ଆଜିଠୁ ହକି ବିଶ୍ୱକପ୍ ଲଢ଼େଇ
ଭୁବନେଶ୍ୱର/ରାଉରକେଲା, ୧୨ା୧ (ବୁ୍ୟରୋ/ଆପ୍ର): ଶୁକ୍ରବାର ଠାରୁ ଭୁବନେଶ୍ୱରର କଳିଙ୍ଗ ହକି ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ଆରମ୍ଭ ହେବାକୁ ଯାଉଛି ଏଫ୍ଆଇଏଚ୍ ପୁରୁଷ ହକି ବିଶ୍ୱକପ୍ ୨୦୨୩ । ଆୟୋଜକଙ୍କ ଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଏହି ବଡ଼ ଆୟୋଜନକୁ ନେଇ ବିପୁଳ ଉତ୍ସାହ ଦେଖିବାକୁ ମିଳିଛି । ଓଡ଼ିଶାରେ ଦ୍ୱିତୀୟ ଥର ହକି ବିଶ୍ୱକପ୍ ଆୟୋଜନ ହେଉଛି ।
ଭାରତ ଶେଷ ଥର ୧୯୭୫ରେ ମାଲେସିଆର କୁଆଲାଲମ୍ପୁର ଠାରେ ବିଶ୍ୱକପ୍ ମୁକୁଟ ଜିତିଥିଲା । ଏହା ପରଠାରୁ ଭାରତକୁ ଆଉ କେବେ ଏହି ସମ୍ମାନଜନକ ଟ୍ରଫି ଉଠାଇବାର ସୌଭାଗ୍ୟ ମିଳି ନାହିଁ ।
ପୁରୁଷ ହକି ବିଶ୍ୱକପ୍ରେ ପୂର୍ବ ସଂସ୍କରଣ ଭଳି ଏଥର ବି ୧୬ ଟିମ୍ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ । ବିଶ୍ୱ ମାନ୍ୟତାରେ ଥିବା ଷଷ୍ଠ ସ୍ଥାନରେ ଥିବା ଭାରତକୁ ବିଶ୍ୱକପ୍ରେ ପୁଲ୍-ଡି’ରେ ଇଂଲଣ୍ଡ, ସ୍ପେନ୍ ଓ ୱେଲ୍ସ ଟିମ୍ ସହିତ ରଖାଯାଇଛି । ଭାରତୀୟ ଟିମ୍ ଜାନୁଆରୀ ୧୩ରେ ରାଉରକେଲାର ନବନିର୍ମିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ରେ ବିଶ୍ୱର ଅଷ୍ଟମ ଟିମ୍ ସ୍ପେନ୍ ବିପକ୍ଷରେ ଅଭିଯାନ ଆରମ୍ଭ କରିବ । ଏହାପରେ ଆୟୋଜକ ଟିମ୍ ୧୫ରେ ରାଉରକେଲା ଠାରେ ପଞ୍ଚମ ଟିମ୍ ଇଂଲଣ୍ଡ ଓ ୧୯ରେ ଭୁବନେଶ୍ୱର ଠାରେ ପଞ୍ଚଦଶ ଟିମ୍ ୱେଲ୍ସକୁ ଭେଟିବ । ଭୁବନେଶ୍ୱର ଠାରେ ୨୭ରେ ସେମିଫାଇନାଲ୍ ଓ ୨୯ରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।
ପୁଲ୍-ଏ’ରେ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ, ଆର୍ଜେଣ୍ଟିନା, ଫ୍ରାନ୍ସ ଓ ସାଉଥ୍ ଆଫ୍ରିକା; ପୁଲ୍-ବି’ରେ ଡିଫେଣ୍ଡିଂ ଚାମ୍ପିଅନ୍ ବେଲ୍ଜିୟମ୍, ଜର୍ମାନୀ, କୋରିଆ ଓ ଜାପାନ; ପୁଲ୍-ସି’ରେ ନେଦରଲାଣ୍ଡ୍ସ, ନୁ୍ୟଜିଲାଣ୍ଡ, ମାଲେସିଆ ଓ ଚିଲି ଟିମ୍ ରହିଛନ୍ତି ।
ଡିଫେଣ୍ଡର୍ ହରମନପ୍ରୀତ ସିଂହଙ୍କୁ ଟିମ୍ର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଓଡ଼ିଶାର ଦୁଇ ଜଣ ଖେଳାଳି ୧୮ ଜଣିଆ ଭାରତୀୟ ଟିମ୍ରେ ସ୍ଥାନ ପାଇଛନ୍ତି । ସେଥିମଧ୍ୟରୁ ଡିଫେଣ୍ଡର ଅମିତ ରୋହିଦାସ ଉପ-ଅଧିନାୟକ ଦାୟିତ୍ୱ ତୁଲାଇବେ । ଅନ୍ୟତମ ଓଡ଼ିଆ ହେଲେ ଡିଫେଣ୍ଡର୍ ନୀଲମ ସଞ୍ଜୀପ ଖେସ୍ ।