ପ୍ରେମ ପାଇଁ ୨ବର୍ଷର ଝିଅକୁ ହତ୍ୟା

ସ୍ୱାମୀପରିତ୍ୟକ୍ତାଙ୍କ ପ୍ରେମରେ ପଡ଼ି ଯୁବକର ନାରକୀୟ କାଣ୍ଡ
ବାଲେଶ୍ୱର (ଆପ୍ର): ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଭୂଇଁପଡ଼ାରେ ପ୍ରେମ ବ୍ୟାପାରକୁ ନେଇ ଘଟିଛି ନାରକୀୟ କାଣ୍ଡ । ଜଣେ ଯୁବକ ମହିଳାଙ୍କ ପ୍ରେମରେ ପଡ଼ିଥିବା ବେଳେ ଏଥିରେ ବାଧା ଦେଉଥିବା ସମ୍ପୃକ୍ତ ମହିଳାଙ୍କ ୨ ବର୍ଷୀୟ ଝିଅକୁ ଯୁବକଜଣକ ତଣ୍ଟି ଚିପି ହତ୍ୟା କରିଛି । ହତ୍ୟାକାରୀ ଯୁବକ ଜଣକ ଏହି ଭୂଇଁପଡ଼ାର ମନୋଜ ଦାସ ବୋଲି ଜଣାପଡ଼ିଛି ।
ଘଟଣା ଅନୁସାରେ ଭୂଇଁପଡ଼ାର ଅନାଦି ଦାସଙ୍କ ଘରେ ପ୍ରାୟ ଦେଢ଼ ମାସ ହେବ ଜଣେ ସ୍ୱାମୀ ପରିତ୍ୟକ୍ତା ମହିଳା ତାଙ୍କ ଦୁଇ ବର୍ଷୀୟ ଝିଅ ସହ ରହି କାମ କରୁଥିଲେ । ଏହାରି ମଧ୍ୟରେ ଅନାଦିଙ୍କ ପୁଅ ମନୋଜ (ଅବିବାହିତ) ସହ ସମ୍ପୃକ୍ତ ମହିଳାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଦୀର୍ଘ ଦିନ ଧରି ଏଭଳି ପ୍ରେମ କାହାଣୀ ଚାଲିବା ପରେ ନିଜ ପ୍ରେମରେ କଣ୍ଟା ସାଜୁଥିବା ସମ୍ପୃକ୍ତ ମହିଳାଙ୍କ ଦୁଇ ବର୍ଷୀୟ ଝିଅକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲା । ଗତ ୭ରେ ଝିଅଟି ଏକୁଟିଆ ଖେଳୁଥିବା ବେଳେ ମନୋଜ ଏହାର ସୁଯୋଗ ନେଇ ତାକୁ ତଣ୍ଟି ଚିପି ଦେଇଥିଲା । ଝିଅଟି ସଙ୍ଗେ ସଙ୍ଗେ ଭୂଇଁରେ ପଡ଼ିଯିବା ପରେ ସେ ପାଟି କରି ସମସ୍ତଙ୍କୁ ଡାକିଥିଲା । ପରେ ଝିଅଟିକୁ ନୀଳଗିରି ମେଡିକାଲ୍ ଓ ପରେ ବାଲେଶ୍ୱର ମେଡିକାଲ୍ ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।
ଅପରପକ୍ଷେ ଝିଅର ସାଧାରଣ ମୃତୁ୍ୟକୁ ନେଇ ତାଙ୍କ ମା’ ତଥା ମହିଳା ଜଣକ ସହଜରେ ଗ୍ରହଣ କରିପାରୁନଥିବା ବେଳେ ମନୋଜକୁ ନେଇ ସନେ୍ଦହ କରିଥିଲେ । ମନୋଜକୁ ଏ ସମ୍ପର୍କରେ ପଚାରିବାରୁ ସେ ଖେଳୁଥିବା ବେଳେ ପଡ଼ି ଯାଇଥିବା ସଫେଇ ଦେଇଥିଲା । ପରେ ମହିଳା ଜଣକ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ କରିଥିଲା । ବ୍ୟବଚ୍ଛେଦ ରିପୋର୍ଟରେ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିବା ପରେ ପୁଲିସ୍ ମନୋଜକୁ ଗିରଫ କରିଥିଲା । ତାକୁ ଜେରା ପରେ ସେ ସତ କଥା ମାନିବା ସହ ସମ୍ପୃକ୍ତ ମହିଳାଙ୍କୁ ବାହା ହେବା ପାଇଁ ଏଭଳି କାଣ୍ଡ ଘଟାଇଥିବା ସ୍ୱୀକାର କରିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *