ବର୍ଷର ପ୍ରଥମ ଦିନିକିଆ ଜିତିଲା ଟିମ୍ ଇଣ୍ଡିଆ

୬୭ ରନ୍ରେ ହାରିଲା ଶ୍ର୍ରୀଲଙ୍କା, ଚାରି ବର୍ଷ ପରେ ଘରେ ବିରାଟଙ୍କ ଶତକ
ଗୌହାଟୀ, ୧୦ା୧ (ଏଜେନ୍ସି): ବିରାଟ କୋହଲିଙ୍କ ୪୫ତମ ଶତକ ସହାୟତାରେ ଟିମ୍ ଇଣ୍ଡିଆ ମଙ୍ଗଳବାର ବିଶ୍ୱକପ୍ ବର୍ଷର ପ୍ରଥମ ଦିନିକିଆରେ ଦମ୍ଦାର ବିଜୟ ହାସଲ କରିଛି । ରୋହିତ ଶର୍ମାଙ୍କ ଟିମ୍ ଶ୍ରୀଲଙ୍କାକୁ ୬୭ ରନ୍ରେ ମାତ୍ ଦେଇଛି । ଏହା ସହିତ ଭାରତୀୟ ଟିମ୍ ତିନି ମ୍ୟାଚ୍ର ଶୃଙ୍ଖଳାରେ ୧-୦ରେ ଅଗ୍ରଣୀ ହୋଇଛି । ବିରାଟ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିଲେ । ଦ୍ୱିତୀୟ ମ୍ୟାଚ୍ ଜାନୁଆରୀ ୧୨ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ।
ଗୌହାଟୀର ବରସାପାରା ଷ୍ଟାଡିୟମ୍ରେ ଶ୍ରୀଲଙ୍କା ଟିମ୍ ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ଟିମ୍ରେ ସାମିଲ୍ କରାଯାଇ ନ ଥିଲା ।
ଭାରତୀୟ ଟିମ୍ ୫୦ ଓଭର୍ରେ ୭ ୱିକେଟ୍ ହରାଇ ୩୭୩ ରନ୍ର ବିଶାଳ ସ୍କୋର୍ ଛିଡ଼ା କରିଥିଲା । ଟିମ୍ ପକ୍ଷରୁ ବିରାଟ ଚାରି ବର୍ଷ ପରେ ଘରେ ଶତକ ଲଗାଇଥିଲେ । ଜବାବରେ ଶ୍ରୀଲଙ୍କା ଟିମ୍ ୮ ୱିକେଟ୍ ହରାଇ ୩୦୬ ରନ୍ କରିବାକୁ ସମର୍ଥ ହୋଇଥିଲା । ଭ୍ରମଣକାରୀ ଟିମ୍ର ଅଧିନାୟକ ଦସୁନ ଶନାକା (୧୦୮) କ୍ୟାରିଅରର ଦ୍ୱିତୀୟ ଦିନିକିଆ ଶତକ ଲଗାଇଥିଲେ । ସେ ନବମ ୱିକେଟ୍ ପାଇଁ କସୁନ ରଜିତାଙ୍କ ସହ ୭୩ ବଲ୍ରୁ ୧୦୦ ରନ୍ର ଭାଗୀଦାରୀ କରି ଭାରତର ବିଜୟ ପ୍ରତୀକ୍ଷାକୁ ବଢ଼ାଇ ଦେଇଥିଲେ ।
ଅଧିନାୟକ ରୋହିତ ଶର୍ମା ଓ ଶୁଭମନ ଗିଲ୍ ଭାରତୀୟ ଇନିଂସ୍ ଓପନ୍ କରିଥିଲେ । ଉଭୟ ଜୋର୍ଦାର ଢଙ୍ଗରେ ଖେଳି ୧୫ତମ ଓଭର୍ରେ ଇନିଂସ୍କୁ ୧୦୦ରେ ପହଞ୍ଚାଇଥିଲେ । ଇତ୍ୟବସରେ ରୋହିତ ୪୧ ବଲ୍ରୁ ଦିନିକିଆ କ୍ୟାରିଅରର ୪୭ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ଏହାପରେ ଗିଲ୍ ୫୧ ବଲ୍ରୁ ବ୍ୟକ୍ତିଗତ ପଞ୍ଚମ ଦିନିକିଆ ଶତକ ଲଗାଇଥିଲେ । ଓପନିଂ ୱିକେଟ୍ ପାଇଁ ୧୪୩ (୧୧୮ ବଲ୍ରୁ) ରନ୍ର ଭାଗୀଦାରୀ ହୋଇଥିଲା । ଗିଲ୍ ୬୦ ବଲ୍ରୁ ୧୧ ଚୌକା ସହାୟତାରେ ୭୦ ରନ୍ କରି ଶନାକାଙ୍କ ବଲ୍ରେ ଆଉଟ୍ ହୋଇଥିବା ବେଳେ ରୋହିତ ୬୭ ବଲ୍ରୁ ୮୩ (୯ ଚୌକା ଓ ୩ ଛକା ସହାୟତାରେ) ଦିଲ୍ସାନ ମଦୁଶଙ୍କାଙ୍କ ଶିକାର ହୋଇଥିଲେ ।
ଏହାପରେ ବିରାଟ ଓ ଶ୍ରେୟାସ ଆୟରଙ୍କ ଯୋଡ଼ି ୪୦ ରନ୍ ଯୋଗ କରିଥିଲେ । ଶ୍ରେୟାସ (୨୮)ଙ୍କ ୱିକେଟ୍ ଧନଞ୍ଜୟ ଡି’ ସିଲ୍ଭାଙ୍କ ଖାତାକୁ ଯାଇଥିଲା । ବିରାଟ ଏହାପରେ ଲୋକେଶ ରାହୁଲଙ୍କ ସହ ମିଶି ଇନିଂସ୍କୁ ଆଗେଇ ନେଇଥିଲେ । ଚତୁର୍ଥ ୱିକେଟ୍ ପାଇଁ ୯୦ ରନ୍ର ଭାଗୀଦାରୀ ହେବା ସହ ଟିମ୍ର ସ୍କୋର୍ ୩୦୦ ଅତିକ୍ରମ କରିଥିଲା । ରାହୁଲ ୨୯ ବଲ୍ରୁ ୩୯ ରନ୍ କରି ରଜିତାଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଅନ୍ୟପଟେ, ବିରାଟଙ୍କ ଦୃଢ଼ ପ୍ରଦର୍ଶନ ଜାରି ରହିଥିଲା । ନୂଆ ବ୍ୟାଟର୍ ହାର୍ଦ୍ଦିକ ପାଣ୍ଡ୍ୟା କେବଳ ୧୪ ରନ୍ର ଇନିଂସ୍ ଖେଳି ରଜିତାଙ୍କ ଆଉ ଏକ ଶିକାର ହୋଇଥିଲେ । ଏହାପରେ ବିରାଟ ଓ ଅକ୍ଷର ଷଷ୍ଠ ୱିକେଟ୍ ପାଇଁ ୩୨ ରନ୍ ଯୋଗ କରିଥିଲେ । ଇତ୍ୟବସରେ ବିରାଟ ୮୦ ବଲ୍ରୁ ଶତକ ପୂରଣ କରିଥିଲେ । ଅକ୍ଷର ୯ ରନ୍ କରି ଚମିକା କରୁଣାରତ୍ନେଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । କୋହଲି ବ୍ୟକ୍ତିଗତ ୧୧୩ (୮୭ ବଲ୍ରୁ ୧୨ ଚୌକା ଓ ୧ ଛକା ସହାୟତାରେ) ରନ୍ରେ ରଜିତାଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ମହମ୍ମଦ ଶାମୀ ୪ ଓ ମହମ୍ମଦ ସିରାଜ ୭ ରନ୍ କରି ଅପରାଜିତ ଥିଲେ ।
ଅନ୍ୟପଟେ, ୩୭୪ ରନ୍ ବିଜୟଲକ୍ଷ୍ୟର ପିଛା କରିଥିବା ଶ୍ରୀଲଙ୍କା ଟିମ୍ର ଅଧିକାଂଶ ବ୍ୟାଟର୍ ଆଶାଜନକ ପ୍ରଦର୍ଶନ କରିପାରି ନ ଥିଲେ । ଅଧିନାୟକ ଶନାକା ୮୮ ବଲ୍ରୁ ୧୦୮ (୧୨ ଚୌକା ଓ ୩ ଛକା ସହାୟତାରେ) ୧୦୮ ଓ ରଜିତା ୯ ରନ୍ କରି ଅପରାଜିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ପଥୁମ ନିସଙ୍କା ୭୨, ଧନଞ୍ଜୟ ଡି’ ସିଲ୍ଭା ୪୭, ଚରିତ ଅସଲଙ୍କା ୨୩, ୱାନିନ୍ଦୁ ହସରଙ୍ଗା ୧୬, କରୁଣାରତ୍ନେ ୧୪, ଅବିସ୍କା ଫର୍ଣ୍ଣାଣ୍ଡୋ ୫ ରନ୍ କରିଥିବା ବେଳେ କୁସଲ ମେଣ୍ଡିସ୍ ଓ ଦୁନିତ ୱେଲାଲାଗେ କୌଣସି ସ୍କୋର୍ କରି ନ ଥିଲେ ।
ଭାରତ ପକ୍ଷରୁ ଉମରାନ ମଲିକ ୩, ମହମ୍ମଦ ସିରାଜ ୨ ଏବଂ ମହମ୍ମଦ ଶାମୀ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଯୁଜବେନ୍ଦ୍ର ଚହଲ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *