ପରଲୋକରେ ଶରଦ ଯାଦବ
ନୂଆଦିଲ୍ଲୀ, ୧୨ା୧: ଜନତା ଦଳ ୟୁନାଇଟେଡ୍ (ଜେଡିୟୁ)ର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଗୁରୁବାର ପରଲୋକ ଘଟିଛି । ୭୫ ବର୍ଷୀୟ ଶରଦ ଗୁରୁଗ୍ରାମସ୍ଥିତ ଫୋର୍ଟିସ୍ ହସ୍ପିଟାଲରେ ରାତି ୯ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ କନ୍ୟା ସୁଭାଷିନୀ ଯାଦବ ଟ୍ୱିଟ୍ ମାଧ୍ୟମରେ ଜଣାଇଛନ୍ତି । ସେ ଲେଖିଛନ୍ତି- ପାପା ନହିଁ ରହେ ।
ବିହାର ରାଜନୀତିରେ ଶରଦ ଯାଦବ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସମାଜବାଦ-ରାଜନୀତି ଯୋଗୁଁ ସେ ପ୍ରଭୂତ ଲୋକପ୍ରିୟତା ହାସଲ କରିଥିଲେ । ଶରଦ ୪ ଥର ବିହାରର ମଧେପୁର ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢି ଜିତିଥିଲେ । ଏହି ମହାନ ନେତାଙ୍କ ପରଲୋକରେ ବିହାରରେ ଶୋକର ଲହରୀ ଖେଳିଯାଇଛି । ଶରଦ ଅନେକ ଦିନ ହେଲା ଅସୁସ୍ଥ ଥିଲେ । ଗୁରୁବାର ସନ୍ଧ୍ୟାରେ ସ୍ୱାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତୁରନ୍ତ ତାଙ୍କୁ ଫର୍ଟିସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ପରଲୋକ ଖବର ପାଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରମୁଖ ଗଭୀର ଶୋକବ୍ୟକ୍ତ କରିଛନ୍ତି ।