ସରକାରୀ ଖର୍ଚ୍ଚରେ ପାର୍ଟି ବିଜ୍ଞାପନ
ଆପ୍କୁ ୧୬୪ କୋଟିର ଅସୁଲ ନୋଟିସ୍
ନୂଆଦିଲ୍ଲୀ, ୧୨ା୧: ସରକାରୀ ବିଜ୍ଞାପନ ଆଳରେ ନିଜ ପ୍ରଚାର କରି ଧରାପଡ଼ିଛି ଦିଲ୍ଲୀ ରାଜ୍ୟର ଶାସକ ଦଳ ଆମ୍ ଆଦମୀ ପାର୍ଟି (ଆପ୍) । ଏଥିପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନିକଟକୁ ଖୋଦ୍ ଦିଲ୍ଲୀ ସରକାର ୧୬୩.୬୨ କୋଟି ଟଙ୍କା ୧୦ ଦିନ ଭିତରେ ଫେରସ୍ତ ପାଇଁ ନୋଟିସ୍ ପଠାଇଛନ୍ତି । ଗତ ମାସରେ ଉପ ରାଜ୍ୟପାଳ ଭିକେ ସକ୍ସେନା ସରକାରୀ ବିଜ୍ଞାପନ ଆଳରେ ଆପ୍ ନିଜର ରାଜନୀତିକ ପ୍ରଚାର କରୁଥିବା ଅଭିଯୋଗ ଆଣିବା ସହ ଦିଲ୍ଲୀ
ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଥିଲେ । ୨୦୧୫-୧୬ରେ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ୯୭ କୋଟି ଟଙ୍କା ଆପ୍ ଠାରୁ ଆଦାୟ କରିବାକୁ ସେ ନିଦେ୍ର୍ଦଶ ଦେଇଥିଲେ । ନିଦେ୍ର୍ଦଶର ଗୋଟିଏ ମାସ ପରେ ଡିରେକ୍ଟୋରେଟ ଅଫ ଇନ୍ଫର୍ମେସନ ଆଣ୍ଡ ପବ୍ଲିସିଟି (ଡିଆଇପି) ପକ୍ଷରୁ ନୋଟିସ୍ କରାଯାଇଛି । ବିଜ୍ଞାପନ ବାବଦରେ ହୋଇଥିବା ଖର୍ଚ୍ଚ ଓ ଏହାର ସୁଧକୁ ମିଶାଇ ଆପ୍କୁ ୧୦ ଦିନ ଭିତରେ ୧୬୩.୬୨ କୋଟି ଟଙ୍କା ଦେବାକୁ କୁହାଯାଇଛି । ଯଦି ଆପ୍ ଧାର୍ଯ୍ୟ ସମୟରେ ଟଙ୍କା ପୈଠ ନ କରିବ, ଦଳ ବିରୋଧରେ ଆଇନଗତ ପଦକ୍ଷେପ ନିଆଯିବ । ଦରକାର ପଡ଼ିଲେ ଦଳର ସମସ୍ତ ସମ୍ପତ୍ତି ଆଟାଚ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ ୨୦୧୫ରେ ସୁପ୍ରିମ୍କୋର୍ଟ ସରକାରୀ ବିଜ୍ଞାପନ ସମ୍ବନ୍ଧୀୟ ଗାଇଡ୍ଲାଇନ୍ ନିର୍ଦ୍ଧାରଣ କରିଥିଲେ । ତାହାର ଉଲ୍ଲଂଘନ ହୋଇଥିବାରୁ ୫ ବର୍ଷ ୮ ମାସ ବିତିବା ସତ୍ତ୍ୱେ ଆପ୍ ଆଦେଶ ପାଳନ କରିନାହିଁ । ଡିଆଇପି ୨୦୧୭ ମାର୍ଚ୍ଚ ୩୦ରେ ପତ୍ର ମାଧ୍ୟମରେ ଆପ୍ ସଂଯୋଜକ କେଜରୀୱାଲଙ୍କୁ ୪୨,୨୬,୮୧,୨୬୫ ଟଙ୍କା ଫେରସ୍ତ କରିବାକୁ କହିଥିଲେ ।
ଆସୁଲ ନୋଟିସ୍ ମିଳିବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି, ବିଜେପି ଅଫିସରମାନଙ୍କ ଦୁରୁପଯୋଗ କରୁଛି ଯାହା ଅସାମ୍ବିଧାନିକ ।
