ଭିତରକନିକାରେ ୧୭୯୩ କୁମ୍ଭୀର
ରାଜନଗର, ୧୩ା୧(ଆପ୍ର): ବଉଳା କୁମ୍ଭୀରଙ୍କ ଭୂସ୍ୱର୍ଗ ବିଶ୍ୱପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ପ୍ରବାହିତ ନଦୀ ନାଳରେ ପ୍ରାକୃତିକ ଉପାବୟରେ ବସବାସ କରୁଥିବା ବଉଳାକୁମ୍ଭୀରଙ୍କ ସଂଖ୍ୟା ଚଳିତବର୍ଷ ବୃଦ୍ଧି ପାଇଛି । ଗତବର୍ଷ ଭିତରକନିକା ମଧ୍ୟରେ ଓ ବାହାରେ ଥିବା ନଦୀ, ନାଳ ଗୁଡିକରେ ୧୭୮୪ ଟି ବଉଳାକୁମ୍ଭୀର ଥିବା ବେଳେ ଚଳିତବର୍ଷ ଏହି ସଂଖ୍ୟା ୧୭୯୩କୁ ବୃଦ୍ଧିପାଇଛିି । ଅର୍ଥାତ୍ ଗତବର୍ଷ ଠାରୁ ଚଳିତବର୍ଷ ୯ଟି କୁମ୍ଭୀର ଅଧିକ ଥିବା ଚଳିତବର୍ଷର କୁମ୍ଭୀର ଗଣନା ରିପୋର୍ଟରୁ ଜଣାପଡିଛି । ଏଥିସହ ଚଳିତବର୍ଷ କୁମ୍ଭୀର ଗଣନା ସମୟରେ ଭିତରକନିକା ନଦୀ ନାଳରେ ଧଳା କୁମ୍ଭୀର ଦେଖିବାକୁ ମିଳିଥିଲା । ଗତବର୍ଷ ଭିତରକନିକା ନଦୀ ନାଳରେ ୧୬ଟି ଧଳା କୁମ୍ଭୀର ଠାବ ହୋଇଥିବା ବେଳେ ଚଳିତବର୍ଷ ଗଣନା ବେଳେ ୨୦ଟି ଧଳା କୁମ୍ଭୀର ଠାବ କରାଯାଇଛି ।
ଚଳିତ ମାସ ୯ ତାରିଖରୁ ୧୨ ତାରିଖ ଯାଏଁ ୪ ଦିନ ଧରି ଏହି କୁମ୍ଭୀର ଗଣନା କରାଯାଇଥିଲା । ବରିଷ୍ଠ ଜୀବ ବିଜ୍ଞାନୀ, ଗବେଷକ, କୁମ୍ଭୀର ବିଶାରଦ ଡଃ.ସୁଧାକର କରଙ୍କ ନେତୃତ୍ୱରେ ୨୨ଟି ଟିମ୍ କୁମ୍ଭୀର ଗଣନା କରିଥିଲେ । ଏହି ଗଣନା ସମୟରେ ୫୬୯ଟି କୁମ୍ଭୀର ଶାବକ (ଛୁଆ) ଅର୍ଥାତ୍ ୨ ଫୁଟରୁ କମ ଲମ୍ବର କୁମ୍ଭୀର, ୩୮୮ଟି ବର୍ଷିକିଆ ଛୁଆ ଅର୍ଥାତ୍ ୨ ରୁ ୩ ଫୁଟିଆ କୁମ୍ଭୀର, ୩୨୫ଟି ଦୁଇ ବର୍ଷିଆ ଛୁଆ ଅର୍ଥାତ୍ ୩ ରୁ ୬ ଫୁଟିଆ କୁମ୍ଭୀର, ୧୬୬ଟି ୪ ରୁ ୫ ବର୍ଷର ଅର୍ଥାତ୍ ୬ ରୁ ୮ ଫୁଟ ଲମ୍ବର କୁମ୍ଭୀର ଦେଖିବାକୁ ମିଳିଥିଲା । ଏଥିସହ ବଡକୁମ୍ଭୀର ଅର୍ଥାତ ୮ ଫୁଟରୁ ଅଧିକ ଲମ୍ବର ୩୪୫ଟି ଗଣନାବେଳେ ଠାବ କରାଯାଇଛି ବୋଲି ରାଜନଗର ଭାରପ୍ରାପ୍ତ ଡିଏଫ୍ଓ ଅଧିର କୁମାର ବେହେରା ସୂଚନା ଦେଇଛନ୍ତି । ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ୧୬୭୩ କୁମ୍ଭୀର ଥିବା ବେଳେ ଭିତରକନିକା ଅଭୟାରଣ୍ୟ ମଧ୍ୟରେ ୧୭୯୩ କୁମ୍ଭୀର ରହିଛନ୍ତି । ଗଣନା ସମୟରେ କନିକା ରେଂଜ ଅଂଚଳରେ ସର୍ବାଧିକ ୧୪୧୭ଟି, ରାଜନଗର ରେଂଜ ଅଂଚଳରେ ୨୬୮ଟି,ମହାକାଳପଡା ରେଂଜ ଅଂଚଳରେ ୭୮ଟି, ଗହୀରମଥା ରେଂଜ ଅଂଚଳରେ ୩୦ଟି ବଉଳା କୁମ୍ଭୀର ଥିବା ଜଣାପଡିଛି । ସକାଳେ ଓ ସଂଧ୍ୟାରେ ଏହି କୁମ୍ଭୀର ମାନଙ୍କ ଗଣନା କରାଯାଇଥିଲା । ସକାଳେ କୁମ୍ଭୀରମାନେ ଖରା ପୋଇଁବା ଅବସ୍ଥାରେ ଓ ସଂଧ୍ୟାରେ ସ୍ପଟ୍ ଲାଇଟ୍ ମାଧ୍ୟମରେ ଗଣାନା କରାଯାଇଥିଲା । ୧୯୭୬ ମସିହା ଠାରୁ ଭିତରକନିକାରେ କୁମ୍ଭୀର ଗଣନା କରାଯାଉଛି । ହୁଲି ଡଙ୍ଗା ସାହାର୍ଯ୍ୟରେ କୁମ୍ଭୀର ଗଣନା କରାଯାଉଛି । ଏଥିସହ ଚଳିତବର୍ଷ ପାରମ୍ପାରିକ ପଦ୍ଧତି ସହିତ ପଲିଗନ ସର୍ଚ୍ଚ ଆପ୍ ମାଧ୍ୟମରେ କୁମ୍ଭୀର ଗଣନା କରାଯାଇଥିଲା ।
ଏଠାରେ ସୂଚନାଯୋଗ୍ୟ ଯେ, ୧୯୭୦ ମସିହା ମଧ୍ୟଭାଗ୍ୟରେ କରାଯାଇଥିବା ଏକ ସର୍ଭେରେ ଭାରତବର୍ଷରେ କୁମ୍ଭୀର ମାନଙ୍କ ସଂଖ୍ୟା ନଗଣ୍ୟ ବୋଲି ଜଣାପଡିଥିଲା । ଏହାପରେ କୁମ୍ଭୀର ମାନଙ୍କର ବଂଶ ବୃଦ୍ଧି ଓ ବାସସ୍ଥଳୀର ସ୍ଥିତି ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ମିଳିତ ଜାତିସଂଘର କୃଷି ଓ ଖାଦ୍ୟ ସଂସ୍ଥାର ସହାୟତାରେ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ଆନ୍ତର୍ଯ୍ୟାତୀୟ ଖ୍ୟାତି ସମ୍ପନ୍ନ ସାମୁଦ୍ରିକ ପ୍ରାଣୀ ବିଶେଷଜ୍ଞ ଡଃ. ଏଚ୍.ଆର୍. ବଷ୍ଟାର୍ଡ ଓଡିଶା ସମୁଦ୍ର ଉପକୂଳ ପରିଦର୍ଶନ କରି ଭିତରକନିକା କୁମ୍ଭୀର ବଂଶବୃଦ୍ଧି ପାଇଁ ଅନୁକୂଳ ପରିବେଶ ବୋଲି ଚିହ୍ନଟ କରିଥିଲେ । ୧୯୭୫ ମସିହାରେ ୧୧୫ ବର୍ଗ କିଲୋମିଟର ଅଂଚଳରେ ୫୦ ଲକ୍ଷ ବ୍ୟୟରେ ଦେଶର ପ୍ରଥମ ବଉଳା କୁମ୍ଭୀର ଗବେଷଣା ଓ ସଂରକ୍ଷଣ କେନ୍ଦ୍ର ଗଢି ଉଠିଥିଲା । ପ୍ରଥମେ ୩୪ଟି ପରିପକ୍ୱ କୁମ୍ଭୀରଙ୍କ ସହିତ ୯୬ ଟି କୁମ୍ଭୀରଙ୍କୁ ନେଇ ଏହି ଯୋଜନା ଆରମ୍ଭ ହୋଇଥିଲା । ବର୍ତମାନ ଏହି ସଂଖ୍ୟା ୧୭୯୩ ରେ ପହଁଚିଛି । କୁମ୍ଭୀର ସଂଖ୍ୟା ବୃଦ୍ଧି ଯୋଗୁଁ ପରିବେଶପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।