୀଲଙ୍କା ଦିନିକିଆ ଶୃଙ୍ଖଳା

କୋଲକାତା, ୧୨ା୧ (ଏଜେନ୍ସି): ଶ୍ରୀଲଙ୍କା ବିପକ୍ଷରେ କ୍ରମାଗତ ୧୦ମ ଦିନିକିଆ ଆନ୍ତର୍ଜାତିକ ଶୃଙ୍ଖଳା ଜିତିଛି ଭାରତ । ଗୁରୁବାର ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ୪ ୱିକେଟ୍ରେ ପରାସ୍ତ କରିଛି । ଏହା ସହିତ ଆୟୋଜକ ଟିମ୍ ୨-୦ରେ ଅପରାଜେୟ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ କବ୍ଜା କରିଛି । ଏହା ପୂର୍ବରୁ ଭାରତ ଏହି ଟିମ୍ ବିପକ୍ଷରେ ଟି-୨୦ ଆନ୍ତର୍ଜାତିକ ଶୃଙ୍ଖଳା ଜିତିଥିଲା ।
ରିଷ୍ଟ ସ୍ପିନର୍ କୁଲଦୀପ ଯାଦବ ଓ ଲୋକେଶ ରାହୁଲ ଟିମ୍ର ବିଜୟରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ । କୁଲଦୀପ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ତୃତୀୟ ତଥା ଶେଷ ମ୍ୟାଚ୍ ୧୫ରେ ତିରୁଭନନ୍ତପୁରମ୍ ଠାରେ ଖେଳାଯିବ ।
୨୧୫ ରନ୍ର ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ ୪୩.୨ ଓଭର୍ରେ ୬ ୱିକେଟ୍ ହରାଇ ୨୧୯ ରନ୍ କରି ବିଜୟୀ ହୋଇଥିଲା । ପୂର୍ବ ମ୍ୟାଚ୍ରେ ଶତକୀୟ ଭାଗୀଦାରୀ କରିଥିବା ଭାରତୀୟ ଓପନିଂ ଯୋଡ଼ି ଏଥର ମାତ୍ର ୩୩ ରନ୍ରେ ଭାଙ୍ଗିଥିଲା । ଅଧିନାୟକ ରୋହିତ ଶର୍ମା ୧୭ ରନ୍ କରି ଚମିକା କରୁଣାରତ୍ନେଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଶୁଭମନ ଗିଲ୍ (୨୧) ମଧ୍ୟ ବେଶୀ ବାଟ ଯାଇ ନ ଥିଲେ । ଲାହିରୁ କୁମାରା ତାଙ୍କ ୱିକେଟ୍ ନେଇଥିଲେ । ବିରାଟ କୋହଲି ମାତ୍ର ୪ ରନ୍ କରି କୁମାରାଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଶ୍ରେୟାସ ଆୟର ୨୮ ରନ୍ କରି କସୁନ ରଜିତାଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ ।
୮୬ ରନ୍ରେ ୪ ୱିକେଟ୍ ପଡ଼ିଥିଲା । ଏହାପରେ ଲୋକେଶ ରାହୁଲ ଓ ହାର୍ଦ୍ଦିକ ପାଣ୍ଡ୍ୟା ମିଶି ଇନିଂସ୍ ସମ୍ଭାଳିଥିଲେ । ଉଭୟ ପଞ୍ଚମ ୱିକେଟ୍ ପାଇଁ ୭୫ ରନ୍ର ଗୁରୁତ୍ୱପୂର୍ଣ୍ଣ ଭାଗୀଦାରୀ କରିଥିଲେ । ହାର୍ଦ୍ଦିକ ବ୍ୟକ୍ତିଗତ ୩୬ ରନ୍ରେ କରୁଣାରତ୍ନେଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ରାହୁଲ ଏହାପରେ ଅକ୍ଷର ପଟେଲ୍ଙ୍କ ସହ ମିଶି ୩୦ ରନ୍ ଯୋଗ କରିଥିଲେ । ଅକ୍ଷର ୨୧ ରନ୍ କରି ଧନଞ୍ଜୟ ଡି’ ସିଲ୍ଭାଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ ।
ରାହୁଲ ୯୩ ବଲ୍ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ସେ କୁଲଦୀପଙ୍କ ସହ ମିଶି ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ରାହୁଲ ୧୦୩ ବଲ୍ରୁ ୬ ଚୌକା ସହାୟତାରେ ୬୪ ଓ କୁଲଦୀପ ୧୦ ରନ୍ କରି ଅପରାଜିତ ଥିଲେ ।
ଏହା ପୂର୍ବରୁ ଇଡେନ୍ ଗାର୍ଡେନ୍ସ ଠାରେ ଶ୍ରୀଲଙ୍କା ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ୩୯.୪ ଓଭର୍ରେ ୨୧୫ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ନବାଗତ ନୁଆନିଦୁ ଫର୍ଣ୍ଣାଣ୍ଡୋ (୫୦) ଅର୍ଦ୍ଧଶତକୀୟ ଇନିଂସ୍ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ କୁସଲ ମେଣ୍ଡିସ୍ ୩୪, ଦୁନିତ ୱେଲାଲାଗେ ୩୨, ୱାନିନ୍ଦୁ ହସରଙ୍ଗା ୨୧, ଆବିସ୍କା ଫର୍ଣ୍ଣାଣ୍ଡୋ ୨୦, ଅଧିନାୟକ ଦସୁନ ଶନାକା ୨ ରନ୍ କରିଥିଲେ ।
ଭାରତ ପକ୍ଷରୁ କୁଲଦୀପ ଓ ମହମ୍ମଦ ସିରାଜ ୩ ଲେଖାଏଁ, ଉମରାନ ମଲିକ ୨ ଓ ଅକ୍ଷର ଗୋଟିଏ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *