ନନ୍ଷ୍ଟପ୍ ୧୭ କିମି ଦୌଡିÿଲା ୬ ବର୍ଷୀୟ ରୁଦ୍ର

ମାଲକାନଗିରି, ୧୨ା୧(ଆପ୍ର): ଓଡ଼ିଶା ଆଉ ଜଣେ ବୁଦ୍ଧିଆ ସିଂହ ପାଇଛି । ଠିକ୍ ବୁଦ୍ଧିଆ ପରି ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି ମାଲକାନଗିରିର ୬ ବର୍ଷୀୟ ରୁଦ୍ର ସେଠୀ । ଏହି କୁନି ଆଥ୍ଲେଟ୍ ଏବେ ମାଲକାନଗିରିର ବୁଦ୍ଧିଆ ସିଂହ ଭାବେ ପରିଚିତ ।
ବିନା ବିଶ୍ରାମରେ ରୁଦ୍ର ଦୌଡ଼ି ପାରୁଛନ୍ତି ୧୭ କିମି । ୧୭ କିମି ଦୌଡ଼ିବା ପରେ ବି ସେ କ୍ଳାନ୍ତି ଅନୁଭବ କରୁ ନ ଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରି ଅଭ୍ୟାସ ଜାରି ରଖିଲେ ଆଗାମୀ ଦିନରେ ରୁଦ୍ର ଜଣେ ବଡ଼ ଆଥ୍ଲେଟ ହୋଇ ବାହାରିବେ ବୋଲି ସମସ୍ତେ ଆଶା ରଖିଛନ୍ତି । ରୁଦ୍ର ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମ ଶ୍ରେଣୀ ଛାତ୍ର ।
ମାଲକାନଗିରିର ପ୍ରସିଦ୍ଧ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଗୁରୁବାର ସକାଳେ ଆୟୋଜିତ ହୋଇଥିଲା ମାରାଥନ । ଏହି ଦୌଡ଼ ପ୍ରତିଯୋଗିତା କର୍କୁଣ୍ଡାରୁ ବୁଟିଗୁଡ଼ା ସ୍କୁଲ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ରୁଦ୍ର ଥିଲେ ମୁଖ୍ୟ ଆକର୍ଷଣ । ସମସ୍ତଙ୍କ ସହ ତାଳ ଦେଇ ରୁଦ୍ର ବିନା ବିଶ୍ରାମରେ ଦୌଡ଼ିଲେ ୧୭ କିମି ।
ରୁଦ୍ର ଅଚାନକ ଏକାଦିକ୍ରମେ ୧୭ କିମି ଦୌଡ଼ି ନାହାନ୍ତି । ୩ ବର୍ଷ ବୟସରୁ ସେ ଅଭ୍ୟାସ କରିଆସିଛନ୍ତି । ସକାଳୁ ଉଠିବା ପରେ ରୁଦ୍ରଙ୍କ ପ୍ରଥମ କାମ ରନିଂ । ସେ ସକାଳେ ୩ରୁ ୪ କିମି, ସନ୍ଧ୍ୟାରେ ସେତିକି ବାଟ ସେ ଦୌଡ଼ନ୍ତି ।
ରୁଦ୍ରଙ୍କ ଅଜା ରବୀନ୍ଦ୍ର ପୁଲିସ ବିଭାଗରେ ହାବିଲଦାର । ସେ ପିଲାମାନଙ୍କୁ ଖେଳ ପ୍ରଶିକ୍ଷଣ ଦେଇଥାନ୍ତି । ନାତିର ଏପରି ସଫଳତାରେ ସେ ବେଶ୍ ଖୁସି । କିଛି ସରକାରୀ ସହାୟତା ମିଳିଲେ ନାତିକୁ ଅଧିକ ପ୍ରଶିକ୍ଷଣ ଦେଇ ବଡ଼ ବଡ଼ ପ୍ରତିଯୋଗିତା ପାଇଁ ପଠାଇ ପାରିବେ ବୋଲି ସେ କହିଛନ୍ତି ।
ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ କହିଛନ୍ତି, ମାଲକାନଗିରିରୁ ରୁଦ୍ର ଆଉ ଜଣେ ବୁଦ୍ଧିଆ ହୋଇ ଉଭା ହେବା ଆଶା କରାଯାଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *