ଆର୍ମି-ନେଭି ପାଇଁ ବିପୁଳ ଯୁଦ୍ଧାସ୍ତ୍ର
ନୂଆଦିଲ୍ଲୀ, ୧ଠା୧: ଉତ୍ତର ସୀମାରେ ଚୀନ୍ ସହ ଉତ୍ତେଜନା ଉଗ୍ର ହେଉଥିବା ପରିପ୍ରେକ୍ଷୀରେ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ (ଡିଏସି) ସେନା-ନୌସେନା ପାଇଁ ୩ଟି ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବକୁ ଦେଇଛି ମଞ୍ଜୁରି । ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ସ୍ଥଳ ସେନାର ୨ଟି ଓ ନୌସେନାର ଗୋଟିଏ ୩ଟି ପୁଞ୍ଜି ଅଧିଗ୍ରହଣ ପ୍ରସ୍ତାବ ଅନୁଯାୟୀ ୪ ହଜାର ୨୭୬ କୋଟି ଟଙ୍କାର ଯୁଦ୍ଧାସ୍ତ୍ର କ୍ରୟ କରାଯିବ ।
ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ସିଏଡି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଶତ୍ରୁ ପକ୍ଷ ବିମାନକୁ ଧ୍ୱସ୍ତ କରିବା ଲାଗି ସ୍ୱଦେଶୀ ହେଲିନା ଆଣ୍ଟି-ଟ୍ୟାଙ୍କ୍ କ୍ଷେପଣାସ୍ତ୍ର ଓ ଆକାଶ ପ୍ରତିରକ୍ଷା ପ୍ରଣାଳୀ ବିକଶିତ କରିବା ସମ୍ବନ୍ଧୀୟ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ପୂର୍ବୋକ୍ତ ୩ଟି ପ୍ରସ୍ତାବ ଭାରତୀୟ-ଆଇଡିଡିଏନ୍ ଶ୍ରେଣୀ ଅନ୍ତର୍ଭୁକ୍ତ । ଡିଏସି ନିକଟରେ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଶାଇ, ଲଞ୍ଚର୍ ଓ ତତ୍ସମ୍ବନ୍ଧୀୟ ସହାୟକ ଉପକରଣ କିଣିବା ପାଇଁ ଏଓଏନ୍କୁ ମଞ୍ଜୁରି ଦେଇଛି । ଏହିସବୁ ଉପକରଣକୁ ଉନ୍ନତ ହାଲୁକା ହେଲିକପ୍ଟର (ଏଏଲ୍ଏଚ୍)ରେ ଖଞ୍ଜାଯିବ । ଫଳତଃ ଭାରତୀୟ ସେନାର ଆକ୍ରାମକ କ୍ଷମତା ମଜ୍ଭୁତ ହେବ ।
ଏହାଛଡା ଡିଏସି ପକ୍ଷରୁ ବିଏସ୍ହୋରାଡ୍ (ଆଇଆର୍ ହୋମିଂ) କ୍ଷେପଣାସ୍ତ୍ର ପ୍ରଣାଳୀ କ୍ରୟକୁ ମଞ୍ଜୁରି ଦିଆଯାଇଛି । ଡିଆର୍ଡିଓ ଦ୍ୱାରା ଏହି କ୍ଷେପଣାସ୍ତ୍ର ବିକଶିତ ହୋଇଛି । ବିଏସ୍ହୋରାଡ୍କୁ ସମୁଦ୍ରରେ ମଧ୍ୟ ମୁତୟନ କରାଯିବ । ନୌସେନା ପାଇଁ ସିୱାଲିକ୍ ଶ୍ରେଣୀର ଏକ ଜାହାଜ ଓ ଆଗାମୀ ପିଢିର କ୍ଷେପଣାସ୍ତ୍ର ୱେସଲ୍ସ (ଏନ୍ଜିଏମ୍ବି) ପାଇଁ ବ୍ରହ୍ମୋସ୍ ଲଞ୍ଚର୍ ଓ ଫାୟାର କଣ୍ଟ୍ରୋଲ୍ ସିଷ୍ଟମ୍ (ଏଫ୍ସିଏସ୍) କ୍ରୟ କରାଯିବ ।