ପହଞ୍ଚିଲା ୧୧ ତୈଳ ଉତ୍ତୋଳନ ମେସିନ୍
ଗୋପରେ ପେଟ୍ରୋଲିୟମ ଭଣ୍ଡାର
ଗୋପ, ୧୧ା୧ (ଆପ୍ର): ଗୋପ ବ୍ଲକ୍ ଅନ୍ତର୍ଗତ କୁଶୁପୁରୁ ଠାରେ ସେସମିକ୍ ସର୍ଭେ ଅନୁଯାୟୀ ତୈଳ ଓ ପ୍ରାକୃତିକ ଗ୍ୟାସ୍ର ସନ୍ଧାନ ମିଳିବା ପରେ ପର୍ଯ୍ୟାୟକ୍ରମେ ଏବେ ବିରାଟ ବିରାଟ ତୈଳ ଉତ୍ତୋଳନ ମେସିନ୍ ପହଞ୍ଚିବାରେ ଲାଗିଛି । ପ୍ରଥମ ପର୍ଯ୍ୟାୟରେ ସେଠାରେ ଦୁଇଟି ପୋଖରୀ ଖୋଳାଯିବା ପରେ ମେସିନ୍ ବସାଇବା ନିମନ୍ତେ ପିଣ୍ଡି ନିର୍ମାଣ କରାଯାଇଥିଲା । ଉକ୍ତ ସ୍ଥାନକୁ ମାଟି ଓ ମୋରମ ପକାଇ ସମତୁଲ କରାଯାଇ ରାଜ୍ୟ ରାଜପଥ ପିପିଲି-କୋଣାର୍କ ରାସ୍ତାକୁ ଏହାର ସଂଯୋଗୀକରଣ କରାଯାଇଛି । ମେସିନ୍ ଗୁଡ଼ିକ ପଂହଚିବା ପରେ ଏବେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ଉତ୍ତୋଳନ କାର୍ଯ୍ୟ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଏବେ ୪ଟି ରାଜ୍ୟରୁ ଅତ୍ୟାଧୁନିକ ମେସିନ୍ ଗୁଡ଼ିକ ପହଞ୍ଚିଛି । ଏହି ମେସିନ୍ ଦ୍ୱାରା ପ୍ରାୟ ୯୦୦ ଫୁଟ୍ ତଳୁ ପଙ୍କ ଓ ମାଟି ବାଲିକୁ ଉତ୍ତୋଳନ କରାଯିବ ଏବଂ ଏହାକୁ ବିଶୋଧିକରଣ କରାଯିବ । ବିଶୋଧିକରଣ ପରେ ଆବଶ୍ୟକୀୟ ମେସିନ୍ ମଗାଯାଇ ଏହାର ପୁନଃ ପାଖାପାଖି ୩୦୦୦ ମିଟର ପର୍ଯ୍ୟନ୍ତ କରାଯିବ ବୋଲି ସୂଚନା ରହିଛି । କୁଶୁୁପୁରୁ ବାଦ୍ ମହଲପଡ଼ା ପଞ୍ଚାୟତର ଚିତ୍ରା ଠାରେ ମଧ୍ୟ ଅନୁରୂପ ଭାବେ କାର୍ଯ୍ୟ ଚାଲିଥିବା ବେଳେ କେବଳ ସେଠାରେ ପ୍ରାଥମିକ ପର୍ଯ୍ୟାୟ କାର୍ଯ୍ୟ ଜାରି ରହିଛି ।