ଅଧାରୁ ଉଠିଗଲେ ରାଜ୍ୟପାଳ
ତାମିଲନାଡୁ ବିଧାନସଭାରେ ତାମସା
ଚେନ୍ନାଇ ୯ା୧: ସୋମବାର ତାମିଲନାଡୁ ବିଧାନସଭାର ଚଳିତବର୍ଷର ପ୍ରଥମ ଅଧିବେଶନ ଆରମ୍ଭ ହେବା ସହିତ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ବିବାଦ ତୀବ୍ରତର ହୋଇଛି । ଅଧିବେଶନ ଆରମ୍ଭରେ ରାଜ୍ୟପାଳ ଆରଏନ୍ ରବି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାରମ୍ପରିକ ଅଭିଭାଷଣର କିଛି ଅଂଶ ବାଦ୍ ଦେଇ ନିଜେ କିଛି କଥା ସେଥିରେ ଯୋଡି ପଢ଼ି ଥିଲେ । ରାଜ୍ୟପାଳଙ୍କ ମନଗଢ଼ା କଥାଗୁଡିକୁ ବିବରଣୀରୁ ବାଦ୍ ଦେବା ସମ୍ପର୍କିତ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ଙ୍କ ପ୍ରସ୍ତାବ ପାସ୍ ହୋଇଥିଲା । ଏଥିରେ ଅତିଶୟ ଖୁବ୍ଧ ହୋଇ ରାଜ୍ୟପାଳ ତମତମ ହୋଇ ଗୃହ ବାହାରକୁ ଚାଲି ଯିବା ଦେଖିବାକୁ ମିଳିଥିଲା । ରାଜ୍ୟପାଳ ଅଧାରୁ ଉଠି ଚାଲିଯିବା ଅର୍ଥାତ୍ ବିଧାନସଭା କାର୍ଯ୍ୟ ବୟକଟ୍ କରିବା ତାମିଲନାଡୁ ବିଧାନସଭା ଇତିହାସରେ ପ୍ରଥମ ଘଟଣା ।
ଗୃହରେ ପାସ୍ ହୋଇଥିବା ପ୍ରସ୍ତାବରେ ଉଲ୍ଲେଖ ଅଛି ଯେ କେବଳ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରାଜ୍ୟପାଳଙ୍କ ଅଭିଭାଷଣହିଁ ବିବରଣୀରେ ରହିବ, ରାଜ୍ୟପାଳ କହିଥିବା କଥା ସେଥିରେ ସ୍ଥାନ ପାଇବ ନାହିଁ । ଏହା ପରମ୍ପରା । ଏହି ପ୍ରସ୍ତାବକୁ ଏଆଇଏଡିଏମ୍କେ ଓ ବିଜେପିକୁ ଛାଡି ଅନ୍ୟ ସବୁଦଳ ଯଥା ଶାସକ ଡିଏମ୍କେ ଓ ତା’ର ସହଯୋଗୀ କଂଗ୍ରେସ, ଏମ୍ଡିଏମ୍କେ, ଭିସିକେ, ବାମଦଳ, ଏମ୍ଏମ୍କେ ଓ ଟିଭିକେ ସମର୍ଥନ କରିଥିଲେ ।
ରାଜ୍ୟପାଳ ପ୍ରାୟ ୫୦ ମିନିଟ୍ ଭାଷଣ ଦେବାପରେ ବାଚସ୍ପତି ତାହାର ତାମିଲ ଅନୁବାଦ ପଢ଼ିଥିଲେ । ମୁଖ୍ୟମନ୍ତ୍ରୀଙ୍କ ତର୍କ ହେଉଛି ଅଭିଭାଷଣଟିକୁ ରାଜ୍ୟପାଳଙ୍କ ନିକଟକୁ ପଠାଯାଇଥିଲା ଏବଂ ତାହାକୁ ସେ ଅନୁମୋଦନ କରିବା ପରେ ଛପା ଯାଇଥିଲା ।
ରାଜ୍ୟପାଳ ପୂର୍ବ ପ୍ରସ୍ତୁତ ଅଭିଭାଷଣ ଯେଉଁ ଅଂଶ ପଢ଼ିଲେ ନାହିଁ ସେଥିରେ ତାମିଲନାଡୁକୁ ଶାନ୍ତିର ସ୍ୱର୍ଗ କୁହାଯାଇଥିଲା । ତାଛଡା ଆମ୍ବେଦକର, କେ କାମରାଜ, ଅନ୍ନାଦୁରାଇ ଓ କରୁଣାନିଧିଙ୍କ ଭଳି ନେତାଙ୍କ ନାମ ଉଲ୍ଲେଖ ଥିଲା । ସେହିପରି ଦ୍ରାବିଡୀୟ ମଡେଲ ସମ୍ପର୍କରେ ସରକାରଙ୍କ ପକ୍ଷରୁ ଅଭିଭାଷଣରେ ଯାହା ଉଲ୍ଲେଖ କରାଯାଇଥିଲା, ସେ ସବୁକୁ ରାଜ୍ୟପାଳ ରବି ପଢ଼ି ନଥିବାରୁ ବିବାଦ ଉପୁଜିଥିଲା । ଗୃହରେ ଡିଏମ୍କେ ଓ ସହଯୋଗୀ ଦଳର ବିଧାୟକମାନେ ନାରାବାଜୀ ସହ ହଙ୍ଗାମା ଆରମ୍ଭ କରିଦେଇଥିଲେ ।