ଯୋଶୀମଠ ସହରରେ ବୁଲିଲା ବୁଲ୍ଡୋଜର

ଡେରାଡୁନ (ଏଜେନ୍ସି): ମାଟି ତଳେ ପୋତି ହୋଇଯିବ ଉତ୍ତରାଖଣ୍ଡର ଦେବନଗରୀ ଯୋଶୀମଠ । ମାଟି ଧସିବାରୁ ଅନେକ ଘର ଓ ହୋଟେଲ୍ରେ ବଡ଼ଧରଣର ଫାଟ ସୃଷ୍ଟି ହୋଇଛି । ଅନେକ ବଡ ବଡ କୋଠା ଅସୁରକ୍ଷିତ ଅବସ୍ଥାରେ ଥିବାରୁ ସେଗୁଡ଼ିକୁ ଭଙ୍ଗିବା ଆରମ୍ଭ ହୋଇଛି । ଭଙ୍ଗାଯିବା ବେଳେ ସ୍ଥାନୀୟ ଲୋକେ ବିରୋଧ କରିବାରୁ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଚମୋଲି ଯୋଶୀମଠରେ ଅସୁରକ୍ଷିତ ଅବସ୍ଥାରେ ଥିବା ୨ ହୋଟେଲକୁ ବୁଲଡୋଜର ଲଗାଇ ଭାଙ୍ଗି ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ବିପଦପୂର୍ଣ୍ଣ ମାଉଣ୍ଟ ଭିୟୁ ଏବଂ ମଲାରି ଇନ୍ ହୋଟେଲ୍ ଭଙ୍ଗାଯାଇଛି । ଭଙ୍ଗା ଯିବା ତାଲିକାରେ ୧୦୦ରୁ ଅଧିକ ବିପଦସଙ୍କୁଳ ଘର ରହିଛି । ଭଙ୍ଗା ହେବା ପୂର୍ବରୁ ଲୋକଙ୍କୁ ଡାକବାଜି ଯନ୍ତ୍ରରେ ଦୂରତା ରଖିବାକୁ କୁହାଯାଇଛି । ପ୍ରାୟ ୬ ଶହରୁ ଅଧିକ ଘରୁ ୪ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ପ୍ରଭାବିତ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି । ମାଗଣାରେ ରାସନ ସହିତ ପରିବାର ପିଛା ୫ ହଜାର ଟଙ୍କା ଆର୍ଥିକ ସହାୟତା ଦିଆଯାଇଛି । ଯୋଶୀମଠ ଅଞ୍ଚଳର ୧ରୁ ୬ ପର୍ଯ୍ୟନ୍ତ କୋଠାକୁ ଭାଙ୍ଗିବା ଲାଗି କ୍ରସ୍ ଚିହ୍ନ ଦିଆଯାଇଛି ।
ଯୋଶୀମଠ ଓ ଏହା ସନ୍ନିକଟ ଅଞ୍ଚଳ ବର୍ଷକୁ ୬.୫ ମେସି ଦବୁଛି । ଦୁଇବର୍ଷ ହେଲା ଏପରି ଘଟୁଛି ଏବଂ ଡେରାଡୁନ ସ୍ଥିତ ଭାରତୀୟ ରିମୋଟ୍ ସେନ୍ସିଂ ପ୍ରତିଷ୍ଠାନ ପକ୍ଷରୁ କରାଯାଇଥିବା ଅନୁଧ୍ୟାନରୁ ଏହା ଜଣାପଡ଼ିଛି । ଉକ୍ତ ସଂସ୍ଥା ସାଟେଲାଇଟ୍ ମାଧ୍ୟମରେ ସଂଗ୍ରହ କରିଥିବା ତଥ୍ୟରୁ ଏହା ଜଣାପଡ଼ିଛି । କେବଳ ଯୋଶୀମଠ ଅଞ୍ଚଳ ନୁହେଁ ଏହା ନିକଟସ୍ଥ ତଥା ଯୋଶୀମଠର ପ୍ରବେଶ ଦ୍ୱାର କୁହାଯାଉଥିବା କର୍ଣ୍ଣର୍ପ୍ରୟାଗ ଟାଉନରେ ମଧ୍ୟ ଘର ଫାଟି ଯାଇଛି । ଏହି ଟାଉନର ବହୁଗୁଣା ନଗରରେ ପ୍ରାୟ ୫୦ ଘରର କାନ୍ଥ ଓ ଛାତ ଫାଟି ଯାଇଛି ।
ଇତିମଧ୍ୟରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏକ ଟିମ୍ ସମେତ ୨ଟି କେନ୍ଦ୍ରୀୟ ଟିମ୍ ଯୋଶୀମଠରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ଦାଖଲ କରିବା ପାଇଁ କେନ୍ଦ୍ର ସରକାର ୭ଟି ପୃଥକ ଅନୁଷ୍ଠାନର ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିଛନ୍ତି ।
ଅନ୍ୟପକ୍ଷରେ ମାଟି ଧସିବାକୁ ଜାତୀୟ ବିପର୍ଯ୍ୟୟ ଭାବେ ଘୋଷଣା କରିବା ଲାଗି ରୁଜୁ ପିଟିସନ୍ର ତ୍ୱରିତ୍ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି । ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦ ସରସ୍ୱତୀଙ୍କ ପକ୍ଷରୁ ରୁଜୁ ପିଟିସନ୍ର ଶୁଣାଣି ସମୟରେ ପ୍ରଧାନବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ନ୍ୟାୟପୀଠ କହିଛନ୍ତି, ପ୍ରତ୍ୟେକ ଗୁରୁତ୍ୱପୂର୍ଣ୍ଣ ଘଟଣାରେ ସିଧାସଳଖ କୋର୍ଟକୁ ନ ଆସି ନିର୍ବାଚିତ ସରକାରଙ୍କ ମାଧ୍ୟମରେ ଆସିବା ଉଚିତ । ମାମଲାର ଶୁଣାଣି ଆସନ୍ତା ୧୬କୁ ଧାର୍ଯ୍ୟ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *