ହକି ମହାକୁମ୍ଭ ଆରମ୍ଭ
ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଦୁଲୁକିଲା ବାରବାଟୀ
କଟକ, ୧୧ା୧(ବୁ୍ୟରୋ): ସାରା କଟକ ସହର ମୁଖରିତ । ବୁଧବାର ହକି ବିଶ୍ୱକପ୍ ଉଦଘାଟନୀ ଉସôବକୁ ନେଇ ସହରର ସାହିବସ୍ତି, ଗଳିକନ୍ଦିରେ ଦେଖିବାକୁ ମିଳିଛି ଉସôାହ ଉଦ୍ଦୀପନା । ସୁନ୍ଦର ଭାବରେ ସଜେଇ ହୋଇଛି ସହର । ବାରବାଟୀ ଷ୍ଟାଡିୟମର ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ସିଧାପ୍ରସାରଣ ଉପଭୋଗ କରିବା ଲାଗି ସହରବାସୀଙ୍କ ନିମନ୍ତେ ସ୍ଥାନେ ସ୍ଥାନେ ବଡ ବଡ ଏଲ୍ଇଡି ସ୍କ୍ରିନ ଲଗାଯାଇଥିଲା । ଦିନ ଗୋଟାଏରୁ ବାରବାଟୀ ଷ୍ଟାଡିୟମକୁ ଦର୍ଶକମାନଙ୍କ ସୁଅ ଛୁଟିଥିଲା ଏବଂ ଅପରାହ୍ଣ ପ୍ରାୟ ୩ଟା ବେଳକୁ ଷ୍ଟାଡିୟମରେ ଖଚାଖଚ ଭିଡ ହୋଇଥିବା ଦେଖିବାକୁ ମିଳିଥିଲା । ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିଲା ଓଡିଆ କଳାକାରମାନଙ୍କ ଗୀତ ଓ ନାଚ । ପୁରୀର ଓଡିଆ ରାପର ବିଗ ଡିଲଙ୍କ ପ୍ରଦର୍ଶନ ଖୁବ ଉଚ୍ଚକୋଟୀର ହୋଇଥିଲା । ଓଲିଉଡ ଷ୍ଟାର୍ ସବ୍ୟସାଚୀ ଓ ଅର୍ଚ୍ଚିତାଙ୍କ ନୃତ୍ୟ ବେଶ୍ ଉପଭୋଗ୍ୟ ହୋଇଥିଲା । ପ୍ରିନ୍ସ ଡାନ୍ସ ଗ୍ରୁପ୍, ରୁତୁରାଜ ମହାନ୍ତି ପ୍ରମୁଖ ନିଜ ନିଜର କଳା ନୈପୁଣ୍ୟ ପ୍ରଦର୍ଶନ କରିଥିଲେ । ସନ୍ଧ୍ୟା ୬ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ଯ୍ୟକ୍ରମ ଉଦ୍ଘାଟନ କରିଥିଲେ । ମୁଖ୍ୟମନ୍ତ୍ରୀ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃତଜ୍ଞତା ଜଣାଇଥିଲେ । ନିଜ ଶୈଳୀରେ ସମସ୍ତ ଅତିଥି ଓ ଦର୍ଶକଙ୍କୁ ସ୍ୱାଗତ କରି ‘ଆତିଥ୍ୟ ଆମ ଓଡିଶାର ପରିଚୟ… କଟକରେ ଉଦ୍ଘାଟନୀ ଉତ୍ସବ ହେଉଛି… ଆପଣମାନେ ଖୁସି ତ’ ବୋଲି କହିଥିଲେ । ଏଫ୍ଆଇଏଚ୍ ସଭାପତି ତୟବ ଇକ୍ରମ ପ୍ରଥମେ ହକି ବିଶ୍ୱକପ ଉପରେ ଆଲୋକପାତ କରିଥିଲେ । କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଏହି ଭବ୍ୟ ସମାରୋହରେ ଯୋଗଦେଇ ଦ୍ୱିତୀୟ ଥର ପାଇଁ ଓଡିଶା ହକି ବିଶ୍ୱକପ୍ ଆୟୋଜନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏହା ସର୍ବୋତ୍ତମ ଭବ୍ୟ ଆୟୋଜନ ବୋଲି ମତ ଦେଇଥିଲେ । ଏହି ଅବସରରେ ହକି ଇଣ୍ଡିଆ ସଭାପତି ଦିଲ୍ଲୀପ ତିର୍କୀ, ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉପସ୍ଥିତ ଥିଲେ । ପ୍ରଥମେ ଓଡିଶୀ ନୃତ୍ୟଗୁରୁ ଅରୁଣା ମହାନ୍ତି ଓ ନମିତା ମେଲେକାଙ୍କ ନେତୃତ୍ୱରେ ନୃତ୍ୟ ପରିବେଷଣ କରାଯାଇଥିଲା । ବଲିଉଡ୍ର ମନୀଷ ପଲ୍ ଓ ଗୌହର ଖାନଙ୍କ ମଂଚ ସଂଯୋଜନାରେ ପ୍ରୀତମ, ନିତି ମୋହନ, ବେନି ଦୟାଲ, ଅନ୍ତରା ମିତ୍ର, ଶ୍ରୀରାମ ଚନ୍ଦ୍ରା, ନିକାଶ ଅଜିଜ, ଅମିତ ମିଶ୍ର ପ୍ରମୁଖଙ୍କ ରଙ୍ଗାରଙ୍ଗ ନୃତ୍ୟ ଗୀତ ଖୁବ୍ ଜମିଥିଲା ।
ସୂଚନାଯୋଗ୍ୟ ଯେ ହକି ଟ୍ରଫି ସାରା ରାଜ୍ୟରେ ବୁଲିବା ପରେ ମଙ୍ଗଳବାର ରାତିରେ କଟକରେ ପହଂଚିଥିଲା । ଟ୍ରଫି ଜଗତସିଂହପୁରରୁ ଆସି ବିଦ୍ୟାଧରପୁରରେ ପହଂଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ କରାଯାଇ ଜବାହରଲାଲ ଇନ୍ଡୋର ଷ୍ଟାଡିୟମକୁ ନିଆଯାଇଥିଲା । ଆଜି ସକାଳୁ କଟକ ସହର ପରିକ୍ରମା ବାରାବଟୀ ଷ୍ଟାଡିୟମରେ ଟ୍ରଫି ପହଞ୍ଚôଥିଲା ।