ମୋଦିଙ୍କ ସୁରକ୍ଷାରେ ତ୍ରୁଟି
ଏସ୍ପିଜି କର୍ଡନ୍ ଭାଙ୍ଗି କାର୍ ପାଖରେ ପହଞ୍ଚôଲା ଯୁବକ
ହୁବଳୀ, ୧୨ା୧: କର୍ଣ୍ଣାଟକର ହୁବଳୀଠାରେ ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥାରେ ବିଭ୍ରାଟ ଘଟିଛି । ଏସ୍ପିଜି ସୁରକ୍ଷା ବଳୟ ଟପି ଜଣେ ଯୁବକ ରୋଡ୍ ସୋ’ କରୁଥିବା ପ୍ରଧାନମନ୍ତ୍ରୀଙ୍କ କାର୍ ପାଖକୁ ଫୁଲମାଳ ସହ ଝପଟି ଆସିଥିଲା । ସେ ସମୟରେ ପ୍ରଧାନମନ୍ତ୍ରୀ କାର୍ ଗେଟ୍ ଖୋଲି ରାସ୍ତାରେ ଛିଡ଼ା ହୋଇ ଲୋକଙ୍କୁ ଅଭିବାଦନ କରିଥିଲେ । ଯୁବକ ପ୍ରଧାନମନ୍ତ୍ରୀଙ୍କୁ ଫୁଲମାଳ ପିନ୍ଧାଇବା ଉଦ୍ୟମ କରିଥିଲା । ତେବେ କମାଣ୍ଡମାନେ ତାକୁ ତତ୍କ୍ଷଣାତ୍ କାବୁ କରିନେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ସହ ଏପରି ଘଟଣା ଘଟିବା ସମସ୍ତଙ୍କୁ ଚକିତ କରିଥିବାସ୍ଥଳେ ଏହା ସୁରକ୍ଷା ବନେ୍ଦାବସ୍ତରେ ତ୍ରୁଟି ବିଚୁ୍ୟତି ନୁହେଁ ବୋଲି କହିଛନ୍ତି ସ୍ଥାନୀୟ ପୁଲିସ୍ କମିଶନର ।
୨୬ତମ ନ୍ୟାସନାଲ୍ ୟୁଥ୍ ଫେଷ୍ଟିଭାଲ ଉଦ୍ଘାଟନ ପାଇଁ ହୁବଲୀରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ । ଏହି ଅବସରରେ ବିଶାଳ ରୋଡ୍ ସୋ’ ଆୟୋଜନ କରାଯାଇଥିଲା । ମୋଦୀଙ୍କ ସ୍ୱାଗତ ପାଇଁ ରାସ୍ତାର ଦୁଇ ପାଶ୍ୱର୍ରେ ହଜାର ହଜାର ଲୋକ ଥିଲେ । କାରର ଡୋର୍ ନିକଟରେ ଛିଡ଼ା ହୋଇ ହାତ ହଲାଇ ଲୋକଙ୍କ ଅଭିବାଦନ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ । ଫୁଲ ବର୍ଷା, ନାରାବାଜି ଭିତରେ ମୋଦୀଙ୍କ ଗାଡ଼ି ଆଗକୁ ଗଡୁଥିଲା । ଏହି ସମୟରେ ସୁରକ୍ଷା କର୍ମୀଙ୍କୁ ଚକମା ଦେଇ ହଠାତ୍ ଜଣେ ଯୁବକ ଫୁଲମାଳ ଧରି ସୁରକ୍ଷା ଘେର ଭିତରକୁ ପଶି ଆସିଥିଲା । ସେ ଫୁଲମାଳ ବଢାଇବାକୁ ଉଦ୍ୟମ କରୁଥିବା ବେଳେ ତାକୁ କାବୁ କରି ବାହାରକୁ ନେଇ ଯାଇଥିଲେ ଏସ୍ପିଜି ଯବାନ ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି ପ୍ରଥମ ଥର ପାଇଁ ହୋଇନାହିଁ । ଗତବର୍ଷ ଜାନୁଆରୀରେ ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍କେଡ୍ ୧୫ ମିନିଟରୁ ଅଧିକ ସମୟ ଅଟକି ଯାଇଥିଲା । ପାକିସ୍ତାନ ସୀମା ନିକଟ ଜାତୀୟ ସହିଦ ସ୍ମାରକୀଙ୍କୁ ଯିବା ବେଳେ ଆନେ୍ଦାଳନରତ କୃଷକ ତାଙ୍କ ରାସ୍ତା ଅବରୋଧ କରିଥିଲେ । ଗୃହ ମନ୍ତ୍ରାଳୟର ବ୍ଲୁ-ବୁକରେ ଥିବା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ଅନୁଯାୟୀ, ସ୍ପେସାଲ୍ ପ୍ରୋଟେକ୍ସନ୍ ଗ୍ରୁପ୍ (ଏସ୍ପିଜି)କୁ ଏହି ଦାୟିତ୍ୱ ଦିଆଯାଇଛି । ଦେଶ ଭିତରେ ଓ ବାହାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଏସ୍ପିଜି କମାଣ୍ଡୋମାନେ ନିୟୋଜିତ ହୋଇଥାନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କ ପ୍ରତି ମିନିଟର କାର୍ଯ୍ୟସୂଚୀ ମନିଟର କରିଥାନ୍ତି । ଦ୍ୱିତୀୟ ଓ ତୃତୀୟ ସୁରକ୍ଷା ବଳୟ ଦାୟିତ୍ୱରେ ରହିଥାନ୍ତି କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଓ ସ୍ଥାନୀୟ ପୁଲିସ୍ । ଏହିପରି ପ୍ରଧାନମନ୍ତ୍ରୀଙ୍କୁ ୫ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଇଥାଏ । ସମସ୍ତ ସୁରକ୍ଷା ସଂସ୍ଥା ସହ ସମନ୍ୱୟ ରଖିଥାଏ ଏସ୍ପିଜି ।