ଖୁବ୍ଶୀଘ୍ର ଚମକିବ ଚକ୍ରତୀର୍ଥ ବେଳାଭୂମି
ପୁରୀ (ବୁ୍ୟରୋ): ଶ୍ରୀକ୍ଷେତ୍ର ହେଉଛି ବିଶ୍ୱନିୟନ୍ତାଙ୍କ କ୍ଷେତ୍ର । ପୁରୀକୁ ବିଶ୍ୱ ଐତିହ୍ୟ ନଗରୀ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଚାଲିଛି । ତେଣୁ ପ୍ରତିଦିନ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଚକ୍ରତୀର୍ଥ ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଉନ୍ନତୀକରଣ କାର୍ଯ୍ୟ ଜୋର୍ସୋରରେ ଆରମ୍ଭ ହୋଇଛି । ମାସକ ମଧ୍ୟରେ ନୂଆରୂପରେ ଝଲସିବ ପୁରୀର ଚକ୍ରତୀର୍ଥ ବେଳାଭୂମି ।
ପର୍ଯ୍ୟଟକଙ୍କ ସୁବିଧା ପାଇଁ ଚକ୍ରତୀର୍ଥ ବେଳାଭୂମିରେ ପାଦଚଲା ରାସ୍ତା, ଶୌଚାଳୟ, ପୋଷାକ ପରିବର୍ତ୍ତନ ଗୃହ, ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଉଜ୍ଜ୍ୱଳ ଆଲୋକ ସହ ଚିଲ୍ଡ୍ରେନ୍ ପାର୍କ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଜିଲ୍ଲା ପ୍ରଶାସନର ଏଭଳି ବିକାଶମୂଳକ କାର୍ଯ୍ୟକୁ ସବୁମହଲରେ ସ୍ୱାଗତ କରାଯାଇଛି । କେବଳ ଚକ୍ରତୀର୍ଥ ବେଳାଭୂମି ନୁହେଁ ପୁରୀର ପ୍ରମୁଖ ବେଳାଭୂମି ଦିଗବାରେଣୀ ଖୁଣ୍ଟିଠାରୁ ଲାଇଟ୍ ହାଉସ୍ ବେଳାଭୂମି ଓ ପେଣ୍ଠକଟା ବେଳାଭୂମିର ମଧ୍ୟ ଉନ୍ନତୀକରଣ କରିବା ଆବଶ୍ୟକ ବୋଲି ମତ ରଖିଛନ୍ତି ହୋଟେଲ ମାଲିକ । ଏହା ଦ୍ୱାରା ପୁରୀ ବେଳାଭୂମି ସାରା ବିଶ୍ୱରେ ଆହୁରି ସୁନାମ ଆଣିବ ବୋଲି ମତପ୍ରକାଶ ପାଇଛି ।
୬ କୋଟି ଟଙ୍କା ବ୍ୟୟରେ ବେଳାଭୂମିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ପୂର୍ବରୁ ପୁରୀରେ ବ୍ଲୁ-ଫ୍ଲାଗ୍ ବିଚ୍, ନିଳାଦ୍ରୀ ବିଚ୍ ପ୍ରକଳ୍ପ କାର୍ଯ୍ୟ କରାଯାଇ ବେଳାଭୂମିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରାଯାଇଛି । ପ୍ରଶାସନର ଏଭଳି ପ୍ରୟାସକୁ ପର୍ଯ୍ୟଟକମାନେ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି । ଚକ୍ରତୀର୍ଥ ରୋଡ୍ ବେଳାଭୂମିର ହଲିଡେ ରିସର୍ଟ ଠାରୁ ପିଙ୍କ ହାଉସ୍ ବେଳାଭୂମି ପର୍ଯ୍ୟନ୍ତ ସୌନ୍ଦର୍ଯ୍ୟକରଣ କରାଯାଇ ନୂଆରୂପ ଦିଆଯାଇଛି । ସେପଟେ ଏହି ପ୍ରକଳ୍ପକୁ ଏକମାସ ମଧ୍ୟରେ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ଜିଲ୍ଲାପାଳ କହିଛନ୍ତି । ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ପେଣ୍ଠକଟା ଓ ଅନ୍ୟ ବେଳାଭୂମି ସ୍ଥାନଗୁଡ଼ିକର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ପୁରୀ ବେଳାଭୂମିର ପୂର୍ଣ୍ଣାଙ୍ଗ ବିକାଶ ହୋଇପାରିଲେ ପୁରୀ ସହର ବାସ୍ତବିକ ଐତିହ୍ୟନଗରୀ ରୂପେ ସ୍ୱତନ୍ତ୍ର ସ୍ଥାନ ହାସଲ କରିବ ।