ଧର୍ମେନ୍ଦ୍ରଙ୍କୁ ମିଳିବ ଗୁରୁଦାୟିତ୍ୱ!

କେନ୍ଦ୍ର କ୍ୟାବିନେଟ୍ରେ ଅଦଳବଦଳ ସମ୍ଭାବନା
ନୂଆଦିଲ୍ଲୀ, ୧୧ା୧: କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ତଥା ବିଜେପି ମୁଖ୍ୟାଳୟଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ଏହି କିଛି ଦିନ ହେଲା ଘନ ଘନ ଉଚ୍ଚସ୍ତରୀୟ ବୈଠକ ବସୁଥିବା ପରିପ୍ରେକ୍ଷୀରେ ଖୁବ୍ ଶୀଘ୍ର ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ ହେବାକୁ ଯାଉଥିବା ସଙ୍କେତ ମିଳୁଛି । ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଆସନ୍ତା ୧୬-୧୭ରେ ଅନୁଷ୍ଠିତ ହେବ । ୨୩ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ କାର୍ଯ୍ୟକାଳ ପୂରିବ । ସଂସଦର ବଜେଟ୍ ଅଧିବେଶନ ଚଳିତ ମାସ ୩୧ରୁ ଆରମ୍ଭ ହେବାକୁ ଯାଉଛି । ତେଣୁ ଜାନୁଆରୀ ୧୮ ରୁ ୨୫ ଭିତରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଅଦଳବଦଳ କରାଯାଇପାରେ ।
ସରକାର ଓ ବିଜେପି ସୂତ୍ର ଅନୁଯାୟୀ ଏହା ହେବ ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟାଳୟର ଶେଷ ପୁନର୍ଗଠନ । ସମ୍ଭାବ୍ୟ ମନ୍ତ୍ରିମଣ୍ଡଳରେ ଯେଉଁମାନେ ସ୍ଥାନ ପାଇବେ, ସେହିମାନେ ହିଁ ଚଳିତ ବର୍ଷ ହେବାକୁ ଥିବା ୧୦ ରାଜ୍ୟ ବିଧାନସଭା ନିର୍ବାଚନ ଏବଂ ୨୦୨୪ ଲୋକସଭା ନିର୍ବାଚନରେ ପାର୍ଟିର ମୋର୍ଚ୍ଚା ସମ୍ଭାଳିବେ । ସୂତ୍ର ଅନୁଯାୟୀ କେନ୍ତ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ ଓ ଅନୁରାଗ ଠାକୁରଙ୍କୁ ନୂଆ ତଥା ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇପାରେ । ସେହିପରି ଗୁଜୁରାଟ ନିର୍ବାଚନର ପ୍ରମୁଖ ରଣନୀତିକାର ସିଆର୍ ପାଟିଲ୍ଙ୍କୁ ମଧ୍ୟ କେନ୍ଦ୍ରରେ ବିଶେଷ ଭୂମିକା ନିଭାଇବା ପାଇଁ ଦିଲ୍ଲୀ ଅଣାଯାଇପାରେ । ତେବେ ତାଙ୍କୁ ଦଳୀୟ ସଙ୍ଗଠନରେ ଗୁରୁ ଦାୟିତ୍ୱ ଦିଆଯିବ ନା କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ କରାଯିବ, ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ । ଶକ୍ତିମନ୍ତ୍ରୀ ଆର୍.କେ.ସିଂହଙ୍କ ପାଇଁ ମଧ୍ୟ ନୂଆ ପଦ ଖୋଜା ଯାଉଛି । ମନ୍ତ୍ରିମଣ୍ଡଳରୁ କିଏ ହଟିବେ, କିଏ ସାମିଲ ହେବେ, ଦଳୀୟ କର୍ତ୍ତୃପକ୍ଷ କିଛି ହେଲେ କହିନାହାନ୍ତି । ସମସ୍ତେ କେବଳ ଏତିକି କହୁଛନ୍ତି ଯେ କେବଳ ଜଣେ ବ୍ୟକ୍ତି (ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି)ଙ୍କୁ ହିଁ ଏ ବିଷୟରେ ଜଣାଅଛି ।
ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବିଜେପି ଜାନୁଆରୀ ୨୦ ରୁ ୪୩୬ ଲୋକସଭା ନିର୍ବାଚନ ମଣ୍ଡଳୀରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ନିୟୋଜିତ କରିବ । ଏହି ୪୩୬ ଆସନରେ ଗତଥର ବିଜେପି ଲଢିଥିଲା । ମନ୍ତ୍ରୀମାନେ ସେଠାରେ ରୋଟେସନ୍ ଆଧାରରେ ୩ ଦିନ ଧରି ଅବସ୍ଥାନ କରି କେନ୍ଦ୍ରୀୟ ଯୋଜନାଗୁଡିକର ସମୀକ୍ଷା କରିବେ । ପ୍ରତ୍ୟେକ ମନ୍ତ୍ରୀଙ୍କ ଦାୟିତ୍ୱରେ ରହିବ ୭-୮ ନିର୍ବାଚନ ମଣ୍ଡଳୀ । କେନ୍ଦ୍ର ସରକାର କଲ୍ୟାଣମୂଳକ ଯୋଜନାର କ୍ରିୟାନ୍ୱୟନ ଓ ତାର ଫଳାଫଳ ସମ୍ବନ୍ଧୀୟ ବିବରଣୀ ସେମାନେ ସଂଗ୍ରହ କରି ରିପୋର୍ଟ ଦେବେ । ଏହା ପରେ ନିର୍ବାଚନ ମଣ୍ଡଳୀ ପାଇଁ ଗୋଟିଏ ଲେଖାଁଏ ଟୁଇଟର ହ୍ୟାଣ୍ଡେଲ ପ୍ରସ୍ତୁତ ହେବ ଏବଂ ସେଥିରେ ଅତି କମ୍ରେ ୫୦ ହଜାର ଅନୁଗାମୀଙ୍କୁ ଯୋଡାଯିବ । ସୋସାଲ୍ ମିଡିଆ ମାଧ୍ୟମରେ ଯୁବପିଢୀ, ଧର୍ମଗୁରୁ ଓ ବିଭିନ୍ନ ସମ୍ପ୍ରଦାୟ ସହ ଯୋଗାଯୋଗ ସ୍ଥାପନ କରାଯିବ ।
ଚଳିତ ବର୍ଷ କର୍ଣ୍ଣାଟକ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ମେଘାଳୟ, ନାଗାଲାଣ୍ଡ, ମିଜୋରାମ ଓ ତ୍ରିପୁରାରେ ବିଧାନସଭା ନିର୍ବାଚନ ହେବ । ଜମ୍ମୁ-କାଶ୍ମୀରରେ ବି ନିର୍ବାଚନ ହୋଇପାରେ । ବିଜେପି ପାଇଁ ଏଥିରୁ ୬ଟି ରାଜ୍ୟରେ ପୁନର୍ବାର ସରକାର ଗଠନ ଚ୍ୟାଲେଞ୍ଜ ରହିଛି । ତେଣୁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏହିସବୁ ରାଜ୍ୟର ନେତାମାନଙ୍କ ପ୍ରତିନିଧିତ୍ୱ ଉପରେ ଜୋର ଦିଆଯିବ । ସରକାରଙ୍କ ପକ୍ଷରୁ ସ୍ପଷ୍ଟ ସଙ୍କେତ ଦିଆଯାଇଛି ଯେ ଭଲ କାମ କରୁନଥିବା ମନ୍ତ୍ରୀମାନଙ୍କୁ ଡ୍ରିମ୍ ଟିମ୍ରେ ସ୍ଥାନ ମିଳିବ ନାହିଁ ।
ବିଜେପି ମହଲରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନୂଆ ଟିମ୍ ସମ୍ପର୍କରେ ଚାଲିଥିବା ଚର୍ଚ୍ଚା ଅନୁଯାୟୀ ଅତି କମ୍ରେ ୩ ଜଣ ଦକ୍ଷ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦଳୀୟ ସଙ୍ଗଠନକୁ ଅଣାଯାଇପାରେ । ଜଣେ ପୂର୍ବତନ ବୁ୍ୟରୋକ୍ରାଟ୍ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ହଟା ଯାଇପାରେ । ମହିଳା ପ୍ରତିନିଧିତ୍ୱ ବଢିବ । କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନରୁ ପ୍ରତିନିଧିତ୍ୱ ବଢିବା ସମ୍ଭବ । ୫ଜଣ ମନ୍ତ୍ରୀଙ୍କୁ ଅତିରିକ୍ତ ଦାୟିତ୍ୱରୁ ମୁକ୍ତ କରାଯାଇପାରେ । ଓବିସି, ଅନୁସୂଚୀତ ଜାତି ଓ ଆଦିବାସୀଙ୍କୁ ଯଥୋଚିତ ପ୍ରତିନିଧିତ୍ୱ ମିଳିବ । ସଂଖ୍ୟା ଲଘୁ ବ୍ୟାପାର ମନ୍ତ୍ରଣାଳୟ ଦାୟିତ୍ୱରେ ଜଣେ ଅଣ-ମୁସଲିମ୍ ସଂଖ୍ୟାଲଘୁ ପ୍ରତିନିଧି ରହିବେ । ଗୁଜରାଟ ନିର୍ବାଚନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିବା ନେତା ପୁରସ୍କୃତ ହେବେ । ପୁନର୍ଗଠନରେ ଶିବସେନାର ଶିନେ୍ଦ ଗୋଷ୍ଠୀର ଜଣେ ନେତା ସ୍ଥାନ ପାଇପାରନ୍ତି । ଏନ୍ଡିଏରୁ ଜେଡିୟୁ ବାହାରିଯିବା ପରେ ଖାଲି ହୋଇଥିବା ମନ୍ତ୍ରିପଦ ବିଜେପିର ଜଣେ ନେତାଙ୍କୁ ମିଳିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *